
ବେଲଗୁଣ୍ଠା, ୧୧/୦୫/୨୨ ( ଜିଲ୍ଲା ଖବର ) : ଆଜି ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦର ପ୍ରଥମ ବୈଠକ ଏନ୍ଏସି କାର୍ଯ୍ୟାଳୟର ବୈଠକ ଗୃହ ଠାରେ କାର୍ଯ୍ୟ ନିର୍ବାହି ଅଧିକାରୀ ରାକେଶ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି I ଆଜିର ଏହି ବୈଠକରେ ବେଲଗୁଣ୍ଠାରେ ଭୁଷୁଡି ପଡ଼ିଥିବା ସ୍ୱାସ୍ଥ୍ୟ ସେବାକୁ ନେଇ ସମସ୍ତ କାଉନସିଲର୍ ଅଭିଯୋଗ କରିଥିଲେ I କିଛିଦିନ ତଳେ ଚଢିଆପଲ୍ଲୀ ଗ୍ରାମର ଏକ ଶିଶୁ ପୋଖରୀରେ ବୁଡ଼ି ମୃତ୍ୟୁ ବରଣ କରିଥିଲା I


ତାକୁ ବେଲଗୁଣ୍ଠା ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯିବା ପରେ ଡ଼ାକ୍ତର ତାକୁ ପ୍ରଥମେ ମୃତ ଘୋଷଣା କରିବା ପରେ ପରବର୍ତ୍ତୀ ସମୟରେ ତାକୁ ଖାମଖିଆଲି ଭାବେ ବ୍ରହ୍ମପୁର ନେବାକୁ ରେଫର୍ କରିଥିଲେ I ଯାହା ଏକ ଉଦ୍ବେଗର ବିଷୟ ପାଲଟିଥିଲା I ତେଣୁ ଏହାର ତଦନ୍ତ ହେବା ଆବଶ୍ୟକ ବୋଲି କାଉନସିଲର୍ ଦିବ୍ୟରଞ୍ଜନ ଦାଶ ଅଭିଯୋଗ କରିଥିଲେ I ସେହିପରି ତା ପର ଦିନ ବେଲଗୁଣ୍ଠା ଗୋଲାସାହିର ଏକ ଶିଶୁ ଗାଧୋଉଥିବା ସମୟରେ ଅସାବଧାନତା ବଶତଃ ପାଣିରେ ବୁଡ଼ି ଯିବା ପରେ ସ୍ଥାନୀୟ ଲୋକେ ତାକୁ ମୁମୂର୍ଷୁ ଅବସ୍ଥାରେ ବେଲଗୁଣ୍ଠା ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ I

କିନ୍ତୁ ସେଠାରେ କୌଣସି ଡ଼ାକ୍ତର ନଥିବାରୁ ଚିକିତ୍ସା ଅବହେଳା ଯୋଗୁଁ ଦୁଇଘଣ୍ଟା ପରେ ଶିଶୁଟି ମୃତ୍ୟୁ ବରଣ କରିଥିବା ନେଇ ମେଡ଼ିକାଲ୍ ରେ ଉତ୍ତେଜନା ପ୍ରକାଶ ପାଇଥିଲା I ତେଣୁ ସେହି ସମୟରେ କେଉଁ ଡାକ୍ତର କାର୍ଯ୍ୟରେ ଅବହେଳା କରିଥିଲେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁ୍ଷ୍ଠାନ ଦାବି କରିଥିଲେ କାଉନସିଲର୍ ଏସ୍ ଭାସ୍କର ପାତ୍ର I ସେହିପରି ଅନ୍ୟ ଏକ ଘଟଣାକ୍ରମେ ବେଲଗୁଣ୍ଠା ଏନ୍ଏସିର କନିଷ୍ଠ ଯନ୍ତ୍ରୀ ବିଶ୍ୱରଂଜନ ଜେନାଙ୍କୁ ତରଳ ଝାଡ଼ା ହେବାରୁ ସେ ବେଲଗୁଣ୍ଠା ମେଡିକାଲ୍ କୁ ଆସିଥିଲେ I ସେଠାରେ ଡ଼ାକ୍ତର ଶୁଭମ୍ ପାତ୍ର ତାଙ୍କୁ ଭୂଲ୍ ଇଞ୍ଜେକ୍ସନ ଦେବାରୁ ପାର୍ଶ୍ଵପ୍ରତିକ୍ରିୟା ଘଟି ସେ ଗୁରୁତର ହୋଇପଡ଼ିଥିଲେ I

