
ବ୍ରହ୍ମପୁର , ୧୨/୦୮/୨୨ ( ଜିଲ୍ଲା ଖବର ) : ଆଞ୍ଚଳିକ ବିକାଶ ପରିଷଦ ଓ ବ୍ରହ୍ମପୁର ବନଖଣ୍ଡ ତରଫରୁ କଳିଙ୍ଗ ବିଦ୍ୟା ମନ୍ଦିର ଠାରେ ପରିଷଦର ସଭାପତି ସାଗର କୁମାର ପାତ୍ରଙ୍କ ପୌରହିତରେ ବିଶ୍ୱ ହସ୍ତୀ ଦିବସ ପାଳିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବନ ଖଣ୍ଡ ଅଧିକାରୀ ଅମ୍ଲାନ ନାୟକ ଯୋଗଦେଇ ଥିବା ବେଳେ ସମ୍ନାନିତ ଅତିଥି ଭାବେ ବନାଞ୍ଚଳ ଅଧିକାରୀ ରଜତ ମିଶ୍ର,
ସ୍ବେଛାସେବୀ ବନମାଳୀ ପ୍ରଧାନ,ସର୍ପ ମିତ୍ର ଅରବିନ୍ଦ ଦେଶିବେହେରା, ବିଦ୍ୟାଳୟ ସଭାପତି ଜବାହାର ଲାଲ ପାତ୍ର, ସମ୍ପାଦକ ହରି କୃଷ୍ଣ କୋଠିଆ, ପ୍ରଧାନ ଶିକ୍ଷୟତ୍ରୀ ଶର୍ମିଳା ପଟ୍ଟନାୟକ ପ୍ରମୁଖ ମଞ୍ଚାସିନ ଥିଲେ l ହସ୍ତୀ ସୁରକ୍ଷା ନିମନ୍ତେ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ ଓ ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହେବାସହ କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା l

ପ୍ରକାଶ ଥାଉ କି ପ୍ରତିବର୍ଷ ଅଗଷ୍ଟ ୧୨ ତାରିଖକୁ ବିଶ୍ୱ ହସ୍ତୀ ଦିବସ ରୁପେ ପାଳନ କରାଯାଇଥାଏ । ଓଡିଶାକୁ ଏକଦା ହାତୀଙ୍କ ଏନ୍ତୁଡିଶାଳ ବୋଲି କୁହାଯାଉଥିଲା । ଓଡିଶାର ରାଜା ମହାରାଜା ମାନଙ୍କୁ ଗଜପତି ଉପାଧିରେ ଭୂଷିତ କରାଯାଇଥିଲା ତେବେ ସେହି ଏନ୍ତୁଡିଶାଳ ଆଜି ଅସୁରକ୍ଷିତ । ରାଜ୍ୟରେ କିଛି ବର୍ଷ ହେବ କେଉଁଠି ନା କେଉଁଠି ବିଭିନ୍ନ କାରଣରୁ ହାତୀଙ୍କ ମୃତ୍ୟୁ ହେଉଛି । ଆମ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ବନଖଣ୍ଡ, ଘୁମୁସର ବନଖଣ୍ଡ ରେ ମଧ୍ୟ ହାତୀ ଅଛନ୍ତି ସେମାନଙ୍କ ସୁରକ୍ଷା ଅନିର୍ଵାଯ୍ୟ l ହାତୀଙ୍କ ସୁରକ୍ଷା ପାଇଁ ଆଜିର ଦିନଟିଏ ।ସାଧାରଣତଃ ଜନସଚେତନତା ସୃଷ୍ଟି କରିବା ପାଇଁ ହସ୍ତୀଦିବସ ପାଳନ ହୋଇଥାଏ ।

ଏଣୁ ପ୍ରତିବର୍ଷ ଅଗଷ୍ଟ ୧୨ ତାରିଖକୁ ବିଶ୍ୱହସ୍ତୀ ଦିବସ ଭାବେ ପାଳନ କରାଯାଉଛି । ୨୦୧୨ ମସିହାରେ ଅଗଷ୍ଟ ୧୨ ତାରିଖକୁ ପ୍ରଥମେ ବିଶ୍ୱ ହସ୍ତୀଦିବସ ଭାବେ ପାଳନ କରାଯାଇଥିଲା । ଖଣିଖାଦନ,ଶିଳ୍ପ,ଜଙ୍ଗଲ ମଧ୍ୟରେ ରାସ୍ତାଘାଟ ନିର୍ମାଣ,କାଠ ମାଫିଆଙ୍କ ପ୍ରାଦୁର୍ଭାବ,ଜଙ୍ଗଲ ନଷ୍ଟ ଓ ଜବରଦଖଲ ଆଦି କାରଣରୁ ବ୍ୟାପକ ଜଙ୍ଗଲ ନଷ୍ଟ ହେବା ସହ ହାତୀମାନଙ୍କ ଆଶ୍ରୟସ୍ଥଳୀ,ଚଲାପଥ ଓ କରିଡର ସବୁ ନଷ୍ଟ ହୋଇଯାଇଛି ଫଳରେ ହାତୀମାନେ ପଥ ଭ୍ରଷ୍ଟ ହୋଇ ଖାଦ୍ୟ ଅନ୍ବେଷଣ ରେ ଏଣେତେଣେ ଘୁରି ବୁଲୁଛନ୍ତି । ହାତୀମାନଙ୍କର ଖାଦ୍ୟଭାବ ଦେଖାଦେଉଥିବାରୁ ଜନବସତିମୁହାଁ ହୋଇ ଧନ ଜୀବନ ଫସଲ ହାନି ଘଟୁଛି ।

ଅନେକ ସମୟରେ ପଥ ଭ୍ରଷ୍ଟ ହୋଇ ହାତୀମାନେ ରାସ୍ତାଘାଟ ଓ ରେଳ ଲାଇନ ପାର ହେବା ବେଳେ ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁବରଣ କରୁଛନ୍ତି । ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଅମ୍ଲାନ ନାୟକ କହିଛନ୍ତି ହାତୀମାନଙ୍କ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରିବା ସହ ଲୋକଙ୍କୁ ସଚେତନ ମଧ୍ୟ କରାଯାଉଛି । ଆଜିର କାର୍ଯ୍ୟକ୍ରମରେ ବନ ବିଭାଗର ବନପାଳ ବାବୁ ସେଠି, ରୂପକ ପ୍ରଧାନ, ସୋନୁ ମାନ୍ନା, ବିଜେନ୍ଦ୍ର ମାଝୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l


