
ଆସିକା , ୨୬/୦୬/୨୨ ( ଜିଲ୍ଲା ଖବର ) : ଆସିକା ସ୍ଥାନୀୟ ଓଡ଼ିଆ କୁଳଘର ଠାରେ, ଅଖିଳ ଭାରତ ଡାକ କର୍ମଚାରୀ ସଂଘ ତୃତୀୟ ଶ୍ରେଣୀ ଏବଂ ପୋଷ୍ଟମ୍ୟାନ ଓ ଏମ.ଟି.ଏସ ର ଦ୍ଵିବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଯାଇଅଛି । ଏହି ସମ୍ମିଳନୀ ରେ ତୃତୀୟ ଶ୍ରେଣୀ କର୍ମଚାରୀ ସଂଘ ର ପୂର୍ବତନ ରାଜ୍ୟ ସ୍ତରୀୟ ସମ୍ପାଦକ ଶ୍ରୀ ବୃହସ୍ପତି ସାମଲ ମୁଖ୍ୟ ବକ୍ତା, ବର୍ତ୍ତମାନ ର ରାଜ୍ୟ ସ୍ତରୀୟ ସମ୍ପାଦକ ଶ୍ରୀ ରାଜେଶ ବୋହିଦାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

ପୋଷ୍ଟମ୍ୟାନ୍ ଓ ଏମ.ଟି.ଏସ. ସଂଘ ର ରାଜ୍ୟ ସମ୍ପାଦକ ଶ୍ରୀ ଏମ.ସି.ଏସ. ରାଓ ସଭା କାର୍ଯ୍ୟ କୁ ଉଦଘାଟନ କରିଥିଲେ । ଏହି ସଭା ରେ ଡାକ ଅଧିକ୍ଷକ ଶ୍ରୀ ଗୋପେଶ ଦାଶ ଙ୍କ ଶୁଭେଛା ପାଠ କରାଯାଇଥିଲା । ଏହି ସଭାରେ ଅବସର ପ୍ରାପ୍ତ ୧୪ ଡାକ କର୍ମଚାରୀ ଙ୍କୁ ମାନ ପତ୍ର ଓ ଉପଢଉକନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ଏହି ସଭା ରେ ବ୍ରହ୍ମପୁର ର ତୃତୀୟ ଶ୍ରେଣୀ କର୍ମଚାରୀ ସଂଘ ର ସମ୍ପାଦକ ଶ୍ରୀ ଶିବାନନ୍ଦ ଦାଶ ଯୋଗ ଦେଇଥିଲେ ।

ସଭା କାର୍ଯ୍ୟ ଶ୍ରୀ ବି ଶିମାଞ୍ଚଳ ପାତ୍ର ପରିଚାଳନା କରିଥିଲେ । ଏହି ସଭା ରେ ଡାକ ବିଭାଗ ର ବର୍ତ୍ତମାନର ସମସ୍ତ ସମସ୍ୟା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରା ଯାଇଥିଲା । ଦେଶର ସର୍ବପୁରାତନ ଡାକ ଘର ସଞ୍ଚୟ ବ୍ୟାଙ୍କ୍ କୁ ଇଣ୍ଡିଆ ପୋଷ୍ଟ ପ୍ୟାମେଣ୍ଟସ୍ ବ୍ୟାଙ୍କ୍ ଲିମିଟେଡ ସହ ମିଶ୍ରଣ କରିବା ଯା ଦ୍ବାରା ପୋଷ୍ଟ ଅଫିସ ରେ ଜମା ସମସ୍ତ ଜମାରାଶି (ପ୍ରାୟ ୩୦ ଲକ୍ଷ୍ୟ କୋଟି) ଉପରେ ପ୍ରତ୍ୟକ୍ଷ ଭାବେ ଇଣ୍ଡିଆ ପୋଷ୍ଟ ପ୍ୟାମେଣ୍ଟସ୍ ବ୍ୟାଙ୍କ୍ ଲିମିଟେଡ ଏବଂ ପୁଞ୍ଜିପତି ମାନଙ୍କ ପରୋକ୍ଷ ଭାବେ ଅକ୍ତିଆର ଆସିବା ସହଜ ହେବ । ଜଣ ସାଧାରଣ ବର୍ତ୍ତମାନ ଠାରୁ କମ୍ ସୁଧ ପାଇବେ । ଏବଂ ଯଦି କୌଣସି କାରଣ ରୁ ବ୍ୟାଙ୍କ୍ ଦେବାଳିଆ ହେଲା ତାହେଲେ ଜଣ ସାଧାରଣ ନିଜର ସମସ୍ତ ଜମା ରାଶି ପରିବର୍ତ୍ତେ ଏକ ନିର୍ତିଷ୍ଟ ଜମା ରାଶି ହିଁ ପାଇବେ। ତେଣୁ ଉକ୍ତ ମିଶ୍ରଣ କୁ ବନ୍ଦ କରିବା ପାଇଁ ଦାବି ହୋଇଛି ।

