
ଆସିକା , ୧୩/୦୫/୨୨ ( ଜିଲ୍ଲା ଖବର ) : ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦର ପ୍ରଥମ ବୈଠକ ଅଧ୍ୟକ୍ଷା ବିନେତା ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ବୈଠକକୁ ଏନ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଲୋକନାଥ ବେଜ ପରିଚାଳନା କରିଥିଲେ ।
ମୁଖ୍ୟ ଅତିଥି ଭାବେ ଆସିକା ସାଂସଦ ପ୍ରମିଳା ବିଷୋୟୀ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅନିମା ପରିଡା, ସୌଦାମିନୀ ନାୟକ,ଉପାଧ୍ୟାକ୍ଷା ଜୟନ୍ତୀ ବିଷୋୟୀ ପ୍ରମୁଖ ଯୋଗଯୋଗ ଦେଇଥିଲେ ।


ପ୍ରଥମେ ଜାତୀୟ ସଂଗୀତ ଗାନ କରିବା ସହ ସହୀଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ପରେ ପରେ କାର୍ଯ୍ୟନିର୍ବାହୀ ଅଧିକାରୀ ଲୋକନାଥ ବେଜ ସ୍ୱାଗତ ଭାଷଣ ଓ ଅଧ୍ୟକ୍ଷା ବିନେତା ସ୍ୱାଇଁ ଉଦବୋଧନ ମାଧ୍ୟମରେ ସଭା କାର୍ଯ୍ୟ ଆରମ୍ଭ କରିଥିଲେ । ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଶିଶୁ ଓ ମହିଳା କଲ୍ୟାଣ ବିଭାଗ, ଜଳ ଓ ପରିମଳ ବିଭାଗ, ଶିକ୍ଷା ବିଭାଗ, ବିଦ୍ୟୁତ ବିଭାଗ ଭଳି ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ଆସିକା ଅଞ୍ଚଳର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ ।


ସମସ୍ତ କାଉଁସିଲର ଓ ଏନ ଏ ସି କର୍ମଚାରୀ ଉପସ୍ଥିତ ରହି ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଥିବା ସ୍ୱାସ୍ଥ୍ୟ,ଡାକ୍ତର ଅଭାବ , ମେଡିକାଲ ସ୍ଥାନାନ୍ତର ପ୍ରସ୍ତାବ ,ପାନୀୟ ଜଳ, ମହିଳା ଓ ଶିଶୁ ବିକାଶ କାର୍ଯ୍ୟକ୍ରମ, ଆଲୋକୀକରଣ, ସାମାଜିକ ସୁରକ୍ଷା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବୃକ୍ଷ ରୋପଣ, ଜବର ଦଖଲ ଉଛେଦ, ଅତି ଜରୁରୀ ପ୍ରକଳ୍ପ ଆଦି ସମ୍ପର୍କିତ ସମସ୍ୟାର ସମାଧାନ ସମ୍ପର୍କରେ ଆଲୋଚନା ହୋଇଥିଲା ।

ବିଶେଷ କରି ଆସିକା ଉପଖଣ୍ଡ ଚିକିତ୍ସାଳୟଟିକୁ ବାବନପୁର ନିକଟକୁ ସ୍ଥାନାନ୍ତର କରିବା ପାଇଁ ଆସିଥିବା ପ୍ରସ୍ତାବ ଓ ଆସିକା ଠାରେ ନୂତନ କରି ଅର୍ବାନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କରିବା ପାଇଁ ବାଲିଶିରା ଗୋଷ୍ଠୀ ଶିକ୍ଷା କେନ୍ଦ୍ରର ବି ପି ଏମ ଉପସ୍ଥାପନା କରିଥିଲେ । ଆସିକା ସହର ଦେଇ ଯାଇଥିବା ଟିପିସର ନାଳକୁ ତୁରନ୍ତ ନିର୍ମାଣ ଓ ସମ୍ପ୍ରସାରଣ ସମେତ ସହରକୁ ବନ୍ୟା ଦାଉରୁ ରକ୍ଷା କରିବା ପାଇଁ ପ୍ରସ୍ତାବ ମାନ ରଖାଯାଇଥିଲା । ଆସିକାରେ ଥିବା ପ୍ରମୁଖ ସମସ୍ୟା ମାନ ଖୁବ ଶୀଘ୍ର ସମାଧାନ ନିମନ୍ତେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି କାର୍ଯ୍ୟନିର୍ବାହୀ ଅଧିକାରୀ ଲୋକନାଥ ବେଜ।



