Home ଆଞ୍ଚଳିକ ପାର୍ବଣର ବାର୍ତ୍ତାବହ କାଶତଣ୍ଡି

ପାର୍ବଣର ବାର୍ତ୍ତାବହ କାଶତଣ୍ଡି

225

ରାୟଗଡ଼ା , ୨୦/୦୯/୨୨ ( ଜିଲ୍ଲା ଖବର) : ଋତୁଚକ୍ର ପରିବର୍ତ୍ତନର ତାଳେତାଳେ ବଦଳିଥାଏ ପ୍ରକୃତିର ଚିତ୍ର । ଶରତର ଆଗମନରେ ପାର୍ବଣର ବାର୍ତ୍ତା ନେଇ ଧରା ପୃଷ୍ଠରେ ତା’ର ପସରା ମେଲିଥାଏ କାଶତଣ୍ଡି । ପ୍ରକୃତିର ଏଇ ଅମୂଲ୍ୟ ଉପହାର ଦେଖାଦିଏ ବିଲମାଳ, ରାସ୍ତାକଡ,ନଈପଠା ଓ ଖାଲୁଅ ଜମିରେ ।

ନୀଳ ଆକାଶର ତଳେ ହସୁଥାଏ ଶୁଭ୍ର ରେଶମୀ
କାଶତଣ୍ଡି । ସତେ ଯେପରି ଧରଣୀ ରାଣୀ ଶୁଭ୍ର ବସ୍ତ୍ର ପରିଧାନ କରିଛନ୍ତି । ଦୋଳାୟିତ କାଶତଣ୍ଡି ଚାମର ସଦୃଶ ଦେଖାଯାଏ । ଏଇ ଚାମର ହଲାଇ ସେ ଆଦ୍ଯାଶକ୍ତିଙ୍କୁ ସ୍ବାଗତ କରିଥାଏ । କାରଣ ମାଆକୁ ସ୍ବାଗତ ଜଣାଇବାପାଇଁ ସେ ବରଦାନ ପାଇଛି ।


କାଶତଣ୍ଡି ଫୁଲର ସମ୍ଭାର ପ୍ରକୃତିପ୍ରେମୀକୁ ଆକୃଷ୍ଟ କରେ । ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯାଏ ଏହାର କମନୀୟ ସୁଷମା ଭିତରେ । ଏହା ସହିତ ସେଲଫି ନେବାକୁ ସେ ବ୍ଯାକୁଳ ହୋଇଉଠେ । କବି ଏହି ଫୁଲକୁ ଦେଖି ବିଭୋର ହୋଇଯାଏ ।

ତା’ କଲମ ମୁନରୁ ସୁନ୍ଦର କବିତାରାଜି ଝରିପଡେ । କାଶତଣ୍ଡି ଖୁସି ବାଣ୍ଟି ବାଣ୍ଟି ପ୍ରକୃତି କୋଳରେ ଝାଉଁଳି ପଡେ ଏବଂ ଅପେକ୍ଷା କରିଥାଏ ଆଗାମୀ ଶରତକୁ । ସତେ ଯେମିତି ଧରଣୀ ରାଣୀ ଧଳା ରଙ୍ଗର ଚାଦର ଟିଏ ଘୋଡେ଼ଇ ହୋଇଥିବା ଭଳି ମନେହୁଏ।

ରାୟଗଡ଼ା ଜିଲ୍ଲା ରୁ ପ୍ରସନ୍ନ କୁମାର ପଣ୍ଡା ଙ୍କ ରିପୋର୍ଟ ଜିଲ୍ଲା ଖବର ।