ବାଲେଶ୍ୱର ଜିଲ୍ଲା ନୀଳଗିରି ପୋଲିସର ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରତି ବର୍ବରଚିତ ଘଟଣାର ପ୍ରତିବାଦ।

66


ରାୟଗଡ଼ା , ୦୮/୦୪/୨୨ ( ଜିଲ୍ଲା ଖବର ) : ଗତକାଲି ବାଲେଶ୍ୱର ଜିଲ୍ଲାର ନୀଳଗିରି ଥାନା ଆଇଆଇସି ଦ୍ରୌପଦି ଦାସଙ୍କ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରତି ଅମାନବୀୟ କାର୍ଯ୍ୟର ଘୋର ନିନ୍ଦା କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିଲେ ରାୟଗଡା ଉପଖଣ୍ଡର ସମସ୍ତ ଗଣମାଧ୍ୟମ ପ୍ରତିନିଧିମାନେ ।

ପ୍ରାପ୍ତ ଖବରରୁ ପ୍ରକାଶ ଯେ, ଗତକାଲି କନକ ନିଉଜ ଓ ସମ୍ବାଦର ପ୍ରତିନିଧି ଲୋକନାଥ ଦଳାଇଙ୍କ ବାଇକ ସହ ନୀଳଗିରି ଥାନାରେ କାର୍ଯ୍ୟରତ ଜଣେ ଗୃହରକ୍ଷୀଙ୍କ ବାଇକ ସହ ନୀଳଗିରି ବଜାରରେ ଧକା ହୋଇଥିଲା ।

ଏହି ଘଟଣା ନେଇ ସେଠାରେ ସାମ୍ବାଦିକ ଓ ସମ୍ପୃକ୍ତ ଗୃହରକ୍ଷୀଙ୍କ ସହ ସାଧାରଣ ଯୁକ୍ତିତର୍କ ହୋଇଥିଲା ଓ ଏହା ପରେ ଆପୋଷ ବୁଝାବଣା ମଧ୍ୟ ହୋଇଥିଲା କିନ୍ତୁ ନୀଳଗିରି ଥାନା ଆଇଆଇସି ଦ୍ରୌପଦୀ ଦାସ ସାମ୍ବାଦିକ ଦଳାଇଙ୍କୁ ଥାନାକୁ ଡକାଇ ଦୁର୍ବ୍ୟବହାର କରିବା ସହ ଧକା ମାରିଥିଲେ ଯାହା ଫଳରେ ସାମ୍ବାଦିକ ଦଳାଇ ତଳେ ପଡିଯାଇ ଅସୁସ୍ଥ ହୋଇଥିଲେ ।

ଏହାପରେ ଆଇଆଇସି ମ୍ୟାଡ଼ମ ସାମ୍ବାଦିକ ଦଳାଇଙ୍କୁ ନୀଳଗିରି ଡାକ୍ତରଖାନାରେ ଗୋଡ଼ରେ ବେଡି ପକାଇ ଶିଙ୍କୁଳିରେ ବାନ୍ଧି ଦେଇଥିଲେ । ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଏହି ଭଳି ଅମାନବୀୟ କାର୍ଯ୍ୟକୁ ବିରୋଧ କରି ଆଜି ରାୟଗଡ ମିଡ଼ିଆ କେୟାର ତରଫରୁ ରାୟଗଡ ଉପଖଣ୍ଡରେ ଥିବା ସମସ୍ତ ଗଣମାଧ୍ୟମ ପ୍ରତିନିଧିମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ

ଧାରଣା ଦେବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏହି ଘଟଣା ନେଇ ନୀଳଗିରି ଆଇଆଇସି ଦ୍ରୌପଦୀ ଦାସଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଏକ ଦାବୀପତ୍ର ରାୟଗଡ ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ ଓ ଏହି ଭଳି ନୀଚ ମାନସିକତାର ଘୋର ନିନ୍ଦା କରିଥିଲେ ।

କରାଯାଇଥିବା ଏହି ପ୍ରତିବାଦରେ ରାୟଗଡ ହିଉମେନ ରାଇଟ୍ସର ସଦସ୍ୟା ମାନେ ମଧ୍ୟ ସହଯୋଗ କରିଥିଲେ ।