Tuesday, October 13, 2026
Home ଆଞ୍ଚଳିକ ସାଂସଦଙ୍କ ଗାଁ ର କରୁଣ ଚିତ୍ର,ଏକ କିମି ଖଟିଆ ବୁହା ହେଲେ ଗର୍ଭବତୀ ମାଁ ।

ସାଂସଦଙ୍କ ଗାଁ ର କରୁଣ ଚିତ୍ର,ଏକ କିମି ଖଟିଆ ବୁହା ହେଲେ ଗର୍ଭବତୀ ମାଁ ।

148

ଖଟିଆ ଚନ୍ଦାହାଣ୍ଡି , ୨୫/୦୭/୨୨ ( ଜିଲ୍ଲା ଖବର ) : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକରେ ଜନନୀ ଯନ୍ତ୍ରଣା ଥମିବାର ନାଁ ନେଉ ନାହିଁ। ଗତ ସପ୍ତାହରେ ଏହି ବ୍ଲକର ଗୋରଝରିଆ ଗ୍ରାମରୁ ଜନନୀ ଯନ୍ତ୍ରଣାର କରୁଣ ଚିତ୍ର ଲୋକ ଲୋଚନ ଆସିଥିବା ବେଳେ ପୁଣି ଏକ କରୁଣ ଚିତ୍ର ଆଜି ସାମନାକୁ ଆସିଛି। ଏ ଥର କିନ୍ତୁ କୌଣସି ଉପାନ୍ତ ଅଞ୍ଚଳ କି କୌଣସି ଜଙ୍ଗଲୀ ଗ୍ରାମର ଏହି ଘଟଣା ନୁହେଁ। ଏଭଳି ଦୃଶ୍ୟ ଦେଖିବାକୁ ଖୋଦ ସାଂସଦ ରମେଶ ମାଝୀ ଓ ବିଧାୟକ ପ୍ରକାଶ ମାଝୀଙ୍କ ନିଜ ପଞ୍ଚାୟତ ଧୋଡିପାଣୀ ପଞ୍ଚାୟତର ଲୁହାବାହେଲୀ ଗ୍ରାମର ଭୋଇପଡ଼ା ସାହିରୁ। ଆଜି ଲୁହାବାହେଳୀ ଗ୍ରାମର ଯଶୋବନ୍ତ ମାଝୀଙ୍କ ସ୍ତ୍ରୀ ତପସ୍ଵିନୀ ମାଝୀଙ୍କ ପ୍ରସବ ବେଦନା ହେବାରୁ ପରିବାର ତରଫରୁ ଆମ୍ବୁଲାନ୍ସକୁ ଯୋଗାଯୋଗ କରାଯାଇଥିଲା। ତେବେ ରାସ୍ତା ଖରାପ ଥିବାରୁ ଆମ୍ବୁଲାନ୍ସ ପଡ଼ା ପାଖକୁ ଯାଇ ନ ପାରି ୧ କିମି ଦୂର ଲୁହବାହେଲି ଠାରେ ଅଟକି ରହିଥିଲା। ଏହାପରେ ପରିବାର ଲୋକେ ବାଧ୍ୟ ହୋଇ ଏକ ଖଟିଆରେ ଡୋଳା ସହାୟତାରେ ଆମ୍ବୁଲାନ୍ସ ନିକଟକୁ ଆଣି ସ୍ଥାନୀୟ ଚନ୍ଦାହାଣ୍ଡି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଡାକ୍ତରଖାନାରେ ମହିଳା ଜଣକ ସନ୍ତାନ ଜନ୍ମ ଦେଇଥିବା ଜଣାପଡିଛି। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ମହିଳା ସଶକ୍ତିକରଣ ନାଁରେ ବିଭିନ୍ନ ସ୍ଲୋଗାନ ଦେଇ ବିକାଶର ଡିଣ୍ଡିମ ପିଟୁ ଥିବାବେଳେ ସରକାରଙ୍କ ସବୁ ଯୋଜନା ଯେ ଏଠାରେ ଫେଲ ମାରିଛି। ଗ୍ରାମାଞ୍ଚଳର ରାସ୍ତା ନିର୍ମାଣ କରିବା ନିମନ୍ତେ ସରକାର କୋଟି କୋଟି ଟଙ୍କା ବିଭିନ୍ନ ଯୋଜନାରୁ ବ୍ୟୟ ବରାଦ କରୁଥିବା ବେଳେ ଆଜି ପର୍ଯ୍ୟନ୍ତ ଯେ ଚନ୍ଦାହାଣ୍ଡି ବ୍ଲକର ଗ୍ରାମାଞ୍ଚଳରେ ବିକାଶ ଅପହଞ୍ଚ ହୋଇ ରହିଛି ତାହା ଏହି ଚିତ୍ରରୁ ସ୍ପଷ୍ଟ ହୋଇ ପଡ଼ିଛି। ଅନ୍ୟ ପକ୍ଷରେ ଖୋଦ ସାଂସଦ ରମେଶ ମାଝୀ ସେହି ପଞ୍ଚାୟତରୁ ସମିତି ସଭ୍ୟ ଭାବେ ନିଜର ରାଜନୈତିକ ଜୀବନ ଆରମ୍ଭ କରି ନିଜର ୨୦ ବର୍ଷରୁ ଉର୍ଦ୍ଧ ରାଜନୈତିକ କାଳ ମଧ୍ୟରେ ବିଧାୟକ ମନ୍ତ୍ରୀ ଓ ବର୍ତ୍ତମାନ ସାଂସଦ ରହିଥିବା ଓ ବର୍ତ୍ତମାନ ତାଙ୍କ ସାନ ଭାଇ ପ୍ରକାଶ ମାଝୀ ନିଜେ ବିଧାୟକ ରହିଥିବା ବେଳେ ଯଦି ତାଙ୍କ ନିଜ ପଞ୍ଚାୟତର ଏଭଳି ଚିତ୍ର ଆସୁଛି ତେବେ ଅନ୍ୟ ଅଞ୍ଚଳର ବିକାଶର ଚିତ୍ର ନ କହିବା ଭଲ। ସେହିଭଳି ନବରଙ୍ଗପୁର ଜିଲ୍ଲାକୁ ବାୟୁ ସ୍ବାସ୍ଥ୍ୟ ସେବା ଯୋଜନାରେ ସାମିଲ କରା ଯାଇଥିବା ନେଇ ବାହାସ୍ପଟ ମାରୁଥିବା ବେଳେ ସାଂସଦ ବିଧାୟକଙ୍କ ନିଜ ପଞ୍ଚାୟତର ଏଭଳି ଦାରୁଣ ଜନନୀ ଯତ୍ରଣା ସବୁ ଯୋଜନାକୁ ପାଣି ଫୁଟୁକା ଭଳି ମିଳେଇ ଦେଇଛି। ଅନ୍ୟ ପକ୍ଷରେ ଏହି ପ୍ରସଙ୍ଗ ଉପରେ ପ୍ରତିକ୍ରିୟା ଦେଇ ପିସିସି ସମ୍ପାଦକ କ୍ଷେମରାଜ ବାଘ ବର୍ତ୍ତମାନ ଚନ୍ଦା ହାଣ୍ଡି ବ୍ଲକ ଜନନୀ ଯନ୍ତ୍ରଣା ନିମନ୍ତେ ପରିଚିତ ହେଉଛି। ଏଇଠି ସଂଖ୍ୟାଧିକ ଗ୍ରାମକୁ ବର୍ଷା ଦିନ ଆସିଲା ପରେ ପାଦ ଚଲା ରାସ୍ତା ଖଣ୍ଡେ ମଧ୍ୟ ନାହିଁ। ଯଦି ସାଂସଦ ବିଧାୟକଙ୍କ ନିଜ ଗାଁ ନିଜ ପଞ୍ଚାୟତରୁ ଏଭଳି ଯମ ଯନ୍ତ୍ରଣା ଲୋକ ଭୋଗ କରୁଛନ୍ତି ତେବେ ସାଂସଦ ବିଧାୟକ କେଉଁ କାମ ରେ ବୋଲି ପ୍ରକାଶ କରିଛନ୍ତି।