ପରବର୍ତ୍ତୀ ସମୟରେ ସେ ଭଞ୍ଜନଗର, ବ୍ରହ୍ମପୁର ଏବଂ ଭୁବନେଶ୍ୱର ଯାଇ ବର୍ତ୍ତମାନ ଭୁବନେଶ୍ୱରର ଏକ ଘରୋଇ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣା ପଡିଛି I ଜଣେ ଡାକ୍ତର ସାମାନ୍ୟ ଅବହେଳାରୁ କନିଷ୍ଠ ଯନ୍ତ୍ରୀ ଶ୍ରୀ ଜେନା ନିଜ ଚିକିତ୍ସାରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ସାରିଥିଲେ ମଧ୍ୟ ଆଜି ସୁଦ୍ଧା ସମ୍ପୂର୍ଣ୍ଣ ସୁସ୍ଥ ହୋଇନଥିବା ସୂଚନା ମିଳିଛି I ତେଣୁ ଏହି ମାମଲାରେ ଡ଼ାକ୍ତର ଶୁଭମ୍ ପାତ୍ରଙ୍କ ବିରୁଦ୍ଧରେ କାର୍ଯ୍ୟାନୁ୍ଷ୍ଠାନ ଗ୍ରହଣ କରିବା ସହିତ ମେଡ଼ିକାଲ୍ ରେ ଖାଲି ପଡ଼ିଥିବା ଆବଶ୍ୟକ ଡ଼ାକ୍ତର ପଦବୀ ପୂରଣ ପାଇଁ ଜିଲ୍ଳାପାଳଙ୍କୁ ଚିଠି ଲେଖିବା ପାଇଁ ବହୁ କାଉନସିଲର୍ ଦାବି କରିଥିଲେ I ଏନେଇ ସୋରଡା ବିଧାୟକଙ୍କ ଦୃଷ୍ଟି ଆକର୍ଷଣ ମଧ୍ୟ କରାଯାଇଥିଲା I

ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଯୋଗ ଦେଇ ବେଲଗୁଣ୍ଠାର ଆବଶ୍ୟକ ଉନ୍ନତି ପାଇଁ ଅର୍ଥର ଅଭାବ ରହିବ ନାହିଁ ବୋଲି ପ୍ରକାଶ କରିଥିଲେ I ଏଥିରେ ଅନ୍ୟତମ ଅତିଥି ରୂପେ ସାଂସଦ ପ୍ରତିନିଧି ତଥା ପୂର୍ବତନ ନଗରପାଳ ରବୀନ୍ଦ୍ର ନାଥ ମହାପାତ୍ର ଯୋଗ ଦେଇ ବେଲଗୁଣ୍ଠାରେ ଥିବା ସାଗରରେ ଏକ ପାର୍କ ନିର୍ମାଣ ସହ ଏଠାରେ ମନୋରମ ପରିବେଶ ସୃ୍ଷ୍ଟି କରିବା ପାଇଁ ପ୍ରତିଶୃ୍ତି ଦେଇଥିଲେ I କୌଣସି କାରଣ ନଥାଇ ରାତ୍ରିକାଳୀନ ବିଦ୍ୟୁତ୍ କାଟ୍ ହେଉଥିବା ବେଳେ ଦିନ ଦଶଟା ପର୍ଯ୍ୟନ୍ତ ସହରରେ ଷ୍ଟ୍ରିଟ ଲାଇଟ ଜଳୁଥିବା ନେଇ କାଉନସିଲର୍ ଦିଲ୍ଲୀପ ଆଚାରୀ ଦୃଷ୍ଟି ଆକର୍ଷଣ କରିଥିଲେ I









