
ରାୟଗଡ଼ା -୨୦-୮-( ଜିଲ୍ଲା ଖବର) ଆଦିବାସୀ ନେତା ତଥା ଅଖିଳ ଭାରତ କିଶାନ୍ ମଜଦୁର୍ ସଭାର ଜିଲ୍ଲା ସମ୍ପାଦକ ହରିବନ୍ଧୁ କାଡ୍ରାକାଙ୍କ ସ୍ମୃତିରେ ଆଜି ମୁନିଗୁଡା ବ୍ଳକ୍ ଲଟାଗୁଡା ଠାରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା ।
ପ୍ରବଳ ବର୍ଷା ସତ୍ତ୍ୱେ ମୁନିଗୁଡା ତଥା ଆଖପାଖ ବ୍ଳକର ବିଭିନ୍ନ ଗ୍ରାମରୁ ବହୁ ସଂଖ୍ୟାରେ ଲୋକ ଯୋଗ ଦେଇ ହରିବନ୍ଧୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗୁରୁତର ଅସୁସ୍ଥତା କାରଣରୁ ଗତ ଅଗଷ୍ଟ ଦଶ ତାରିଖରେ ହରିବନ୍ଧୁଙ୍କ ମୃତ୍ୟୁ ହୋଇଥିଲା ।

ଏଆଇକେଏମଏସ ନେତା କନୀନ୍ଦ୍ର ଜାଲିକାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶୋକସଭାରେ ନିଜର ବକ୍ତବ୍ୟ ରଖି କିଶାନ୍ ମଜଦୁର୍ ସଭାର ଜାତୀୟ ସମ୍ପାଦକ ଭଲଚନ୍ଦ୍ର ଷଡ଼ଙ୍ଗୀ, ହରିବନ୍ଧୁ କାଡ୍ରାକା ରାୟଗଡା ଜିଲ୍ଲାରେ ଗରିବ ଜନତାଙ୍କ ସ୍ଵର ଥିଲେ ବୋଲି କହିଥିଲେ । ତାଙ୍କ ନେତୃତ୍ୱରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗରିବ ଲୋକେ ଜମି, ଜଙ୍ଗଲ ଉପରେ ଅଧିକାର ପାଇଁ ଲଢୁଆ ଆନ୍ଦୋଳନ କରି ଆସୁଥିଲେ ଏବଂ ସେଥିପାଇଁ ତାଙ୍କୁ ରାଷ୍ଟ୍ର ଦ୍ଵାରା ଦମନର ଶିକାର ହେବାକୁ ପଡିଥିଲା । ଜନଗଣଙ୍କ ପ୍ରତି ତାଙ୍କର ନିଷ୍ଠା ଓ ପ୍ରତିବଦ୍ଧତା ଲାଗି ହିଁ ସେ ଆଦିବାସୀ ଓ ଦଳିତ ଲୋକଙ୍କ ମଧ୍ୟରେ ଅତ୍ୟନ୍ତ ଲୋକପ୍ରିୟ ହୋଇପାରିଥିଲେ ।

ଆଜି ଯେତେବେଳେ ଦେଶରେ ବିଜେପି ଓ ଆରଏସଏସ ନେତୃତ୍ଵାଧିନ ଫାଶିବାଦୀ କେନ୍ଦ୍ର ସରକାର କର୍ପୋରେଟଙ୍କ ସ୍ଵାର୍ଥରେ ଆଦିବାସୀ ଓ ପାରମ୍ପରିକ ବନଜୀବିଙ୍କ କଷ୍ଟାର୍ଜିତ ଜଙ୍ଗଲ ଅଧିକାରକୁ ଛଡ଼ାଇ ନେବାକୁ ବସିଛନ୍ତି, ସେତେବେଳେ ହରିବନ୍ଧୁଙ୍କ ପରି ଅନେକ ଲଢୁଆ ସାଥିମାନଙ୍କ ଆବଶ୍ୟକତା ରହିଛି ବୋଲି କହିଥିଲେ । ସେ ଆରମ୍ଭ କରିଥିବା ବିପ୍ଳବୀ ଆନ୍ଦୋଳନକୁ ଆଗେଇ ନେବା ହିଁ ତାଙ୍କ ପାଇଁ ସବୁଠାରୁ ବଡ଼ ଶ୍ରଦ୍ଧାଞ୍ଜଳି ହେବ ବୋଲି କହିଥିଲେ ।

