
ଭଞ୍ଜନଗର, ୨୨/୦୭/୨୨ ( ଜିଲ୍ଲା ଖବର ) : ଗତତ କିଛି ଦିନ ହେଲା ଶିକାରୀ ମାନେ ପୁଣିଥରେ ସକ୍ରିୟ ହୋଇ ଉତ୍ତର ଘୁମୁସର ବନଖଣ୍ଡର ବିଭିନ୍ନ ସ୍ଥାନରୁ ବନ୍ୟ ଜନ୍ତୁ ଶିକାର କରିବାର ନଜର ଆସିଛି।
ସୂଚନା ଅନୁସାରେ ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଜଗନ୍ନାଥ ପ୍ରସାଦ ଓ ବେଳଗୁଣ୍ଠା ରେଞ୍ଜର କଅନ୍ଧ ନୂଆ ପଲ୍ଲୀ ଗ୍ରାମର ଏକ କାଜୁ ଜଙ୍ଗଲ ମଧ୍ୟରେ ଏକ ହାତୀ ମରି ପଡିଥିବା କିଛି ଲୋକ ବୁଧବାର ସକାଳେ କଥାବାର୍ତ୍ତା ହେଉଥିଲେ।


ଏସମ୍ପର୍କରେ ସୂଚନା ପାଇ ଆମ ପ୍ରତିନିଧିଙ୍କ ଜଙ୍ଗଲ ବିଭାଗ କର୍ମଚାରୀଙ୍କ ସହ ଯୋଗାଯୋଗ କରିଥିଲେ।ହେଲେ ସେମାନଙ୍କ ନିକଟରେ କୌଣସି ସୂଚନା ନଥିବା ଜଣାଇଥିଲେ।ପରେ ଘଟଣାସ୍ଥଳରେ କିଛି ଗ୍ରାମବାସୀ ଦୁର୍ଗନ୍ଧ ବହାରୁଥିବାର ଦେଖି ପହଞ୍ଚି ଅନୁସନ୍ଧାନ କରିବାରୁ ସେଠାରୁ ଏକ ଗୁଳି ବିଦ୍ଧ ହାତୀର ଗଳିତ ମୃତ ଦେହ ପଡିଥିବା ଦେଖିବାକୁ ମିଳିଥିଲା।ହାତୀଟିର ମୃତ୍ୟୁ ପରେ ଶିକାରୀ ମାନେ ତାର ଦାନ୍ତକୁ କାଟି ନେଇ ଚାଲି ଯାଇଥିବା ଜଣାପଡିଛି।ହାତୀଟି ପଚି ଶଢ଼ୀ ପୋକ ସାଲୁବାଲୁ ହୋଇଥିଲା।


ସନ୍ଧ୍ୟାରେ କୌଣସି ସୂତ୍ରରୁ ଖବର ପାଇ ବନ କର୍ମଚାରୀ ମାନେ ସେଠାରେ ପହଞ୍ଚି ଘଟଣାର ତଦନ୍ତ କରି ଫେରିଛନ୍ତି। ମୃତ ହାତୀର ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡ଼ିଛି।ହେଲେ ହାତୀ ମୃତ୍ୟୁକୁ ଦୀର୍ଘ ତିନି ଦିନରୁ ଉର୍ଦ୍ଧ୍ବ ସମୟ ବିତିଯାଇଥିଲେ ମଧ୍ୟ ବନ ବିଭାଗ ନିକଟରେ ଖବର ନଥିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା।


ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ବନ ବିଭାଗର ଦାୟିତ୍ବହୀନତା ଲାଗି ସେସବୁ ସମ୍ଭବ ହୋଇପାରୁ ନଥିବା ଜଣାପଡିଛି।ସେପଟେ ବନ ବିଭାଗ ranger ଉମାକାନ୍ତ ଦଶକୋଣସି ସୂଚନା ଦେବାକୁ ମନା କରିଥିଲେ।ଆଗରୁ ଅଳ୍ପ ଦିନ ତଳେ ଦୁଇଟି ହାତୀର ଗଳିତ ମୃତଦେହ ମୁଜଗଡ଼ ଜଙ୍ଗଲ ରୁ ଉଦ୍ଧାର ହୋଇଥିଲା ।


ଏ ସବୁ ଘଟଣା ରୁ ଜଣାପଡୁଛି ଯେ ଜଙ୍ଗଲ ବିଭାଗ କର୍ମଚାରୀ ଓ ଶିକାରୀ ମାନଙ୍କ ମଧୁଚନ୍ଦ୍ରିକା ରେ ବଳି ବଡୁଛନ୍ତି ନିରୀହ ହାତୀ।ଗୋଟେ ପଟ ଜଙ୍ଗଲ ବିଭାଗ କର୍ମଚାରୀ ମାନଙ୍କୁ ସେମିତି କୌଣସି ଅସ୍ତ୍ର ଶସ୍ତ୍ର ପ୍ରୟୋଗ କ୍ଷମତା ଦିଆଯାଇନାହିଁ ଯାହାଫଳରେ ଶିକାରୀ ମାନଙ୍କ ଭୟ ରହୁନି କିମ୍ବା ସୁରକ୍ଷା କ୍ଷେତ୍ରରେ ଅବହେଳା ଯୋଗୁଁ ଏପରି ଘଟଣା ଘଟୁଛି।
ଭଞ୍ଜନଗରରୁ ପୁରୁଷୋତ୍ତମ ମହାପାତ୍ରଙ୍କ ରିପୋର୍ଟ ଜିଲ୍ଲା ଖବର ।



