Monday, November 16, 2026
Home ଆଞ୍ଚଳିକ ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ଅଞ୍ଚଳରେ ଗଣଯାତ୍ରା ଦଣ୍ଡଯାତ୍ରା ଉଦଯାପିତ।

ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ଅଞ୍ଚଳରେ ଗଣଯାତ୍ରା ଦଣ୍ଡଯାତ୍ରା ଉଦଯାପିତ।

84

ବୁଗୁଡ଼ା , ୧୫/୦୪/୨୨ ( ଜିଲ୍ଲା ଖବର ) : ଗଞ୍ଜାମ ଜିଲ୍ଲା ବୁଗୁଡ଼ା ସହର ଏବଂ ଅଞ୍ଚଳରେ ଗଣଯାତ୍ରା ରୂପେ ଐତିହ୍ୟ, ସଂସ୍କୃତି ଓ ପାରମ୍ପରିକ ଦଣ୍ଡଯାତ୍ରା ପନ୍ଦରଦିନ ଧରି ଚାଲିଥିବା ବେଳେ ତାହା ଆଜି ଉଦଯାପିତ ହୋଇଯାଇଛି।

ଏହି ଅବସରରେ ମଧ୍ୟାହ୍ନରେ ଶ୍ରୀ ଶ୍ରୀ ବିରଞ୍ଚି ନାରାୟଣଙ୍କ ମନ୍ଦିର ସାମନାରେ ଧୁଳିଦଣ୍ଡ କରିଥିଲେ ତାପରେ ବନ୍ଧକୁ ଯାଇ ପାଣିଦଣ୍ଡ ଶେଷକରି ମା କାଳୀ ଓ ପିତା ମହାଦେବଙ୍କୁ ସାଥୀରେ ନେଇ ନଗର ପରିକ୍ରମା କରିଥିଲେ।

ଅପରାହ୍ନ ସମୟରେ ଦଣ୍ଡକାଳୀଙ୍କ ମନ୍ଦିରରେ ପାରମ୍ପରିକ ରୀତିରେ ହୋମକାର୍ଯ୍ୟ କରି ଦଣ୍ଡ ଓହଳାଇଥିଲେ।

ଗତ ଦୁଇବର୍ଷ ଧରି ବିଶ୍ବ ମହାମାରୀର ପ୍ରାଦୁର୍ଭାବରେ ଭୟଭୀତ ହୋଇ ସରକାରଙ୍କ କଟକଣା ଯୋଗୁଁ ଏହି ଗଣଯାତ୍ରା ତଥା ଦଣ୍ଡଯାତ୍ରାକୁ ସ୍ବଳ୍ପ ଦଣ୍ଡୁଆଙ୍କୁ ନେଇ ବିନା ଭକ୍ତ ଓ ବିନା ସାଂସ୍କୃତିକ କାର୍ଯ୍ୟକ୍ରମରେ ପାଳିତ ହୋଇଥିବା ବେଳେ ଏହି ବର୍ଷ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତମାନେ ଆନନ୍ଦ ଉଲ୍ଲାସରେ ଭିଡ ଦେଖିବାକୁ ମିଳିଛି।

ମଧ୍ୟରାତ୍ରରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମାଜିକ ନାଟକ “ମୁଁ ସେଇ ଭଦ୍ରକିଆ ଟୋକା” ମଞ୍ଚସ୍ଥ ହୋଇଥିଲା। ଏହି ବିଷୁବ ସଂକ୍ରାନ୍ତି ଦିନଟିକୁ ଜନସାଧାରଣ ଅନେକ ନାମରେ ପାଳିତ କରିଥାନ୍ତି।

ମେରୁଯାତ୍ରା,ଦଣ୍ଡଯାତ୍ରା,ପଣାସଂକ୍ରାନ୍ତି ଏବଂ ହନୁମାନଜୀ ଙ୍କ ଜୟନ୍ତୀ ଭାବେ ମଧ୍ୟ ପାଳନ କରାଯାଇଥାଏ।

ଏହି ପରିପ୍ରେକ୍ଷୀରେ ଭାରତ ସ୍କାଉଟ ଓ ଗାଇଡ୍ ସଂଗଠନ ପକ୍ଷରୁ ଶ୍ରୀକର ଭଞ୍ଜ ୟୁନିଟ୍,ସତ୍ଯସାଇ ସେବା ସଂଗଠନ ଓ ବିଭିନ୍ନ ସେବା ସଂଗଠନ ପକ୍ଷରୁ ବୁଗୁଡ଼ା ସହରସାରା ଏବଂ ମେରୁଯାତ୍ରା ପଡିଆରେ ଚଲ୍ହାପଣା ଓ ନବାତପଣା ବଣ୍ଟନ କରାଯାଇଥିଲା।

ଗଞ୍ଜାମ ଜିଲ୍ଲା ବୁଗୁଡ଼ାରୁ ତ୍ରିଲୋଚନ ପଣ୍ଡାଙ୍କ ରିପୋର୍ଟ ଜିଲ୍ଲା ଖବର।