
ଆସିକା , ୧୨/୦୪/୨୨ ( ଜିଲ୍ଲା ଖବର ) : ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ତଥା ଗଣଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ଆସିକା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀଙ୍କ ପୌରହିତ୍ୟରେ ଯୁକ୍ତ ଦୁଇ ବାଳିକା ମାନଙ୍କ ପାଇଁ ଆତ୍ମ ସୁରକ୍ଷା ତାଲିମ ଶିବିର ଶୁଭାରମ୍ଭ ହୋଇଯାଇଛି।

ପ୍ରଥମେ ଅଧ୍ୟାପିକା ଡ. ସସ୍ମିତା ପାତ୍ର ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଦ୍ବାରା ସ୍ବାଗତ କରି ମଞ୍ଚାସୀନ କରିଥିଲେ ଏବଂ ଛାତ୍ରୀମାନଙ୍କୁ ଉକ୍ତ କାର୍ଯ୍ୟକ୍ରମ ବିଷୟରେ ସଂକ୍ଷିପ୍ତ ବିବରଣୀ ଦେଇଥିଲେ। ମଞ୍ଚାସୀନ ଅତିଥିଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ଜ୍ବଳନ କରାଯାଇଥିଲା।

ଛାତ୍ରୀମାନେ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ। ଏହି ତାଲିମ ଶିବିରରେ ମୁଖ୍ୟ ଅତିଥି ରୂପେ ଆସିକା ଉପଖଣ୍ଡ ଆରକ୍ଷୀ ଅଧିକାରୀ ନଚିକେତ୍ ସେଲ୍ଖେ ଯୋଗଦାନ କରିଥିଲେ। ଅଧ୍ୟାପିକା ସାପା ରଂଜିତାଙ୍କ ରାଣୀ ଉକ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଏବଂ ମଞ୍ଚାସୀନ ଅତିଥିମାନଙ୍କ ପରିଚୟ ପ୍ରଦାନ ସହ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସଂପର୍କରେ କହିଥିଲେ।

ଅଧ୍ୟକ୍ଷ ଡ଼. ତ୍ରିପାଠୀ ନିଜର ଅଧ୍ୟକ୍ଷ ବକ୍ତବ୍ୟରେ ଶିବିରର ଉଦ୍ଦେଶ୍ୟ ତଥା ସାଂପ୍ରତିକ ପରିସ୍ଥିତିରେ ବାଳିକା ମାନଙ୍କ ପାଇଁ ଆତ୍ମ ସୁରକ୍ଷା ନିତାନ୍ତ ଆବଶ୍ୟକ ବୋଲି ସୁଚାଇ ଥିଲେ। ମୁଖ୍ୟ ଅତିଥି ଶ୍ରୀମାନ୍ ସେଲ୍ଖେ ନିଜ ଅଭିଭାଷଣରେ କହିଥିଲେ ଯେ ଆତ୍ମ ସୁରକ୍ଷା ଆତ୍ମ ଜ୍ଞାନ ମାଧ୍ୟମରେ ହୋଇଥାଏ।

କଲେଜ ପ୍ରଶାସନିକ ଅଧିକାରୀ ପ୍ରଫେସର କେଦାର ନାଥ ପଣ୍ଡା ନିଜ ଉଦବୋଧନରେ ଛାତ୍ରୀମାନଙ୍କୁ ସଂସ୍କାରିତ ଓ ସଂଜମିତ ହେବା ପାଇଁ ପରାମର୍ଶ କରିଥିଲେ। କଲେଜର ପ୍ରାୟ ସମସ୍ତ ଯୁକ୍ତ ଦୁଇ ଛାତ୍ରୀ ଅଂଶ ଗ୍ରହଣ କରିଥିଲେ। କଲେଜର ଅଧ୍ୟୟନରତ ମାଷ୍ଟର ଟ୍ରେନର ଛାତ୍ରୀମାନେ ଆତ୍ମ-ସୁରକ୍ଷାର କେତକ ଭଙ୍ଗିମା ପ୍ରଦର୍ଶନ କରିଥିଲେ।


ଉକ୍ତ କମିଟିର ଅଧ୍ୟାପିକା ସେଇଲ ଝା, ବନଶ୍ରୀ ମହାନ୍ତି, ଜିନିତ୍ ସବା, ପଦ୍ମା ମଲିକ୍, ଋତୁପର୍ଣ୍ଣା ମହାନ୍ତି, ଏ. ଲକ୍ଷ୍ମୀ ଦୋରା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ପରିଶେଷରେ ଉପ ପ୍ରଶାସନିକ ଅଧିକାରୀ ଡ଼. ଅଭୟ କେଶରୀ ପରିଚ୍ଛା ପଟ୍ଟନାୟକ ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତଙ୍କ ସହଯୋଗ କାମନାରେ ଉକ୍ତ କାର୍ଯ୍ୟକ୍ରମଟି ଶାନ୍ତିଶୃଙ୍ଖଳାର ସହ ସଫଳ ରୂପାୟନ ହୋଇପାରିଥିଲା।



