Thursday, November 12, 2026
Home ଆଞ୍ଚଳିକ ସାହିତ୍ୟିକ,ସାମ୍ବାଦିକ ଓ ପରିବେଶବିତ୍ ତ୍ରିଲୋଚନ ପଣ୍ଡାଙ୍କ ଜନ୍ମୋତ୍ସୋବ ପାଳିତ ।

ସାହିତ୍ୟିକ,ସାମ୍ବାଦିକ ଓ ପରିବେଶବିତ୍ ତ୍ରିଲୋଚନ ପଣ୍ଡାଙ୍କ ଜନ୍ମୋତ୍ସୋବ ପାଳିତ ।

69

ବୁଗୁଡ଼ା , ୦୧/୦୬/୨୨ ( ଜିଲ୍ଲା ଖବର ) : ଗଞ୍ଜାମ ଜିଲ୍ଲା ବୁଗୁଡ଼ା ସହରରେ ଜନ୍ମ ଗ୍ରହଣ କରିଥିବା ସାହିତ୍ୟିକ,ସାମ୍ବାଦିକ ଓ ପରିବେଶବିତ୍ ତ୍ରିଲୋଚନ ପଣ୍ଡାଙ୍କ ୫୭ ତମ ଜୟନ୍ତୀ ଉପଲକ୍ଷେ ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଓ ସଂସ୍କୃତିର ପ୍ରତିଷ୍ଠାନ ମଦନମୋହନ ପାଠାଗାର ଓ ସାହିତ୍ୟ ସଂସଦ ପକ୍ଷରୁ ପାଳିତ ହୋଇଯାଇଛି।

ଏହି ଅବସରରେ ସଂସଦର ସଭାପତି ହରପ୍ରସାଦ ଦାଶ ଅଧ୍ୟକ୍ଷତାରେ ମୁଖ୍ୟଅତିଥି ଭାବେ ପୂର୍ବତନ ବିଧାୟକ ସିମାଞ୍ଚଳ ବେହେରା, ମୁଖ୍ୟବକ୍ତା ଭାବେ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ପୂର୍ବତନ ପ୍ରଧାନ ଶିକ୍ଷକ ତଥା କବି ଅନନ୍ତ କର,ସମ୍ମାନିତ ଅତିଥି ଭାବେ ଶ୍ରୀ ଶ୍ରୀ ବଳଦେବ ମହିଳା ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ବିଭୂତି ଭୂଷଣ ମିଶ୍ର, ସମାଜସେବୀ ବଂଶୀଧର ନାୟକ ଓ ଆଧ୍ୟାତ୍ମିକବାଦୀ ଆନନ୍ଦାନନ୍ଦଜୀ ମହାରାଜ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

ସର୍ବପ୍ରଥମେ ସଂସଦର ସମ୍ପାଦକ ତ୍ରିଲୋଚନ ପଣ୍ଡା ସ୍ଵାଗତ ଭାଷଣ ଏବଂ ପରିଚୟ ପ୍ରଦାନ କରିଥିବା ବେଳେ ସମସ୍ତ ଅତିଥିବୃନ୍ଦ ଜଗତର ନାଥ ଶ୍ରୀ ଜଗନ୍ନାଥ ଏବଂ ମଦନମୋହନ ପଣ୍ଡା ଓ ଲାବଣ୍ୟବତୀ ପଣ୍ଡାଙ୍କ ଫୋଟ ଚିତ୍ରରେ ପୁଷ୍ପାଞ୍ଜଳୀ ସହ ପ୍ରଦୀପ ପ୍ରଜ୍ବଳନ କରିଥିଲେ। ସୁରେନ୍ଦ୍ର ନାଥ ପାଣୀ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ।

‘ମର୍ତ୍ତ୍ୟ ମଣ୍ଡଳେ ଦେହ ବହି,ଦେବତା ହେଲେ ହେଁ ମରଇ।। କୁ ପାଥେୟ କରି’ ‘ମାନବ ଜୀବନରେ ଆସ କିଛି କରିବା’ ଶୀର୍ଷକ ଆଲୋଚନା ଚକ୍ରରେ ଅତିଥିମାନେ ଅତି ସୁନ୍ଦର ବାର୍ତ୍ତା ଦେଇ ସଚେତନତା ସୃଷ୍ଟି କରିଥିଲେ। ଏହି ପରିପ୍ରେକ୍ଷୀରେ ପଦ୍ମଶ୍ରୀ ରଜତ କର ଏବଂ ଅନ୍ୟାନ୍ୟ ପ୍ରତିଭାଶାଳୀ ବ୍ୟକ୍ତିଙ୍କ ବିୟୋଗରେ ଦୁଇମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିବା ବେଳେ କବିତା ପାଠ,ଭଜନ ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା।

ଅନୁଷ୍ଠାନ ପକ୍ଷରୁ ଆଦର୍ଶ କ୍ରୀଡା ଶିକ୍ଷକ ଦଣ୍ଡପାଣି ସ୍ବାଇଁ,ଯୁବ ସମାଜସେବୀ ଗନ୍ଧମାର୍ଦନ ସେଠୀ ଏବଂ ଆଦର୍ଶ ଯୁବ ଡାକ୍ତର ଶୁଭ୍ରକାନ୍ତ ପାଢୀଙ୍କୁ ଉପଢୌକନ ସହ ମାନପତ୍ର ପ୍ରଦାନ କରାଯାଇଥିବା ବେଳେ କବି ଶ୍ରୀଧର ମିଶ୍ର,ବସନ୍ତ ବିଷୋୟୀ,ଭିନ୍ନକ୍ଷମ କବି ବିଘ୍ନରାଜ ପଣ୍ଡା,ସୁରେଶ ପାଢୀ ସମେତ ବହୁ କବି ସ୍ବରଚିତ କବିତା ପାଠ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଦିଗାମ୍ବର ମହାରଣା,କେଦାରନାଥ ଦାଶ,ସନ୍ତୋଷ ପାତ୍ର ସୁପରିଚାଳନା କରିଥିଲେ।

ଗଞ୍ଜାମ ଜିଲ୍ଲା ବୁଗୁଡ଼ାରୁ ତ୍ରିଲୋଚନ ପଣ୍ଡାଙ୍କ ରିପୋର୍ଟ ଜିଲ୍ଲା ଖବର।