
ଗୁଣୁପୁର , ୦୪/୦୬/୨୨ ( ଜିଲ୍ଲା ଖବର ) : ସ୍ଥାନୀୟ ଜିଆଇଇଟି ବିଶ୍ୱବିଦ୍ୟାଳୟ, ଗୁଣୁପୁର ପରିସରରେ ସ୍କୁଲ ଅଫ ଇଂଜିନିୟରିଂ ଆଣ୍ଡ୍ ଟେକ୍ନୋଲୋଜିର ବେସିକ ସାଇନ୍ସ ଆଣ୍ଡ୍ ହ୍ୟୁମାନିଟିସ୍ ଏବଂ ସ୍କୁଲ ଅଫ ସାଇନ୍ସ ଆନୁକୂଲ୍ୟରେ ଓଡିଶା ଫିଜିକଲ୍ ସୋସାଇଟିର ସୁବର୍ଣ୍ଣ ଜୟନ୍ତି ଉତ୍ସବ ପାଳିତ ଅବସରରେ ଦୁଇ ଦିନିଆ ଜାତୀୟ ଆଲୋଚନା ଚକ୍ର ଏବଂ ୩୮ତମ ସମ୍ମିଳନୀ “ସ୍ଥାୟୀ ବିକାଶରେ ପଦାର୍ଥ ବିଜ୍ଞାନ” ସମ୍ପର୍କୀୟ ଆଲୋଚନାଚକ୍ର ଉଦଘାଟିତ ହୋଇଯାଇଛି ।

ଏହି ଆଲୋଚନା ଚକ୍ର ୪ ଓ ୫ ତାରିଖ ପର୍ଯ୍ୟନ୍ତ ହେବ। ଏହି ଉଦ୍ଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ସ୍ଥିତ ଆଇ ଓ ପି ର ନିର୍ଦ୍ଦେଶକ ଡଃ କେ କେ ନନ୍ଦ ଯୋଗଦେଇ ସ୍ଥାୟୀ ବିକାଶରେ ପଦାର୍ଥ ବିଜ୍ଞାନର ଭୂମିକା ବିଷୟରେ ଆଲୋକପାତ କରିଥିଲେ। ସମ୍ମାନୀୟ ଅତିଥି ଭାବେ ବିଶ୍ୱବିଦ୍ୟାଳୟର ଉପସଭାପତି ଡଃ ଚନ୍ଦ୍ରଧ୍ୱଜ ପଣ୍ଡା ଯୋଗଦେଇ ପଦାର୍ଥ ବିଜ୍ଞାନ ଓ ବୈଷୟିକ କ୍ଷେତ୍ରରେ ବିକାଶ ଓ ଦୈନନ୍ଦିନ ପ୍ରୟୋଗ ସହ ଜ୍ଞାନର ସଦୁପଯୋଗ ବିଷୟରେ କହିଥିଲେ । ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଡଃ ଏନ୍ ଭି ଜେ ରାଓ ପଦାର୍ଥ ବିଜ୍ଞାନରେ ନୂତନ ଗବେଷଣା ବିଷୟ ରେ କହିଥିଲେ।

ଓପିଏସ୍ ର ସଭାପତି ଡଃ ଦୁର୍ଗା ପ୍ରସାଦ ମହାପାତ୍ର ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଗୁଣାତ୍ମକ ବିକାଶ ବିଷୟରେ କହିଥିଲେ। ସଂପାଦକ ମିହିର ହୋତା ବାର୍ଷିକ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ସମ୍ମିଳନୀର ଆବାହକ ଡଃ ଦିଲ୍ଲିପ କୁମାର ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇଥିଲେ। ଏହି ସମ୍ମିଳନୀରେ ପ୍ରଫେସର ଏସ ଏନ ବେହେରା ମେମୋରିଆଲ୍ ପ୍ରବକ୍ତା, ଆମନ୍ତ୍ରିତ ପ୍ରବକ୍ତା, ବି ବି ଦେଓ ମେମୋରିଆଲ୍ ପ୍ରବକ୍ତାମାନ ଯଥାକ୍ରମେ ଧାନବାଦ୍ ସ୍ଥିତ ଆଇ ଆଇ ଟି (ଆଇ ଏସ ଏମ) ପ୍ରଫେସର ଉମାକାନ୍ତ ତ୍ରିପାଠୀ, ଦିଲ୍ଲୀ ବିଶ୍ୱବିଦ୍ୟାଳୟ ର ପ୍ରଫେସର ଦୟାଶଙ୍କର କୁଳଶ୍ରେଷ୍ଠଙ୍କ ଦ୍ୱାରା ଆଲୋଚନା କରାଯାଇଥିଲା । ରାଉରକେଲା ସ୍ଥିତ ଏନ ଆଇ ଟି ର ପ୍ରଫେସର ସିମାଞ୍ଚଳ ପାଣିଗ୍ରାହୀ, ପ୍ରଫେସର ଡଃ ଏଲ ପି ସିଂ ବକ୍ତାଭାବେ ଯୋଗଦେଇ ପଦାର୍ଥ ବିଜ୍ଞାନ ଓ ପ୍ରଯୁକ୍ତି ବିଜ୍ଞାନର ଆଧୁନିକ ଗବେଷଣା ଓ ବିକାଶ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ଯୁବ ବୈଜ୍ଞାନିକ ଓ ପଦାର୍ଥ ବିଜ୍ଞାନରେ ମହତ୍ୱ ପୂର୍ଣ୍ଣ ଯୋଗଦାନ ପାଇଁ ସଂମାନିତ କରାଯାଇଥିଲା।

ବିଶ୍ୱବିଦ୍ୟାଳୟର ପଦାର୍ଥ ବିଜ୍ଞାନ ଏବଂ ସମସ୍ତ ବିଜ୍ଞାନ ବିଭାଗର ପ୍ରଫେସରବୃନ୍ଦ ଓ ଓଡିଶାର ବିଭିନ୍ନ ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ଓ ଗବେଷଣା କେନ୍ଦ୍ରର ପ୍ରଫେସର ବୃନ୍ଦ ଯୋଗ ଦେଇଥିଲେ । ବିଭାଗର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯକ୍ରମ ପରିବେଷଣ କରାଯାଇଥିଲା । ଏହି ସମ୍ମିଳନୀରେ ଅନୁଷ୍ଠାନର ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଯୋଗଦେଇଥିଲେ । ଇଂରାଜୀ ଅଧ୍ୟାପିକା ବର୍ଷା ଦାଶ ମଞ୍ଚ ପରିଚାଳନା କରିଥିଲେ । ପରିଶେଷରେ ସହ ଆବାହକ ଡଃ ହରିଶଙ୍କର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ଅଧ୍ୟାପିକା ବିଜୟଲକ୍ଷ୍ମୀ କୁଁଅର, ଡଃ ତପନ ପଟ୍ଟନାୟକ, ରବୀନ୍ଦ୍ର ମିଶ୍ର, ଡଃ ବିଶ୍ୱଜିତ ଦଳାଇ ପ୍ରମୁଖ ପରିଚାଳନା କରିଥିଲେ।
ଗୁଣପୁରରୁ ରାମନାଥ ମହାନ୍ତିଙ୍କ ରିପୋର୍ଟ ଜିଲ୍ଲା ଖବର।



