Monday, October 12, 2026
Home ଆଞ୍ଚଳିକ ବର୍ଦ୍ଧିତ ଘର ଟିକସ ଆଦାୟ ଓ ଖଲିକୋଟ କଲେଜର ଇତିହାସକୁ ବିକୃତ କରିବା ବନ୍ଦ କର...

ବର୍ଦ୍ଧିତ ଘର ଟିକସ ଆଦାୟ ଓ ଖଲିକୋଟ କଲେଜର ଇତିହାସକୁ ବିକୃତ କରିବା ବନ୍ଦ କର ।

77


ବ୍ରହ୍ମପୁର , ୨୭/୦୭/୨୨ ( ଜିଲ୍ଲା ଖବର ) : ବ୍ରହ୍ମପୁର ପୌର ନିଗମ ଥରକୁଥର ବର୍ଦ୍ଧିତ ହାରରେ ଘର ଟିକସ ଆଦାୟ କରି ସାଧାରଣ ଲୋକଙ୍କୁ ଭୂଆଁ ବୁଲାଇବା ଉଦ୍ୟମ କରୁଛନ୍ତି। ଗତ ତିନି ବର୍ଷ ଧରି ଏହି ଅଭ୍ୟାସ ଜାରି ରଖିଛନ୍ତି। ଏହା ଅତ୍ୟନ୍ତ ଦୁର୍ଭାଗ୍ଯଜନକ। କୋଭିଡ କଟକଣା ପୂର୍ବରୁ ଗତ ୨୦୨୦ ରେ ଘର ଟିକସ ବର୍ଦ୍ଧିତ ହାରରେ ଆଦାୟ କରିଥିଲେ। କଂଗ୍ରେସ ଏହାର ବିରୋଧ କରି ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇଥିଲା। ହାଇକୋର୍ଟ ନିର୍ଦେଶ ଅନୁସାରେ ବର୍ଦ୍ଧିତ ଟିକସ ଆଦାୟ ସ୍ଥଗିତ ରଖିଥିଲା ବିଏମସି । ପୁରୁଣା ଦରରେ ଟିକସ ଆଦାୟ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। କୋଭିଡ କଟକଣା ସାମାନ୍ୟ କୋହଳ ହେବା ପରେ ଲୋକ ଅଣ୍ଟା ସଳଖିବା ପୂର୍ବରୁ ଏବେ ପୁଣି ଟିକସ ବୋଝ ଲଦି ଦେଇଛନ୍ତି ପୌର କତୃପକ୍ଷ ।


ଗୃହ ଟିକସ ବୃଦ୍ଧି କରିବା ପୂର୍ବରୁ ଆଇନ ଅନୁସାରେ ପୌର ନିଗମ ଜନଶୁଣାଣୀ କରିନାହିଁ। କେଉଁ ଏରିଆରେ କେଉଁ ପ୍ରକାର ଘରକୁ କେତେ ପରିମାଣ ଟିକସ ଦେବାକୁ ପଡ଼ିବ ତାହା ଲୋକଙ୍କୁ ଜଣାଇବା ପାଇଁ ବିଜ୍ଞପ୍ତି ପ୍ରକାଶ କହିନାହାନ୍ତି। ଗୃହ ଟିକସ ଆଦାୟର ମାନଦଣ୍ଡ ନିର୍ଦ୍ଧାରଣ ହୋଇନି। ସାଧାରଣ ଲୋକଙ୍କ ମତାମତକୁ ଉପେକ୍ଷା କରି ଜୁଲମ୍ ଚଳାଇଛି ବିଏମସି। ଇଚ୍ଛା ମୁତାବକ ପ୍ରତି ଘରକୁ ଶହେରୁ ଚାରି ଶହ ପ୍ରତିଶତ ଟିକସ ଆଦାୟ କରିବାକୁ ନୋଟିସ ଜାରି କରିଛି ବିଏମସି। ଏଭଳି ଅଗଣତାନ୍ତ୍ରିକ ଓ ବେଆଇନ ଘର ଟିକସ ଆଦାୟକୁ କଂଗ୍ରେସ ବିରୋଧ କରୁଛି।
ବିକାଶ ନାଁରେ ହରିଲୁଟ ଚାଲିଛି। ସବୁଠି ଦୁର୍ନୀତିର ଗନ୍ଧ। ଲୋକଙ୍କୁ ସର୍ବନିମ୍ନ ମୌଳିକ ସୁବିଧା ଯୋଗାଇବାରେ ବିଫଳ ହୋଇଥିବା ବିଏମସି ବର୍ଦ୍ଧିତ ହାରରେ ଘର ଟିକସ ଆଦାୟ କରିବା ଅଧିକାର ନାହିଁ। ଏଭଳି ଜନବିରୋଧୀ କାର୍ଯ୍ୟରୁ ପୌର ନିଗମ କ୍ଷାନ୍ତ ରହୁ। ନଚେତ୍ କଂଗ୍ରେସ ଆସନ୍ତା ଅଗଷ୍ଟ 3 ତାରିଖରେ ବ୍ରହ୍ମପୁର ମାହାନଗର ନିଗମକୁ ଘେରାଉ କରିବ ବୋଲି କଂଗ୍ରେସ ନେତା ତଥା ଆଇନଜୀବି ପୀତବାସ ପଣ୍ଡା ଆଜି ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।


ଅନ୍ୟପକ୍ଷରେ ବ୍ରହ୍ମପୁରର ଖଲ୍ଲିକୋଟ କଲେଜର ଏୈତିହାସକୁ ସରକାର ଧ୍ଵଂସ ମୁଖକୁ ଠେଲିଦେବାକୁ ଉଦ୍ୟମ କରିଛନ୍ତି। ଏପରିକି ୧୪୪ ବର୍ଷର ପୁରୁଣା ଖଲିକୋଟ କଲେଜ ସମ୍ମୁଖରେ ଥିବା ନାମ ଫଳକ ବିକୃତିକରଣ କରିଛନ୍ତି। ୧୮୭୮ ରେ ପ୍ରତିଷ୍ଠା ହୋଇଥିବା ଖଲ୍ଲିକୋଟ କଲେଜ ଫଳକରେ ବିଭ୍ରାନ୍ତ କରାଯାଇଛି। କଲେଜ ସ୍ଥାନରେ ବିଶ୍ୱବିଦ୍ୟାଳୟ ଲେଖାଯାଇ ପ୍ରତିଷ୍ଠା ବର୍ଷ ୨୦୨୧ ଲେଖାଯାଇଛି। ତେବେ ଦେଢ ଶହ ବର୍ଷ ପୂର୍ବର ଖଲିକୋଟ କଲେଜ ଇତିହାସକୁ ମାଟିରେ ମିଶାଇ ନିଜର ସ୍ତୁତି ଗାନ କରିବାକୁ ହୀନ ପ୍ରଚେଷ୍ଟା କରିଛି ଶାସକ ଦଳ। ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଫଳକ ଲାଗିବାରେ ଅସୁବିଧା ନାହିଁ। ଦ୍ଵିତୀୟ ଫାଟକରେ ଲଗାଯାଇ ପାରେ। କିନ୍ତୁ ରାଜ୍ୟର ଶହ ଶହ ବିଦ୍ଵାନ ସ୍ରୁଷ୍ଟି କରୁଥିବା ଏହି ଏୈତିହାସିକ କଲେଜ ବିନିମୟରେ ଫଳକ ବଦଳାଇଲେ ଇତିହାସ କ୍ଷମା ଦେବନି। ସରକାର ଏଭଳି କଳାପାହାଡ ନୀତିରୁ ତୁରନ୍ତ ଦୁରେଇ ରହି ପୂର୍ବବତ୍ ନାମ ଫଳକ ତିଆରି କରିବାକୁ ଦାବି କରୁଛୁ।
ଅତଏବ ଆସନ୍ତା ଅଗଷ୍ଟ ୪ ତାରିଖ ସୁଦ୍ଧା ସରକାର ଓ କଲେଜ କତୃପକ୍ଷ ନାମଫଳକ ପୂର୍ବବତ ନ ରଖିଲେ କଲେଜ ଆଗରେ କଂଗ୍ରେସ ଦଳ ଅନିଦ୍ଧିଷ୍ଟ କାଳ ପଯ୍ୟନ୍ତ ପ୍ରତିଦିନ ସକାଳ ୧୧ ଘଣ୍ଟା ରୁ ୧ ଘଣ୍ଟା ପର୍ଯ୍ୟନ୍ତ ସତ୍ୟାଗ୍ରହ କରିବ l ଆଜି ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଣ୍ଡାଙ୍କ ସମେତ କଂଗ୍ରେସ ନେତା ଭୋକାଲି ସେଠୀ, ବୃନ୍ଦାବନ ଖଟେଇ, ଏସ. ଦଣ୍ଡପାଣି ପାତ୍ର, ମହେଶ୍ୱର ପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ l