Sunday, November 15, 2026
Home ଆଞ୍ଚଳିକ ଉତ୍କଳ ଆଶ୍ରମ ନ୍ୟାସ ପକ୍ଷରୁ କୁଳପତି ପ୍ରଫେସର୍ ଗୀତାଞ୍ଜଳି ଦାଶଙ୍କୁ ଭବ୍ୟ ସମ୍ବର୍ଦ୍ଧନା ।

ଉତ୍କଳ ଆଶ୍ରମ ନ୍ୟାସ ପକ୍ଷରୁ କୁଳପତି ପ୍ରଫେସର୍ ଗୀତାଞ୍ଜଳି ଦାଶଙ୍କୁ ଭବ୍ୟ ସମ୍ବର୍ଦ୍ଧନା ।

43

ବ୍ରହ୍ମପୁର, ୦୭/୦୬/୨୨ ( ଜିଲ୍ଲା ଖବର ) : ଆଜି ସନ୍ଧ୍ୟାରେ ଉତ୍କଳ ଆଶ୍ରମ ପରିସରସ୍ଥ ‘ଉତ୍କଳ ମଣ୍ଡପ’ ମୁକ୍ତମଞ୍ଚରେ ଆୟୋଜିତ ଏକ ଭବ୍ୟ ସମ୍ବର୍ଦ୍ଧନା ଉତ୍ସବରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ନୂତନ କୁଳପତି ପ୍ରଫେସର୍ ଗୀତାଞ୍ଜଳି ଦାଶଙ୍କୁ ଉଛ୍ୱସିତ ନାଗରିକ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି l ଉତ୍କଳ ଆଶ୍ରମ ନ୍ୟାସ ପକ୍ଷରୁ ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାରେ ଗଞ୍ଜାମ କଳା ପରିଷଦର ସମ୍ପାଦକ କୃଷ୍ଣଚରଣ ସିଂହ ପୌରୋହିତ୍ୟ କରିଥିଲେ l ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ମହାନଗର ନିଗମ ମେୟର୍ ସଂଘମିତ୍ରା ଦଳେଇ ମୁଖ୍ୟଅତିଥି ରୂପେ ଯୋଗଦେଇ ଶ୍ରୀଜଗନ୍ନାଥଙ୍କ ପ୍ରତିକୃତି ସମ୍ମୁଖରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସଂଗେ ସଂଗେ ରାଷ୍ଟ୍ର ଗଠନରେ ଶିକ୍ଷକମାନଙ୍କ ଭୂମିକା ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ l
ସମ୍ବର୍ଦ୍ଧନା ଅବସରରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର୍ ଗୀତାଞ୍ଜଳି ଦାଶଙ୍କୁ ପୁଷ୍ପ ସ୍ତବକ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ମୁଖ୍ୟଅତିଥି ଶ୍ରୀମତୀ ସଂଘମିତ୍ରା ଦଳେଇ ସମ୍ବର୍ଦ୍ଧିତ କରିଥିଲେ l ସମ୍ବର୍ଦ୍ଧନାର ଉତ୍ତରରେ ପ୍ରଫେସର୍ ଦାଶ ଗଞ୍ଜାମ ତଥା ବ୍ରହ୍ମପୁର ମାଟି ପ୍ରତି ଥିବା ଶ୍ରଦ୍ଧା ଓ ମମତା ପ୍ରସଙ୍ଗ ଉଲ୍ଲେଖ କରି କହିଲେ, ବ୍ରହ୍ମପୁର ଅଞ୍ଚଳ ପ୍ରାକୃତିକ ଓ ସାଂସ୍କୃତିକ ବିବିଧତାରେ ପରିପୂର୍ଣ୍ଣ l ଶିକ୍ଷାୟତନ ମାଧ୍ୟମରେ ଗଞ୍ଜାମ ଜିଲ୍ଲାର ବିବିଧତାକୁ ପ୍ରସାରିତ କରାଯିବା ଦିଗରେ ବିଶ୍ୱବିଦ୍ୟାଳୟ ଆବଶ୍ୟକ କାର୍ଯ୍ୟକ୍ରମ ହାତକୁ ନେବ ବୋଲି ସେ ନିଜର ପ୍ରତିବଦ୍ଧତା ପ୍ରକାଶ କରିଥିଲେ l
ଉତ୍କଳ ଆଶ୍ରମ ନ୍ୟାସର ସମ୍ପାଦକ ଡ. ସିଦ୍ଧାର୍ଥ ଶଙ୍କର ପାଢ଼ୀ ସ୍ୱାଗତ ସମ୍ଭାଷଣ ସହ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ l ଡ. ଶରତ କୁମାର ଜେନା କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ଡ. ହୃଷୀକେଶ ପଣ୍ଡା ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିଲେ l
ପ୍ରାରମ୍ଭରେ ଗଞ୍ଜାମ କଳା ପରିଷଦର ଶିଳ୍ପୀମାନେ ସମବେତ କଣ୍ଠରେ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ l ଶେଷରେ କଳିଙ୍ଗ ସାହିତ୍ୟ ସମାଜର ଉପ-ସଭାପତି ଡ. ବନମାଳୀ ପାଣିଗ୍ରାହୀ ଅନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ l ଦୀନବନ୍ଧୁ ଶ୍ରୀପଲ୍ଲଵ ଓ ନଳିନୀକାନ୍ତ ଗୌଡ଼ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ l