
ରାୟଗଡା , ୧୨/୦୪/୨୨ ( ଜିଲ୍ଲା ଖବର ) : ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ଗୁଣୁପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଗୁଣୁପୁର ପରିସରରେ ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ଆଠ ଦିନ ଧରି ଚାଲିଥିବା ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ମଙ୍ଗଳବାର ଦିନ ଉଦଯାପିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ବାମଦେବ ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଗୁଣୁପୁର ଅଗ୍ନିଶମ ବିଭାଗର ଷ୍ଟେସନ ଅଧିକାରୀ ଶ୍ରୀ ଜେ. ଲାଲାଜୀ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଗୁଣୁପୁର ଅଗ୍ନିଶମ ବିଭାଗର ହାବିଲଦାର୍ ଶ୍ରୀ କୃଷ୍ଣଚନ୍ଦ୍ର ସତପଥି ଏବଂ ଅଗ୍ନିଶମ ବିଭାଗର କର୍ମଚାରୀ ଶ୍ରୀ ବିକ୍ରମ ପାତ୍ର ଯୋଗଦାନ କରିଥିଲେ |

ମୁଖ୍ୟ ଅତିଥି ସାମ୍ପ୍ରତିକ ପରିସ୍ଥିତିରେ ଛାତ୍ରୀମାନଙ୍କର ଆତ୍ମସୁରକ୍ଷା କୌଶଳ ଶିଖିବାର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିବା ବେଳେ ଅନ୍ୟତମ ଅତିଥି ଶ୍ରୀ କୃଷ୍ଣଚନ୍ଦ୍ର ସତପଥି ଛାତ୍ରୀମାନେ ବିଭିନ୍ନ ପ୍ରକାରର ବିପଦପୂର୍ଣ୍ଣ ପରିସ୍ଥିତିରୁ ନିଜକୁ ଓ ପରିବାରର ସଦସ୍ୟମାନଙ୍କୁ ତଥା ସମ୍ପର୍କୀୟମାନଙ୍କୁ କିପରି ଉଦ୍ଧାର କରିପାରିବେ, ସେ ସମ୍ପର୍କିତ ଆବଶ୍ୟକୀୟ ତଥ୍ୟ ପ୍ରଦାନ କରିବା ସହିତ କେତେଗୁଡିଏ ଘଟଣାର ଜ୍ୱଳନ୍ତ ଉଦାହରଣ ନିଜ ସହଯୋଗୀମାନଙ୍କର ସାହାଯ୍ୟ ନେଇ ପ୍ରଦର୍ଶନ କରାଇଥିଲେ ।

ଅନୁଷ୍ଠାନର ଅଧ୍ୟକ୍ଷ ଛାତ୍ରୀମାନେ ଆତ୍ମସୁରକ୍ଷା କୌଶଳ ଜାଣି ସେଗୁଡିକୁ ନିରନ୍ତର ଅଭ୍ୟାସ କରିବା ଦ୍ୱାରା ନିଜକୁ ଅସାମାଜିକ ବ୍ୟକ୍ତିଙ୍କ କବଳରୁ ରକ୍ଷା କରିବା ସହ ପରିବାର ଓ ସମାଜକୁ ମଧ୍ୟ ଅସାମାଜିକ ବ୍ୟକ୍ତିମାନଙ୍କ ଠାରୁ ରକ୍ଷା କରିପାରିବେ ବୋଲି ମତବ୍ୟକ୍ତ କରିଥିଲେ ।ଅନୁଷ୍ଠାନର ବରିଷ୍ଠ ଅଧ୍ୟାପକ ଡ଼ଃ ସୂର୍ଯ୍ୟ ନାରାୟଣ ପଣ୍ଡା ଏବଂ ଶ୍ରୀ ଶଶି ଭୂଷଣ ମହାନ୍ତି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ ।

କାର୍ଯ୍ୟକ୍ରମର ସଂଯୋଜିକା ଶ୍ରୀମତୀ ପୁଷ୍ପାଞ୍ଜଳୀ ସାହୁ ଅତିଥି ପରିଚୟ ପ୍ରଦାନ କରିବା ସହିତ ମଞ୍ଚ ପରିଚାଳନା କରିଥିଲେ ଏବଂ ଶେଷରେ ଅନୁଷ୍ଠାନର ଅଧ୍ୟାପକ ଶ୍ରୀ ବିକାଶ ଚନ୍ଦ୍ର ଭୂୟାଁ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଆତ୍ମରକ୍ଷା ପ୍ରଶିକ୍ଷଣ ପ୍ରଦାନ କରୁଥିବା Master trainer ଲିଲି ମାଣ୍ଡାଙ୍ଗି ଓ ଇଷ୍ଟେଲିନ୍ ମଣ୍ଡଳ ମଧ୍ୟ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ୧୪୧ ଜଣ ପ୍ରଶିକ୍ଷିତ ଛାତ୍ରୀଙ୍କୁ ଅତିଥିମାନଙ୍କ ଦ୍ଵାରା ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ।


