ଶସ୍ୟ କ୍ଷେତ୍ରରୁ ନିଷ୍କାସିତ ହୋଇପାରୁନି ବର୍ଷା ପାଣି ।

68

ବେଲଗୁଣ୍ଠା, ୧୬/୦୭/୨୨ ( ଜିଲ୍ଲା ଖବର ) : ଜଳ ସେଚନ ବିଭାଗୀୟ ଯନ୍ତ୍ରୀ ମାନଙ୍କ ଭୂଲ୍ ର ପରିଣାମ ଭୋଗ କରୁଛନ୍ତି ବେଲଗୁଣ୍ଠା ବ୍ଳକ୍ ନେଟଙ୍ଗା ରାଜସ୍ଵ ସର୍କଲ ଅନ୍ତର୍ଗତ କୁଶପଲ୍ଲୀ ଗ୍ରାମର ଚାଷୀ ମାନେ I ବିଭିନ୍ନ ସମୟରେ ସେମାନଙ୍କ ଶସ୍ୟ କ୍ଷେତ୍ରରୁ ବର୍ଷା ପାଣି ନିଷ୍କାସିତ ନହୋଇପାରିବା ଫଳରେ ହେକ୍ଟର ହେକ୍ଟର ଜମିରେ ଫସଲ ନଷ୍ଟ ହେଉଥିବା ଦେଖିବାକୁ ମିଳିଛି I ବିଶେଷ କରି ଗତ କିଛି ଦିନର ଲଗାଣ ବର୍ଷା ଯୋଗୁଁ କୁଶପଲ୍ଲୀ ଗ୍ରାମର ଚାଷୀ ମାନଙ୍କ ଧାନ କ୍ଷେତରେ ପାଣି ଜମି ରହି ତଳି ଗୁଡ଼ିକ ପଚି ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି I

ସୂଚନା ପ୍ରକାରେ ବର୍ଷା ଜଳ ସହିତ ଡହ ଜଳ ଭଣ୍ଡାରର ବଳକା ପାଣି, ଭାଲିଆଖାଇ,କଇଁଣ୍ଡି,ହଂସନପଲ୍ଲୀ, ମୁଦୁଲୀପଲ୍ଲୀ ଏବଂ ଶାଳୁଆପଲ୍ଲୀ ଗ୍ରାମରୁ ପାଣି ବୋହି ଆସି କୁଶପଲ୍ଲୀ ଠାରେ ଲୋହରାଖଣ୍ଡି ନଦୀକୁ ନିଷ୍କାସିତ ହେଉଛି I କିନ୍ତୁ ଏହି ପାଣି ନିଷ୍କାସନ ପାଇଁ ଘରେ ବ୍ୟବହାର କରାଯାଉଥିବା ଛୋଟ ନଳ ଖଞ୍ଜା ଯାଇଛି I ଫଳରେ ଏହି ନଳ ଦେଇ ପାଣି ନିଷ୍କାସନ ହେବା ଅସମ୍ଭବ ହୋଇ ପଡ଼ିଛି I ବିଶେଷ କରି କୁଶପଲ୍ଲୀ ଗ୍ରାମର ଚାଷୀ ମାନେ ଗରୀବ ଏବଂ କ୍ଷୁଦ୍ର ଚାଷୀ ଶ୍ରେଣୀର ହୋଇଥିବା ବେଳେ ବର୍ଷ ଆରମ୍ଭରୁ ହିଁ ସେମାନଙ୍କର ତଳି ପଚିଯିବା ଘଟଣା ସେମାନଙ୍କ ଆର୍ଥିକ ସ୍ଥିତିକୁ ଦୋହଲାଇ ସାରିଲାଣି I

ଏନେଇ ସ୍ଥାନୀୟ ବାସୀନ୍ଦା ବେଲଗୁଣ୍ଠା ତହସିଲଦାର ଏବଂ ଭଞ୍ଜନଗର ଉପଜିଲ୍ଲାପାଳଙ୍କୁ ଜଣାଇବା ସହିତ ପ୍ରଭାବିତ ଚାଷୀଙ୍କ ପାଇଁ କ୍ଷତି ପୂରଣ ଦାବି କରିଛନ୍ତି I ବିଶେଷ କରି ଏହି ସମସ୍ୟା ପାଇଁ ଚାଷୀମାନେ ବିଭାଗୀୟ ଯନ୍ତ୍ରୀ ମାନଙ୍କ ମନମୁଖୀ ଏବଂ ଅଭିଜ୍ଞତା ହୀନ କାର୍ଯ୍ୟକୁ ଦାୟୀ କରିଛନ୍ତି I ତେଣୁ ଏହି ସମସ୍ୟାର ତୁରନ୍ତ ସମାଧାନ ପାଇଁ ସେମାନେ ଦାବି କରିଛନ୍ତି I