ଡାକ ଘର କୁ ଉତ୍ତମ ମାନ ର ନେଟୱର୍କ ପ୍ରଦାନ ପାଇଁ ମଧ୍ୟ ଦାବି ହୋଇଛି । ବର୍ତ୍ତମାନ ଉତ୍ତମ ମାନ ର ନେଟୱର୍କ ର ଅଭାବ ଯୋଗୁଁ, ଜଣ ସାଧାରଣ ଙ୍କୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଛି । ନୂତନ ପେନସନ ସ୍କିମ ଉଚ୍ଛେଦ କରି ପୁରାତନ ପେନସନ ଲାଗୁ କରିବା ଏବଂ ୧୮ ମାସ ର ବକେୟା ମହଙ୍ଗା ଭତ୍ତା ପ୍ରଦାନ କରିବା ପାଇଁ ଦାବି ହୋଇଛି । ନିୟମ ୧୫ (i)(c) ଲାଗୁ କରି ଡାକ କର୍ମଚାରୀ ଙ୍କ ସଂଘ ର ପରିଚାଳନା ରେ ହସ୍ତକ୍ଷେପ ର ବିରୋଧ କରାଯାଇଛି ।

ପୋଷ୍ଟାଲ ଆସିଷ୍ଟାଣ୍ଟ ମାନଙ୍କ ର ନିଯୁକ୍ତି ପାଇଁ ସର୍ବ ନିମ୍ନ ଯୋଗ୍ୟତା ଗ୍ରାଡୁଏସନ କୁ ବୃଦ୍ଧି କରଯାଇଥିବାରୁ ଦରମା ରେ ବୃଦ୍ଧି ପାଇଁ ମଧ୍ୟ ଦାବି ହୋଇଛି । ଏତଦ୍ ବ୍ୟତୀତ ଆସିକା ଡାକ କର୍ମଚାରୀ ମାନଙ୍କ ଅଗଷ୍ଟ ୨୦୨୦ ଠାରୁ ବକେୟା ଗସ୍ତ ଖର୍ଚ୍ଚ ପ୍ରଦାନ, ନିମ୍ନ ମାନର କ୍ୱାର୍ଟର ଥିବା ପୋଷ୍ଟ ଅଫିସ ରୁ କ୍ୱାର୍ଟର ର ଉଛେଡିକରଣ, ଆସିକା ସ୍ଥିତ ଡାକ ବିଭାଗ ଜାଗା ରେ ପାଚେରୀ ନିର୍ମାଣ ଇତ୍ୟାଦି ପାଇଁ ମଧ୍ୟ ଦାବି ହୋଇଛି ।

ଏହି ସଭା ରେ ତୃତୀୟ ଶ୍ରେଣୀ ସଂଘର ସୀତାରାମ ପ୍ରଧାନ – ସଭାପତି, ରବିନାରାୟଣ ଚୌଧୁରୀ – ସମ୍ପାଦକ ଏବଂ ବୁଲୁ ସେଠୀ – କୋଷାଧ୍ୟକ୍ଷ ରୂପେ ଆଗାମୀ ଦୁଇ ବର୍ଷ ପାଇଁ ନିର୍ବାଚିତ ହୋଇଛନ୍ତି । ସେହିପରି ପୋଷ୍ଟମ୍ୟାନ୍ ଓ ଏମ.ଟି.ଏସ. ସଂଘ ର ଭି. ଚନ୍ଦ୍ର ଶେଖର ବେହେରା – ସଭାପତି, ସନ୍ତୋଷ କୁମାର ସାହୁ – ସମ୍ପାଦକ ଏବଂ ବି କ୍ରିଷ୍ଣାମୂର୍ତ୍ତି ପାତ୍ର – କୋଷାଧ୍ୟକ୍ଷ ରୂପେ ଆଗାମୀ ଦୁଇ ବର୍ଷ ପାଇଁ ନିର୍ବାଚିତ ହୋଇଛନ୍ତି ।


