Tuesday, October 13, 2026
Home ଜାତୀୟ ଅଟଳ ବିହାରୀ ବାଜପେୟୀ ମେଡ଼ିକାଲ ବିଶ୍ୱବିଦ୍ୟାଳୟ ପାଇଁ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ଅଟଳ ବିହାରୀ ବାଜପେୟୀ ମେଡ଼ିକାଲ ବିଶ୍ୱବିଦ୍ୟାଳୟ ପାଇଁ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

10

• ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଲୋକ ଭବନରେ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ
• ଉତ୍ତରଦାୟିତ୍ୱ ପୂରଣ କରିବା ଉତ୍ତମ ପ୍ରଶାସନ ଦିବସରେ ଆମର ସଂକଳ୍ପ ହେବା ଉଚିତ : ପ୍ରଧାନମନ୍ତ୍ରୀ

ଲକ୍ଷ୍ନୌ, ୨୫/୧୨ ; ଆଜି ଲକ୍ଷ୍ନୌଠାରେ ଅଟଳ ବିହାରୀ ବାଜପେୟୀ ମେଡ଼ିକାଲ ବିଶ୍ୱବିଦ୍ୟାଳୟ ଲାଗି ଭିତ୍ତିପ୍ରସ୍ଥର ସ୍ଥାପନ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଫଳକ ଉନ୍ମୋଚନ କରିଛନ୍ତି । ଉତ୍ତର ପ୍ରଦେଶ ରାଜ୍ୟପାଳ ଶ୍ରୀମତୀ ଆନନ୍ଦୀବେନ ପଟେଲ, ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥ, ଉପମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ବିଶିଷ୍ଟବ୍ୟକ୍ତିମାନେ ଏହି ଅବସରରେ ଉପସ୍ଥିତ ଥିଲେ ।

ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଉତ୍ତମ ପ୍ରଶାସନ ଦିବସ ଉପଲକ୍ଷେ ଉତ୍ତର ପ୍ରଦେଶ ସରକାର ପରିଚାଳିତ ହେଉଥିବା କୋଠାରେ ଅଟଳ ଜୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ହେବା ଏକ ସଂଯୋଗ । ଏହି ଚମକ୍ରାର ପ୍ରତିମୂର୍ତ୍ତି ଲୋକଭବନରେ ଅଧିକାରୀ ଓ କର୍ମଚାରୀମାନଙ୍କୁ ଉତ୍ତମ ପ୍ରଶାସନ ଏବଂ ଜନସାଧାରଣଙ୍କ ସେବା ପାଇଁ କାର୍ୟ୍ୟ କରିବା ନିମନ୍ତେ ଅନୁପ୍ରାଣିତ କରିବ ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବହୁବର୍ଷ ଧରି ଲକ୍ଷ୍ନୌ ଅଟଳ ଜୀଙ୍କ ସଂସଦୀୟ କ୍ଷେତ୍ର ହୋଇ ରହିଆସିଥିଲା, ଏଠାରେ ଅଟଳ ଜୀଙ୍କୁ ସମର୍ପିତ ଏକ ସ୍ୱାସ୍ଥ୍ୟ ଶିକ୍ଷା ପ୍ରତିଷ୍ଠାନ ପାଇଁ ଶିଳାନ୍ୟାସ କରିବା ତାଙ୍କ ପାଇଁ ଗୌରବର ବିଷୟ । ଅଟଳ ଜୀ ସବୁବେଳେ କହୁଥିଲେ, ଜୀବନକୁ ଖଣ୍ଡିତ ଭାବେ ନୁହେଁ ବରଂ ସମ୍ପୂର୍ଣ୍ଣ ଭାବେ ଦେଖିବା ଉଚିତ । ଏ କଥା ସରକାର ଏବଂ ଉତ୍ତମ ପ୍ରଶାସନ କ୍ଷେତ୍ରରେ ମଧ୍ୟ ସମାନ ହେବା ଉଚିତ । ସମସ୍ୟାଗୁଡ଼ିକ ସମ୍ପର୍କରେ ସାମଗ୍ରିକ ଦୃଷ୍ଟିକୋଣ ନେଇ ଚିନ୍ତା ନକରିବା ପର୍ୟ୍ୟନ୍ତ ଉତ୍ତମ ପ୍ରଶାସନ ସମ୍ଭବ ନୁହେଁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ କ୍ଷେତ୍ରରେ ତାଙ୍କ ସରକାରଙ୍କ ପଦକ୍ଷେପ ବିଷୟରେ ସୂଚନା ଦେଇଥିଲେ । ପ୍ରତିଷେଧକ ସ୍ୱାସ୍ଥ୍ୟସେବା ଦିଗରେ କାର୍ୟ୍ୟକାରୀ, ସୁଲଭ ସ୍ୱାସ୍ଥ୍ୟସେବା ବୃଦ୍ଧି, ଯୋଗାଣ ପକ୍ଷ ହସ୍ତକ୍ଷେପ ଯଥା ଏହି କ୍ଷେତ୍ରରେ ସମସ୍ତ ଚାହିଦାକୁ ଆଖି ଆଗରେ ରଖି ଯୋଗାଣ ସୁନିଶ୍ଚିତ କରିବା ଏବଂ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନେଇ ହସ୍ତକ୍ଷେପ ଦିଗରେ ସରକାର କାମ କରୁଛି । ସେ ଆହୁରି ମଧ୍ୟ କହିଥିଲେ ଯେ ସ୍ୱଚ୍ଛ ଭାରତ ଠାରୁ ଆରମ୍ଭ କରି ଯୋଗ, ଉଜ୍ଜ୍ୱଳା ଠାରୁ ଆରମ୍ଭ କରି ଫିଟ ଇଣ୍ଡିଆ ଅଭିଯାନ ଏବଂ ଆୟୁର୍ବେଦର ପ୍ରୋତ୍ସାହନ ଏସବୁ-ପ୍ରତ୍ୟେକ ପ୍ରୟାସ ରୋଗ ନିରାକରଣ ଦିଗରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଉଛନ୍ତି । ସେ କହିଥିଲେ ଯେ ଗ୍ରାମାଂଚଳରେ ୧.୨୫ ଲକ୍ଷ ଆରୋଗ୍ୟ କେନ୍ଦ୍ର ନିର୍ମାଣ ପ୍ରତିଷେଧକ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏସବୁ କେନ୍ଦ୍ର ରୋଗର ଲକ୍ଷଣକୁ ଆଗୁଆ ଚିହ୍ନଟ କରିବା ଫଳରେ ଆରମ୍ଭରୁ ଚିକିତ୍ସା କ୍ଷେତ୍ରରେ ସହାୟକ ହୋଇପାରିବ । ଆୟୁଷ୍ମାନ ଭାରତ କାରଣରୁ ପାଖାପାଖି ୭୦ ଲକ୍ଷ ଗରିବ ରୋଗୀ ଦେଶରେ ମାଗଣା ଚିକିତ୍ସା ପାଇସାରିଛନ୍ତି ଏମାନଙ୍କ ମଧ୍ୟରେ ଉତ୍ତର ପ୍ରଦେଶରୁ କେବଳ ୧୧ ଲକ୍ଷ ଲୋକ ଅଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗାଁରୁ ଗାଁକୁ ସ୍ୱଚ୍ଛତା ଓ ଚିକିତ୍ସା ସୁବିଧା ପହଁଚାଇବା ଲାଗି ଏଠାରେ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଅଭିଯାନ ଉତ୍ତର ପ୍ରଦେଶର ଲୋକମାନଙ୍କ ଜୀବନକୁ ସହଜ କରିବା ଦିଗରେ ଏକ ବଡ଼ ପଦକ୍ଷେପ ହେବ । ସେ ଆହୁରି କହିଥିଲେ ଯେ ତାଙ୍କ ସରକାର ପାଇଁ ଉତ୍ତମ ପ୍ରଶାସନର ଅର୍ଥ ହେଉଛି- ପ୍ରତ୍ୟେକ ଲୋକର କଥା ଶୁଣିବା, ପ୍ରତ୍ୟେକ ନାଗରିକ ନିକଟରେ ସେବା ପହଁଚାଇବା, ପ୍ରତ୍ୟେକ ଭାରତୀୟକୁ ସୁଯୋଗ ଦେବା, ପ୍ରତ୍ୟେକ ନାଗରିକ ନିଜକୁ ସୁରକ୍ଷିତ ମଣିବା ଏବଂ ପ୍ରଶାସନର ପ୍ରତ୍ୟେକ ବ୍ୟବସ୍ଥାରେ ପ୍ରବେଶ ସୁନିଶ୍ଚିତ କରିବା । ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ୱାଧୀନତା ପରେ ଆମେ ଆମ ଅଧିକାର ଉପରେ ସର୍ବାଧିକ ଗୁରୁତ୍ୱ ଦେଇଛୁ । ଏବେ ଆମର କର୍ତ୍ତବ୍ୟ ଏବଂ ଉତ୍ତରଦାୟିତ୍ୱ ପ୍ରତି ଆମକୁ ସମାନ ଗୁରୁତ୍ୱ ଦେବାକୁ ପଡ଼ିବ ବୋଲି ସେ ଉତ୍ତରପ୍ରଦେଶର ଲୋକମାନଙ୍କୁ ଆହ୍ୱାନ କରିଥିଲେ । ଆମକୁ ଅଧିକାର ଓ ଉତ୍ତରଦାୟିତ୍ୱକୁ ଏକାଠି ଓ ସବୁବେଳେ ସାଥୀରେ ରଖିବାକୁ ପଡ଼ିବ ବୋଲି ସେ ଉଲ୍ଲେଖ କରିଥିଲେ । ବିସ୍ତୃତ ଭାବେ ଏହାକୁ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଉତ୍ତମ ଶିକ୍ଷା, ସୁଲଭ ଶିକ୍ଷା ଆମର ଅଧିକାର କିନ୍ତୁ ଶିକ୍ଷାନୁଷ୍ଠାନର ସୁରକ୍ଷା, ଶିକ୍ଷକମାନଙ୍କୁ ସମ୍ମାନ ଆମର ଉତ୍ତରଦାୟିତ୍ୱ । ଶେଷରେ ସେ କହିଥିଲେ ଯେ ଆମେ ଆମର ଉତ୍ତରଦାୟିତ୍ୱ ପୂରଣ କରିବା ଆବଶ୍ୟକ, ଲକ୍ଷ୍ୟ ହାସଲ କରିବା ଉଚିତ, ଏହା ଉତ୍ତମ ପ୍ରଶାସନ ଦିବସରେ ଆମର ସଂକଳ୍ପ ହେଉ, ଏହା ଲୋକମାନଙ୍କ ଆଶା, ଏହା ମଧ୍ୟ ଅଟଳ ଜୀଙ୍କ ଭାବନା ।