Home ଆଞ୍ଚଳିକ ସାମ୍ବାଦିକାଙ୍କୁ ଆକ୍ରମଣ ନେଇ ବ୍ରହ୍ମପୁରରେ ପ୍ରତିବାଦ

ସାମ୍ବାଦିକାଙ୍କୁ ଆକ୍ରମଣ ନେଇ ବ୍ରହ୍ମପୁରରେ ପ୍ରତିବାଦ

43

ବ୍ରହ୍ମପୁର,୨୯/୧୨ (ବିଜୟ କୁମାର ଗୌଡ଼) ; ଭୁବନେଶ୍ୱରରେ ଏସ୍‌ପ୍ଲାନେଡ୍‌ ମଲ୍‌ରେ ସାମ୍ବାଦିକା ସ୍ୱାତି ଜେନା ଏବଂ କ୍ୟାମେରା ମ୍ୟାନ ପ୍ରମୋଦ କୁମାର ମହାପାତ୍ରଙ୍କୁ ଦୁର୍ବ୍ୟବହାର ଏବଂ ଆକ୍ରମଣ ଘଟଣାକୁ ବ୍ରହ୍ମପୁର ସାମ୍ବାଦିକ ସଂଘ ପକ୍ଷରୁ ନିନ୍ଦା କରାଯାଉଛି । ବେଆଇନ ପାର୍କିଂ ଫି ଆଦାୟ ହେଉଥିବାକୁ ନେଇ ଖବର ସଂଗ୍ରହ କରିବାକୁ ଯାଇଥିବାବେଳେ ସୁରକ୍ଷାକର୍ମୀ ସାମ୍ବଦିକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିବା ସହ ଏକ ଘରେ ବନ୍ଦ କରି ରଖି ଦେଇଥିଲେ । ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଉପରେ ଏଭଳି ଆକ୍ରମଣ ନିନ୍ଦନୀୟ ଏବଂ ଲଜ୍ଜାଜନକ ଘଟଣା । ଏହି ଘଟଣାର ଦୃଢ଼ ପ୍ରତିବାଦ କରିବା ସହିତ ବ୍ରହ୍ମପୁର ସହରର ସମସ୍ତ ସାମ୍ବାଦିକ ଗାନ୍ଧିନଗର ସ୍ଥିତ ଗାନ୍ଧି ପ୍ରତିମୂର୍ତ୍ତି ନିକଟରେ ଏକତ୍ରିତ ହୋଇଥିଲେ ।

ଏହା ସହ ସାମ୍ବାଦିକ ସୁରକ୍ଷା ଆଇନକୁ ତୁରନ୍ତ ଲାଗୁ କରି ଏଭଳି ଘଟଣାଗୁଡ଼ିକ ଉପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମସ୍ତ ସାମ୍ବାଦିକ ଦାବି କରିଥିଲେ । ସେହିପରି ଘଟଣାରେ ଦୁଇ ଜଣ ସୁରକ୍ଷା କର୍ମୀଙ୍କୁ ଗିରଫ କରି କମିସନରେଟ ପୋଲିସ୍‌ ମାମଲା ରଫାଦଫା କରିବାକୁ ଚେଷ୍ଟା କରୁଛି ବୋଲି ସାମ୍ବାଦିକ ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି । ସାମ୍ବାଦିକ ସଂଘ ପକ୍ଷରୁ ଅନୁଷ୍ଠିତ ପ୍ରତିବାଦ ସଭାରେ ବ୍ରହ୍ମପୁର ପ୍ରେସ୍ କ୍ଲବ୍ ସଭାପତି ଗୋପାଳ ପଟ୍ଟନାୟକ, ସଂପାଦକ ଚିରଞ୍ଜିତ ରାଜଗୁରୁ, ହେମାଙ୍ଗ ପ୍ରସାଦ ରାଉଳ, ଅଶୋକ ବ୍ରହ୍ମା, ପୀତାମ୍ବର ନାହାକ, ଅସିତ୍ ପଣ୍ଡା, ସତ୍ୟଚେତନା ପରିଡ଼ା, ଲକ୍ଷ୍ମୀ ନାରାୟଣ ମିଶ୍ର, ପ୍ରକାଶ ପାଣିଗ୍ରାହୀ, ମନୋଜକାନ୍ତ ଦାସ, ଜଗନ୍ନାଥ ସାହୁ, ଅରୁଣ କୁମାର ପଟ୍ଟନାୟକ, ବିଶ୍ୱନାଥ ମହାରଣା, ଅମର କୁମାର ଦାସ, କୈଳାସ ବେହେରା, ସୁଦୀପ ସାହୁ, ଉମା ଶକଂର ପାଣିଗ୍ରାହୀ, ପ୍ରମୁଖ ଉପସ୍ଥିତ ଥିଲେ ।