Home ଆଞ୍ଚଳିକ ନୂଆ ପୃଥିବୀ…

ନୂଆ ପୃଥିବୀ…

185
ଶାନ୍ତିଲତା ସେଠୀ (ଶିକ୍ଷୟିତ୍ରୀ) କଲେଜ ଛକ,ଆସିକା, ଗଞ୍ଜାମ

ନୂଆ ପୃଥିବୀ

ନୂଆ ସମ୍ଭାବନା ନୂଆ ଆଶା ନେଇ

ଆସ ହେ ନୂଆ ବରଷ

ସବୁରି ଜୀବନେ ଭରିଦେଇ ଖୁସି

ଓଠେ ଭରିଦେଇ ହସ ।

ନୂତନ ସୂର୍ଯ୍ୟର ରକ୍ତିମ ଆଭାରେ

ଧରାହେଉ ପୁଲକିତ

ମଣିଷ ମନରୁ ପ୍ରତିହିଂସା ବହ୍ନି

ହୋଇଯାଉ ନିର୍ବାପିତ ।

ବିଶ୍ୱଭାତୃଭାବ ଭାବନାକୁ ନେଇ

କରିବା ଆସ ଶପଥ

ଭରତ ଭୂଇଁକୁ ସରଗ କରିବା

ହାତରେ ମିଶାଇ ହାତ ।

ନୂଆ ବରଷରେ ନୂତନ ରୂପରେ

ଗଢିବା ନୂଆଁ ପୃଥିବୀ ସତ୍ୟ,ଧର୍ମ,ନ୍ୟାୟ ସ୍ନେହ ଶରଧାର

ଥିବଖାଲି ପ୍ରତିଛବି ।

ହିନ୍ଦୁ,ମୁସଲମାନ ଜୈନ,ଖ୍ରୀଷ୍ଟିଆନ

ଆମେ ସବୁ ଭାଇ ଭାଇ

ଭାରତ ମାତାର ସନ୍ତାନ ଆମେରେ

ଚଳିବାରେ ଏକ ହୋଇ ।

ଶାନ୍ତିର ବାରତା ବାଣ୍ଟିବା ସଭିଙ୍କୁ

ଅଶାନ୍ତିକୁ କରିହତ

ପର,ଆପଣାର ଭେଦଭାବ ଭୁଲି

ସଭିଏଁ ବସିବା ମିତ ।

ନାରୀ ମାଂସଲୋଭୀ ରାକ୍ଷସ ମନରେ

ଉଦ୍ରେକ ହେଉ ଚେତନା

ନାରୀ ଶକ୍ତିମୟୀ ଦେବୀଦଶଭୂଜା

ନ ଭାବ ତାକୁ ତାକୁ ଖେଳଣା ।

ନାରୀ ଆଖି ନିଆଁ ଜାଳିବ ଦୁନିଆ

ତ୍ରାହି ପାଇବନି କେହି

ଏଣୁ ସାବଧାନ କର ତା ସମ୍ମାନ

ତାକୁ ଦୁଃଖ ଦିଅ ନାହିଁ ।

ଅନ୍ୟାୟ,ଅକୀର୍ତ୍ତି ଅପସରି ଯାଉ

ସ୍ୱର୍ଗହେଉ ମର୍ତ୍ତ୍ୟମାଟି

ଯାଉ ଲିଭିଯାଉ ଯେତେ ଦୁଃଖ ଦାଉ

ହସୁ ସ୍ରଷ୍ଟାଙ୍କର ସୃଷ୍ଟି ।

…………………………………..

ଶାନ୍ତିଲତା ସେଠୀ (ଶିକ୍ଷୟିତ୍ରୀ), କଲେଜ ଛକ,ଆସିକା, ଗଞ୍ଜାମ