
କବିସୂର୍ଯ୍ୟ ନଗର,୬/୯(ଜିଲ୍ଲା ଖବର) : ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ବରୀୟ ବିଶ୍ବବିଦ୍ୟାଳୟ ସ୍ଥାନୀୟ ଉପ – ସେବାକେନ୍ଦ୍ର ପ୍ରଭୁପ୍ରୀତ ଭବନରେ ଗୁରୁ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି l ବିଦ୍ୟାଳୟ ଓ ମହାବିଦ୍ୟାଳୟରେ କାର୍ଯ୍ୟରତ ତଥା ଅବସରପ୍ରାପ୍ତ ଶତାଧିକ ଶିକ୍ଷକଙ୍କୁ ଏହି କାର୍ଯ୍ୟକ୍ରମରେ ସମ୍ମାନିତ କରାଯାଇଥିଲା l ପ୍ରଭୁପ୍ରୀତ ଭବନର ସଂଚାଳିକା ବ୍ରହ୍ମାକୁମାରୀ ସୁଜ୍ଞାନୀଙ୍କ ସଂଯୋଜନାରେ ପରିଚାଳିତ ଉକ୍ତ କାର୍ଯ୍ୟକ୍ରମରେ ଓଡିଶା ସରକାରଙ୍କ ଶ୍ରମ ଓ କର୍ମଚାରୀ ବୀମା ବିଭାଗ ରାଷ୍ଟ୍ରମନ୍ତ୍ରୀ ଶ୍ରୀକାନ୍ତ ସାହୁ ଏଥିରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଥିବାବେଳେ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ l


କାର୍ଯ୍ୟକ୍ରମର ମୁଖ୍ୟବକ୍ତା ଆସିକା ଶାନ୍ତି ଶକ୍ତି ଭଵନର ସଂଚାଳିକା ରାଜ ଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତୀ ପ୍ରକାଶ କରିଥିଲେ ଯେ ଇତିହାସ ରେ ସର୍ବଦା ପରିବର୍ତ୍ତନଶିଳ ସାମାଜିକ ବ୍ୟବସ୍ଥାରେ କେବଳ ଶିକ୍ଷକଙ୍କ ଭୂମିକା ଅପରିବର୍ତ୍ତନୀୟ l ସ୍ଵର୍ଣ୍ଣିମ ଭାରତ ଅର୍ଥାତ୍ ଯେତେବେଳ ଭାରତ ବିଶ୍ଵ ଗୁରୁଥିଲା ସେହି ସମୟରେ ମଧ୍ୟ ଗୁରୁ ରାଷ୍ଟ୍ରହିତ ପାଇଁ ଶାସକମାନଙ୍କୁ ମାର୍ଗଦର୍ଶକ ରୂପେ ଦିଗ୍ ଦର୍ଶନ ଦେଉଥିଲେ, ବିନା ଶସ୍ତ୍ରରେ ବିଶ୍ଵ ଇତିହାସକୁ ପରିବର୍ତ୍ତନ କରିବା କ୍ଷମତା ଶିକ୍ଷକଙ୍କ ବାଣୀ ଓ କଲମରେ ରହିଛି l ତେଣୁ ସମ୍ପ୍ରତି ବିଶ୍ଵ ନବନିର୍ମାଣ ଉଦ୍ଦେଷ୍ୟରେ ଆଜି ମଧ୍ୟ ପରମାତ୍ମା ଶିବପିତା ଧରାପୃଷ୍ଠରେ ସତ ଗୁରୁ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି ସହଜ ରାଜଯୋଗର ଶିକ୍ଷା ଦ୍ୱାରା ସମସ୍ତଙ୍କ ମଧ୍ୟରେ ସଂସ୍କାର ପରିବର୍ତ୍ତନ କରି ସୁଖମୟ ସଂସାରର ଉପହାର ଦେବା ପାଇଁ l ମୁଖ୍ୟ ଅତିଥି ଶ୍ରମ ଓ କର୍ମଚାରୀ ବୀମା