
ରାୟଗଡ଼ା , ୧୦/୦୮/୨୨ (ଜିଲ୍ଲା ଖବର) : ରାୟଗଡା ଜିଲ୍ଲର ଲୋକପ୍ରିୟ ଆଦିବାସୀ ନେତା ହରିବନ୍ଧୁ କାଡ୍ରାକା ଆଜି ମୃତ୍ୟୁବରଣ କରିଛନ୍ତି । ସେ କିଛି ଦିନ ଧରି ଗୁରୁତର ଅସୁସ୍ଥତା କାରଣରୁ ଚିକିତ୍ସାଧିନ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୪୮ ବର୍ଷ ହୋଇଥିଲା । ସେ ଅଖିଳ ଭାରତ କିଶାନ୍ ମଜଦୁର୍ ସଭାର ରାୟଗଡା ଜିଲ୍ଲା ସମ୍ପାଦକ ଓ ସିପିଆଇ(ଏମ୍-ଏଲ୍) ନିଉ ଡେମୋକ୍ରାସୀ ପାର୍ଟିର ଆଞ୍ଚଳିକ କମିଟି ସଦସ୍ୟ ଥିଲେ । ଗତ ଦେଢ ଦଶକରୁ ଉର୍ଦ୍ଧ୍ବ ସମୟ ଧରି ସେ ରାୟଗଡା ଜିଲ୍ଲା ବିଶେଷ କରି ମୁନିଗୁଡା ଅଞ୍ଚଳରେ ଚାଷୀ ମୂଲିଆ, ଆଦିବାସୀ ଓ ଦଳିତଙ୍କ ଜମି ଓ ଜଙ୍ଗଲ ଉପରେ ଅଧିକାର ପାଇଁ ସକ୍ରିୟ ରହିଥିଲେ । ୨୦୦୫ ମସିହାରେ ତାଙ୍କ ନେତୃତ୍ୱରେ ମୁନିଗୁଡା ବ୍ଳକର ପାତ୍ରଗୁଡା, ଶିବପଦର ଆଦି ପଞ୍ଚାୟତର ବିଭିନ୍ନ ଗ୍ରାମରେ ଭୂମିହୀନ ଆଦିବାସୀ ଓ ଦଳିତ ଲୋକେ ଲୋକ ସଂଗ୍ରାମ ମଞ୍ଚ ପତାକା ତଳେ ସଂଗଠିତ ହୋଇ ସ୍ଥାନୀୟ ପ୍ରଭାବଶାଳୀ ସାହୁକାରମାନଙ୍କ ବେଆଇନ କବଜାରେ ଥିବା ଶହ ଶହ ଏକର ଜମିକୁ ଦଖଲ କରିଥିଲେ । ଜମି ଲଢେ଼ଇର ନେତୃତ୍ୱ ନେଇ ସେ ଅନେକ ଥର ମିଥ୍ୟା ମକଦ୍ଦମାର ଶିକାର ହୋଇ ଜେଲ ଯାଇଥିଲେ । ପରେ ଲୋକ ସଂଗ୍ରାମ ମଞ୍ଚ ସର୍ବଭାରତୀୟ କୃଷକ ସଙ୍ଗଠନ ଅଖିଳ ଭାରତ କିଶାନ୍ ମଜଦୁର୍ ସଭାରେ ବିଲୀନ ହେବା ପରେ ସେ ତାର ବ୍ଳକ୍ ସଭାପତି ଓ ରାୟଗଡା ଜିଲ୍ଲା ସମ୍ପାଦକ ରହିଥିଲେ ।

ନିୟମଗିରିରେ ବେଦାନ୍ତ କମ୍ପାନୀର ପ୍ରସ୍ତାବିତ ବକ୍ସାଇଟ ଖଣି ଖନନ ବିରୋଧରେ ଆଦିବାସୀଙ୍କୁ ସଂଗଠିତ କରିବାରେ ତାଙ୍କର ଏକ ପ୍ରମୁଖ ଭୂମିକା ରହିଥିଲା । ବିଶେଷ କରି ସୁପ୍ରିମକୋର୍ଟ ନିର୍ଦ୍ଦେଶିତ ଐତିହାସିକ ପଲ୍ଲିସଭାକୁ ସଫଳ କରି ବେଦାନ୍ତ କମ୍ପାନୀର ପ୍ରସ୍ତାବିତ ଖଣି ଖନନକୁ ରୋକିବାରେ ଡଙ୍ଗରିଆ ଆଦିବାସୀଙ୍କୁ ପୂର୍ଣ୍ଣ ସହଯୋଗ କରିଥିଲେ । ସେଥିପାଇଁ ତାଙ୍କୁ ରାଷ୍ଟ୍ର ଦମନର ଶୀକାର ହୋଇ ମିଥ୍ୟା ମାଓବାଦୀ କେସରେ ଜେଲ ମଧ୍ୟ ଯିବାକୂ ପଡିଥିଲା । ନିକଟରେ ସେ ଦିଲ୍ଲୀରେ ଏଆଇକେଏମଏସ୍ ପକ୍ଷରୁ ଜଙ୍ଗଲ ସଂରକ୍ଷଣ ନିୟମାବଳୀ- ୨୦୨୨ର ପ୍ରତ୍ୟାହାର ଦାବିରେ ଆୟୋଜିତ ପାର୍ଲିଆମେଣ୍ଟ ମାର୍ଚ୍ଚରେ ଜିଲ୍ଲାର ଅନ୍ୟ ଆଦିବାସୀ ନେତାମାନଙ୍କ ସହ ଯାଇ ଯୋଗ ଦେଇଥିଲେ ।
ହରିବନ୍ଧୁଙ୍କ ଅକାଳ ବିୟୋଗ ସମାଜର ଗରିବ ଓ ବଞ୍ଚିତ ଲୋକଙ୍କ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ସିପିଆଇ(ଏମ-ଏଲ୍) ନିଉ ଡେମୋକ୍ରାସୀ ଓଡିଶା ରାଜ୍ୟ କମିଟି ପକ୍ଷରୁ ଏକ ବିବୃତିରେ କୁହାଯାଇଛି । ପାର୍ଟିର ମୁଖପାତ୍ର ଭାଲଚନ୍ଦ୍ର ଷଡ଼ଙ୍ଗୀ ତାଙ୍କର ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିବା ସହ ସମାଜର ଗରିବ ଓ ନିର୍ଯ୍ୟାତିତ ଲୋକଙ୍କ ପାଇଁ ସେ ସର୍ବଦା ସଂଗ୍ରାମ କରୁଥିଲେ ବୋଲି କହିଛନ୍ତି ଏବଂ ତାଙ୍କର ପରିବାର ବର୍ଗ ଓ ସାଥିମାନଙ୍କୁ ସମବେଦନା ଜ୍ଞାପନ କରିଛନ୍ତି ।
ଆଜି ଅପରାହ୍ନରେ ତାଙ୍କ ମୃତ ଦେହକୁ ଶହ ଶହ ଲୋକଙ୍କ ଗହଣରେ ଶୋଭାଯାତ୍ରାରେ ନେବା ସହ ପୂର୍ଣ ମର୍ଯ୍ୟାଦାର ସହ ସତ୍କାର କରାଯାଇଛି । ରାୟଗଡ଼ା ଜିଲ୍ଲା ରୁ ପ୍ରସନ୍ନ କୁମାର ପଣ୍ଡା ଙ୍କ ରିପୋର୍ଟ ଜିଲ୍ଲା ଖବର।



