
ନୂଆଦିଲ୍ଲୀ,୨୦/୮(ଜିଲ୍ଲା ଖବର):କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ଦିଲ୍ଲୀ ଡାକରା। ରାଜ୍ୟ କଂଗ୍ରେସର ସମସ୍ତ ନେତାଙ୍କୁ ଦିଲ୍ଲୀରୁ ଡାକରା ଆସିଛି। ଆସନ୍ତା ୨୨ରେ ଦିଲ୍ଲୀରେ କଂଗ୍ରେସର ଏକ ବଡ଼ ବୈଠକ ବସିବ। ବୈଠକରେ ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ସମେତ ରାଜ୍ୟ କଂଗ୍ରେସର ବରିଷ୍ଠ ନେତା ମାନେ ଯୋଗ ଦେବେ। ବୈଠକରେ ଏଆଇସିସି ଅଧ୍ୟକ୍ଷ ଚୟନ ଓ ସାଂଗଠାନିକ ସ୍ତରରେ ବଡ଼ ଧରଣର ଅଦଳ ବଦଳ ନେଇ ଆଲୋଚନା ହେବାର ଚର୍ଚ୍ଚା ହେଉଛି। ସାଧାରଣ ର୍ନିବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ରାହୁଲ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ଏହା ପରେ ପୁଣି ସୋନିଆ ଗାନ୍ଧୀଙ୍କୁ ଅଧ୍ୟକ୍ଷ ଭାବେ ଘୋଷଣା କରାଯାଇଛି ।
ତେବେ ଦିଲ୍ଲୀ ଡାକରା ନେଇ କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ କହିଛନ୍ତି, ବୈଠକରେ ୨୦୨୪ ପାଇଁ ଆଗୁଆ ଭାବେ ବୈଠକରେ ପ୍ରସ୍ତୁତ ହେବ ରଣନୀତି। କେବଳ ରାଜ୍ୟ ନୁହେଁ ସାରା ଭାରତର କଂଗ୍ରେସ ସାଂସଦ, ବିଧାୟକ, ପୂର୍ବତନ ସାଂସଦ, ମୁଖ୍ୟମନ୍ତ୍ରୀ , ବରିଷ୍ଠ ନେତା ତଥା କର୍ମକର୍ତ୍ତାମାନେ ଦିଲ୍ଲୀରେ ଏକତ୍ରିତ ହେବେ। ୨୦୨୪ ର୍ନିବାଚନ ବ୍ୟତୀତ ସଂଗଠନକୁ ମଜଭୁତ କରିବା ନେଇ ଅନେକ ଆଲୋଚନା ହେବ। ସଂଗଠନକୁ ସୁଦୃଢ କରିବା ପାଇଁ ରାଜ୍ୟରୁ ପ୍ରାୟ ଦେଢ଼ ଶହରୁ ଅଧିକ କାର୍ଯ୍ୟକର୍ତ୍ତା ଦିଲ୍ଲୀ ଯିବେ ବୋଲି ସୂଚନା ଦେଇଛନ୍ତି ସୁର ରାଉତରାୟ।



