
କୋଦଳା,୦୪/୦୧(ଗୁଲସନ୍ କୁମାର କର) ; ଗଞ୍ଜାମ ଜିଲ୍ଲା ତଥା ଦକ୍ଷିଣ ଓଡ଼ିଶାର ଏକ ପ୍ରମୁଖ ଜଣାଶୁଣା ପିକନିକ୍ ସ୍ପଟ୍ ଭାବେ ଲୋକଙ୍କ ପସନ୍ଦର ସ୍ଥାନ ନେଇଥାଏ କୋଦଳା ନିକଟସ୍ଥ ଝାଡେଶ୍ବର ପୀଠ। ଗଂଜାମ ଜିଲ୍ଲା କୋଦଳା ଠାରୁ ଫାସୀ ଦେଇ ଦାନପୁର ଯିବା ପରେ ପଡିଥାଏ ଏହି ଝାଡେଶ୍ବର ଶୈବପୀଠ। ବାବା ଝାଡେଶ୍ବର ଏଠି ପୂଜା ପାଉଥିବା ବେଳେ ମନ୍ଦିର ଆଗରେ ଥିବା ମଗର କୁଣ୍ଡ ଶୋଭା ବୃଦ୍ଧି କରିଥାଏ। ଏଠାରେ ଗାଧୋଇବା ପାଇଁ ପର୍ଯ୍ୟଟକ କେବେ ଭୂଲି ନଥାନ୍ତି।ମନ୍ଦିର ପଛରେ ଥିବା କୃଷ୍ଣଗିରି ପର୍ବତର କୌଣସି ଏକ ସ୍ଥାନରୁ କେଉଁ ଆଦିମ କାଳରୁ ବହି ଆସୁଛି ଝରଣା। ବର୍ଷ ବର୍ଷ ଧରି ଏହି ଝରଣାର ଜଳରାଶି ମଗର କୁଣ୍ଡକୁ ଆସୁଥିବା ବେଳେ ଏହି ଝରଣାର ପାଣିରେ ଗାଧୋଇବା ଦ୍ବାରା ବହୁ ଚର୍ମରୋଗ ନଷ୍ଟ ହୋଇଯାଏ ବୋଲି କୁହାଯାଏ। ପୌରାଣିକ କାହାଣୀ ଅନୁସାରେ କୁହାଯାଏ ରାମଚନ୍ଦ୍ର ବନବାସ ସମୟରେ ଲକ୍ଷ୍ମଣ ଓ ସୀତାଙ୍କ ସହ ଏହି ସ୍ଥାନ ଦେଇ ଯାଇଥିଲେ।

ସୀତାକୁଂ ଶୋଷ ଲାଗିବା ପରେ ସେ ରାମଚନ୍ଦ୍ରଙ୍କୁ କହିବାରୁ ରାମଚନ୍ଦ୍ରଙ୍କ ଆଦେଶ କ୍ରମେ ଲକ୍ଷ୍ମଣଙ୍କ ତୀର ନିକ୍ଷେପ ପରେ ଏହି ଝରଣାର ଆବିର୍ଭାବ ହୋଇଥିବା କଥା କେହି କେହି କହନ୍ତି।ଏହି ସ୍ଥାନରେ ବାବା ଝାଡେଶ୍ବରକଂ ସମେତ ମା ରାମଚଣ୍ଡୀ, ମା କାଳୀ ଏବଂ ବହୁ ଛୋଟ ଛୋଟ ମନ୍ଦିରରେ ଦେବାଦେବୀ ପୂଜା ପାଉଛନ୍ତି। ବଣଭୋଜି ସାଂଗକୁ ବୁଲାବୁଲି କରି ଆନନ୍ଦ ନେବାର ଉକୃଷ୍ଟ ସ୍ଥାନ ଭାବେ ବେଶ୍ ପରିଚିତ ଥିବା ଝାଡେଶ୍ବର ପୀଠ ଏବେ ଅବହେଳିତ ହୋଇ ପଡିଛି। ଉପଯୁକ୍ତ ପ୍ରୋତ୍ସାହନ ଯୋଗାଇ ଦିଆ ନଯିବାରୁ ଏଠାକୁ ଏବେ ଦର୍ଶକ ତଥା ପର୍ଯ୍ୟଟକଙ୍କ ସଂଖ୍ୟା କମିବାରେ ଲାଗିଛି।

ଗଂଜାମ ଜିଲ୍ଲା ତଥା ଜିଲ୍ଲା ବାହାରୁ ଏଠାକୁ ବହୁ ପର୍ଯ୍ୟଟକ ବଣଭୋଜି ଓ ମଜା ନେବାକୁ ଆସୁଥିବା ବେଳେ ଏଠାରେ ସର୍ବନିମ୍ନ ମୌଳିକ ସୁବିଧା ସର୍ବସାଧାରଣଙ୍କ ପାଇଁ ଶୌଚାଳୟ ଟିଏ ମଧ୍ୟ ନାହିଁ।ଦୂର ଦୂରାନ୍ତରୁ ଆସୁଥିବା ପର୍ଯ୍ୟଟକମାନେ ରହିବା ପାଇଁ ସେପରି କୌଣସି ସ୍ଥାୟୀ ବ୍ଯବସ୍ଥା ନଥିବାରୁ ପର୍ଯ୍ୟଟକଙ୍କ ଅସନ୍ତୋଷ ରହିଛି। ସରକାରଙ୍କ ପର୍ଯ୍ଯଟନ ବିଭାଗର ଦୂରଦୃଷ୍ଟି ଅଭାବରୁ ଏହି ସ୍ଥାନ ଏବେ ପର୍ଯ୍ୟଟକଙ୍କୁ ନିରାଶ କରୁଥିବାରୁ ରାଜ୍ଯ ପର୍ଯ୍ଯଟନ ବିଭାଗ ଏଥିପ୍ରତି ଦୃଷ୍ଟି ଦେବା ସହ ଏଭଳି ଏକ ସୁନ୍ଦର ଓ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ପର୍ଯ୍ୟଟନ ସ୍ଥଳୀର ବିକାଶ ହୋଇପାରିବ ବୋଲି ସ୍ଥାନୀୟ ଅଞ୍ଚଳବାସୀ କହିଛନ୍ତି।