ଅନ୍ୟତମ ବକ୍ତା ଭାବରେ ଯୋଗ ଦେଇ ନିୟମଗିରି ଆନ୍ଦୋଳନର ପ୍ରମୁଖ ନେତା ଲିଙ୍ଗରାଜ ଆଜାଦ ସାଥି ହରିବନ୍ଧୁ ନିୟମଗିରି ଆନ୍ଦୋଳନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ବୋଲି କହିଥିଲେ । ତାଙ୍କ ଗାଁ ରାଜୁଲଗୁଡା ନିୟମଗିରିର ସାଥିମାନଙ୍କ କେନ୍ଦ୍ର ହୋଇ ଉଠିଥିଲା ଏବଂ ଆନ୍ଦୋଳନ ଉପରେ ଯେତେବେଳେ ବେଦାନ୍ତର ଦଲାଲ ଓ ଗୁଣ୍ଡାମାନେ ଆକ୍ରମଣ କରୁଥିଲେ, ସେତେବେଳେ ହରିବନ୍ଧୁ ଓ ତାଙ୍କ ସାଥିମାନେ ଅତ୍ୟନ୍ତ ସାହାସିକତାର ସହ ସେମାନଙ୍କ ମୁକାବିଲା କରୁଥିଲେ ।

ତାଙ୍କ ପରି ଜଣେ ସଂଗ୍ରାମୀ ସାଥି ଏତେ କମ୍ ବୟସରେ ଚାଲିଯିବା ଆମ ସମସ୍ତଙ୍କ ପାଇଁ ଅପୂରଣୀୟ କ୍ଷତି ବୋଲି କହିଥିଲେ ।
ନିୟମଗିରି ସୁରକ୍ଷା ସମିତିର ସଭାପତି ଦଧି ପୁସିକା ନିଜ ବକ୍ତବ୍ୟରେ ହରିବନ୍ଧୁଙ୍କୁ ନିୟମଗିରିର ଡଙ୍ଗରିଆମାନଙ୍କ ଜଣେ ସଚ୍ଚା ସାଥି ବୋଲି କହିଥିଲେ । ସ୍ଥାନୀୟ ବୁଦ୍ଧିଜୀବୀ ଗୌରାଙ୍ଗ ରାଉତ ନିଜ ବକ୍ତବ୍ୟରେ ଆଦିବାସୀମାନଙ୍କ ସାମାଜିକ ଓ ଆର୍ଥିକ ସ୍ଥିତିକୁ ଉଲ୍ଲେଖ କରି ତାଙ୍କ ନେତୃତ୍ୱରେ ଗରିବ ଲୋକମାନେ ବିଶେଷ କରି ଆଦିବାସୀ ଓ ଦଳିତ ଲୋକେ ଶୋଷଣ ବିରୋଧରେ ସ୍ଵର ଉତ୍ତୋଳନ କରିବାକୁ ସାହସ ପାଇଥିଲେ ବୋଲି କହିଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ଏଆଇକେଏମଏସ ବ୍ଳକ୍ ସମ୍ପାଦକ ସୁବାଷ କୁଲେସିକା, ଜନ ଆନ୍ଦୋଳନର କର୍ମୀ ସତ୍ୟ ମାହାର, ଆଦିବାସୀ ନେତା ଜିତୁ ଜାକାସିକା, ଡ୍ରିଞ୍ଜା ଜାକାସିକା, ଏଆଇକେଏମଏସ ରାଜ୍ୟ କମିଟି ସଭ୍ୟ କେଦାର ଶବର, ବଳରାମ କୁଦୁଲିଆ, ସାମାଜିକ କର୍ମୀ ପଦ୍ମନାଭ ଚୌଧୁରୀ, ପୁରନ୍ଦର ଦଣ୍ଡସେନା ପ୍ରମୁଖ ବକ୍ତବ୍ୟ ରଖି ହରିବନ୍ଧୁଙ୍କ ସଂଗ୍ରାମୀ ଜୀବନ ଉପରେ ଆଲୋକପାତ କରିଥିଲେ ।

ସଭା ଆରମ୍ଭରେ ହରିବନ୍ଧୁଙ୍କ ପ୍ରତିକୃତିରେ ପୁଷ୍ପମାଲ୍ୟ ପ୍ରଦାନ ସହ ସ୍ମୃତିରେ ଦୁଇ ମିନିଟର ନୀରବତା ଅବଲମ୍ବନ କରାଯାଇଥିଲା । ଆଜିର କାର୍ଯ୍ୟକ୍ରମରେ ସଂଗଠନର ସ୍ଥାନୀୟ ନେତା ନରେଶ ସୁନା, ଗଣେଶ ଜାକାସିକା, ଅଭିମନ୍ୟୁ ମହାନନ୍ଦିଆ ପ୍ରମୁଖ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ରାୟଗଡ଼ା ଜିଲ୍ଲା ରୁ ପ୍ରସନ୍ନ କୁମାର ପଣ୍ଡା ଙ୍କ ରିପୋର୍ଟ ଜିଲ୍ଲା ଖବର।



