
ନବରଙ୍ଗପୁର , ୦୨/୦୭/୨୨ ( ଜିଲ୍ଲା ଖବର ) : ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ପଡାଲଗୁଡା ଓ କେଶରୀଗୁଡା ମଝିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ରେ ଜଣେ ପୋଲିସ କର୍ମଚାରୀ ଙ୍କ ମୃତ୍ୟୁ ହୋଇଛି ।

ବାବୁଲି ନାମକ ଏକ ଘରୋଇ ବସ ( ଓ ଡି ୨୪ – ୧୫୮୫) ନବରଙ୍ଗପୁର ରୁ ଇନ୍ଦ୍ରାବତୀ ଯିବା ସମୟରେ ଏକ ଗ୍ଲାମର ( ଓଡ଼ି ୨୪ଡି – ୦୮୬୦ ନମ୍ବର ) ସହ ଧକ୍କା ହେବା ଫଳରେ ବାଇକ ଅରୋହୀ ଙ୍କୁ ଆଘାତ ଲାଗିଥିଲା ।

ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ପାଇଁ ଯୋଗାଯୋଗ କରି ବିଫଳ ହେବା ପରେ ଏକ କାର ଯୋଗେ ଆହତ ବ୍ୟକ୍ତିଙ୍କୁ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟ କୁ ନେଇଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ବାଇକ ଅରୋହି ଜଣକ ବଡମସିଗାଁ ର ଭଗବାନ ଭତରା (୫୫) ବୋଲି ପରିଚୟ ମିଳିଛି ।

ସେ ତେନ୍ତୁଳିଖୁଣ୍ଟି ଥାନା ରେ ହାବିଲଦାର ଭାବେ କାର୍ଯ୍ୟରତ ଥିବା ବେଳେ ଆଜି ନିଜ କାମ ସାରି ଘରକୁ ଫେରିବା ବାଟରେ ଦୁର୍ଘଟଣା ରେ ପ୍ରାଣ ହରେଇଛନ୍ତି । ଖବର ପାଇ ତାଙ୍କ ସ୍ତ୍ରୀ ଏବଂ ପୁଅ ଝିଅ ଡାକ୍ତରଖାନା ପହଞ୍ଚିଛନ୍ତି । ନବରଙ୍ଗପୁର ଜିଲ୍ଲା ଥାନାଧିକାରୀ ତାରେକ ଅହମଦ ଡାକ୍ତରଖାନା ପହଂଚି ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିବା ର ବ୍ୟବସ୍ଥା କରିଛନ୍ତି ।

ଆମ୍ବୁଲାନ୍ସ ନ ମିଳିବାରୁ ଆହତଙ୍କ ମୃତ୍ୟୁ ହୋଇଥିବା ସ୍ଥାନୀୟ ଲୋକେ କହିଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରୁ ମାତ୍ର ଦୁଇ କିଲୋମିଟର ଦୂର ରେ ଦୁର୍ଘଟଣା ଘଟିଥିବା ସ୍ଥାନକୁ ଆମ୍ବୁଲାନ୍ସ ସେବା ନ ମିଳିବା ରୁ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି ।
ନବରଙ୍ଗପୁର ରୁ ବିଷ୍ଣୁ ପ୍ରସାଦ ଙ୍କ ରିପୋର୍ଟ ଜିଲ୍ଳା ଖବର ।



