
ବୁଗୁଡ଼ା , ୧୩/୦୪/୨୨ ( ଜିଲ୍ଲା ଖବର ) : ବିଶ୍ବ ମହାମାରୀ କରୋନାର ପ୍ରାଦୁର୍ଭାବରେ ଭୟଭୀତ ହୋଇ ସରକାରଙ୍କ କଟକଣା ହୋଇ ଗତ ଦୁଇବର୍ଷ ଧରି ଦଣ୍ଡ ଯାତ୍ରା ଫିକା ପଡିଯାଇଥିଲା ।



ବର୍ତ୍ତମାନ ଚଳିତ ବର୍ଷ ସେପରିକା କଟକଣା ନଥିବା ଯୋଗୁଁ ଏହି ବର୍ଷ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକର ମାଣିତରା ଗ୍ରାମର ବଡଦାଣ୍ଡରେ ପଞ୍ଚୁଦଣ୍ଡ ମହାମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।



ଏହି ଅବସରରେ ପ୍ରଭାତରୁ ପାରମ୍ପାରିକ ନିତୀନିୟମ ଅନୁଯାୟୀ ପାଞ୍ଚୋଟି ଯାକ ଦଣ୍ଡକାଳୀ ଓ ମହାଦେବଙ୍କୁ ଗ୍ରାମବାସୀମାନେ ଫୁଲ,ଚନ୍ଦନ ନେଇ ଗ୍ରାମ ବାହାରୁ ଗ୍ରାମ ମଧ୍ୟକୁ ପାଛୋଟି ନେଇଥିଲେ।



ମଧ୍ଯାହ୍ନରେ ଧୁଳି ଦଣ୍ଡ, ଅପରାହ୍ନରେ ପାଣିଦଣ୍ଡ, ସନ୍ଧ୍ୟା ସମୟରେ ଆଳତି,ରାତ୍ରରେ ଅଗ୍ନିଦଣ୍ଡ ହେବା ପରେ ପ୍ରଭା ନାଚ ଏବଂ ସାସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।



ଏହି ମିଳନରେ କାନନକୁଟିର,ଗୋଛାବାଡି,ଛାମୁଣ୍ଡା,ରାଉତି ଏବଂ କାଦୁଆ ଆଦି ଦଣ୍ଡ ଦଳମାନେ ଅଂଶଗ୍ରହଣ କରିଥିଲେ।


ବୁଗୁଡ଼ା ବ୍ଲକର ଏହା ପ୍ରଥମ ପଞ୍ଚୁଦଣ୍ଡ ମହାମିଳନ ହୋଇଥିବାରୁ ଏହି ମିଳନକୁ ଦର୍ଶନ ଲାଭ କରିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତମାନଙ୍କ ସମାବେଶ ହୋଇଥିବା ଦେଖିବାକୁ ମିଳିଥିଲା।


ଗଞ୍ଜାମ ଜିଲ୍ଲା ବୁଗୁଡ଼ାରୁ ତ୍ରିଲୋଚନ ପଣ୍ଡାଙ୍କ ରିପୋର୍ଟ ଜିଲ୍ଲା ଖବର।