ବିଭାଗ ରାଷ୍ଟ୍ରମନ୍ତ୍ରୀ ଶ୍ରୀକାନ୍ତ ସାହୁ ବ୍ରହ୍ମାକୁମାରୀ ମୁଖ୍ୟାଳୟ ଭ୍ରମଣ ସମୟର ଅନୁଭୂତି ପ୍ରକାଶ କରିଥିଲେ ଯେ ଈଶ୍ୱରୀୟ ବିଶ୍ଵ ବିଦ୍ୟାଳୟର ଶାନ୍ତ ବାତାବରଣ ମନକୁ ସ୍ଥିରତା ପ୍ରଦାନ କରିବା ସହ ନୈସର୍ଗିକ ଆନନ୍ଦ ପ୍ରଦାନ କରିଥାଏ lଈଶ୍ୱରୀୟ ବିଶ୍ଵ ବିଦ୍ୟାଳୟର ଉତ୍ତରୋତ୍ତର ଉନ୍ନତି କାମନା କରିବା ସହ ପ୍ରତ୍ୟେକ ବ୍ୟକ୍ତିର ଜୀବନରେ ସଫଳତା ପାଇଁ ଶିକ୍ଷକଙ୍କର ଭୂମିକା ଅପରିହାର୍ଯ୍ୟ ବୋଲି ପ୍ରକାଶ କରିଥିଲେ କବିସୂର୍ଯ୍ୟ ନଗର ବିଧାୟିକା ଲତିକା ପ୍ରଧାନ l କାର୍ଯ୍ୟକ୍ରମର ଅନ୍ୟତମ ଅତିଥି କବିସୂର୍ଯ୍ୟ ନଗର ଏନଏସି ନଗରପାଳିକା ଏସ୍. ଲକ୍ଷ୍ମି ସେଠୀ ଓ ଉପ-ନଗରପାଳ ବିକ୍ରlନ୍ତ କୁମାର ସାହୁ ଗୁରୁଦିବସରେ ସମସ୍ତ ଆମନ୍ତ୍ରିତ ଶିକ୍ଷକଙ୍କୁ ଶୁଭେଚ୍ଛା ଜ୍ଞାପନ କରିବା ସହିତ ଏଭଳି ଅନନ୍ୟ ପ୍ରୟାସପାଇଁ ଇଶ୍ୱରୀୟ ବିଶ୍ଵ ବିଦ୍ୟାଳୟର ସମସ୍ତ ଭଉଣୀ ଭାଇଙ୍କୁ ସାଧୁବାଦ ଜଣାଇଥିଲେ lକାର୍ଯ୍ୟକ୍ରମ ଶେଷରେ ସମସ୍ତ ଆମନ୍ତ୍ରିତ ଅତିଥିବୃନ୍ଦଙ୍କୁ ଈଶ୍ୱରୀୟ ଉପହାର ପ୍ରଦାନ କରାଯାଇଥିଲା l ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଅବସରପ୍ରାପ୍ତ ଶିକ୍ଷକ ବନମାଳୀ ସ୍ୱାଇଁ, ଅବସରପ୍ରାପ୍ତ ଏ. ବି. ଇ. ଓ. ଉତ୍ତମ ଚନ୍ଦ୍ର ରଥ, ସି. ଆର୍. ସି. ପ୍ରକାଶ ଚନ୍ଦ୍ର ରାଉତରାୟ, ଇଂରାଜି ସାହିତ୍ୟର ପ୍ରାଧ୍ୟାପକ କେ. ପୁରୁଷୋତ୍ତମ,ହିଣ୍ଡଳ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶରତ ଚନ୍ଦ୍ର ଡାକୁଆ ଈଶ୍ୱରୀୟ ବିଶ୍ଵ ବିଦ୍ୟାଳୟର ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପ୍ରତ୍ୟକ୍ଷ ସହଯୋଗ ପ୍ରଦାନ କରିଥିଲେ l ପ୍ରଭୁପ୍ରୀତ ଭବନର ସଂଚାଳିକା ବ୍ରହ୍ମାକୁମାରୀ ସୁଜ୍ଞାନୀ ସହଜ ରାଜଯୋଗ ଅଭ୍ୟାସ କରାଇଥିଲେ l ବ୍ରହ୍ମାକୁମାରୀ ନୀରୁ ଧନ୍ୟବାଦ ଅର୍ପଣ କରିଥିଲେ l ଉପ – ସେବାକେନ୍ଦ୍ର ର ସମସ୍ତ ଭଉଣୀ ଭାଇ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l


