
ବୈପାରିଗୁଡା ( ଜିଲ୍ଲା ଖବର ) : କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ କେନ୍ଦୁଗୁଡ଼ା ଏବଂ ବାଲିଗାଁ କୁ ସଂଯୋଗ କରୁଥିବା ବି. ମାଝୀଗୁଡ଼ା ପୋଲର ୱାଲ ଗୁଡିକ ଭାଙ୍ଗି ଜରାଜୀର୍ଣ୍ଣ ହୋଇପଡିଛି ।ବି.ମାଝୀଗୁଡ଼ା ପୋଲ ଦେଇ ବାଲିଗାଁ ରେ ହେଉଥିବା ସାପ୍ତାହିକ ହାଟକୁ ହଜାର ହଜାର ଲୋକଙ୍କ ନିତିଦିନିଆ ରାସ୍ତା ହୋଇଥିବା ବେଳେ ପୋଲଟିର ୱାଲ ସମ୍ପୂର୍ଣ୍ଣ ଭାଙ୍ଗି ଯାଇ ବିପଦପୂର୍ଣ୍ଣ ଅବସ୍ଥାରେ ପୋଲଟି ରହିଥିବା ଦେଖିବାକୁ ମିଳିଛି ।ପୋଲଟି ଅତି ସଙ୍କୁଚିତ ଥିବାରୁ ପୋଲର ଦୁଇ ପାର୍ଶ୍ୱରେ ଥିବା ବାଡା ମଧ୍ୟ ଭାଙ୍ଗି ପଡିଛି।ଏହି ପୋଲର ସ୍ଥାନେ ସ୍ଥାନେ ତଳ ପାର୍ଶ୍ୱରେ ଫାଟ ସୃଷ୍ଟି ହୋଇଥିବାରୁ କୌଣସି ମୂହୁର୍ତ୍ତରେ ଏହା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡିବାର ଆଶଙ୍କା ରହିଛି ।ଉକ୍ତ ରାସ୍ତା ମରଣଯନ୍ତା ପାଲଟିଥିବାରୁ ସାଧାରଣ ପଥଚାରୀଠାରୁ ଆରମ୍ଭ କରି ବାଇକ୍ ଆରୋହୀ, ଛୋଟ ଯାନବାହାନ ମଧ୍ୟ ଯାତାୟାତ କରିବା କଷ୍ଟକର ହୋଇପଡିଛି ।ଖୁବ୍ ଶୀଘ୍ର ଏହି ପୋଲର ମରାମତି କାର୍ଯ୍ୟ କରାନଗଲେ ଏହି ପୋଲ ଭୁଶୁଡ଼ି ପଡି ଯୋଗାଯୋଗ ବିଛିନ୍ନ ହୋଇଯିବାର ଆଶଙ୍କା ରହିଛି ବୋଲି ବି. ମାଝୀଗୁଡ଼ାର ଗ୍ରାମବାସୀ ପ୍ରକାଶ କରିଛନ୍ତି ।ଏହା ସହିତ ପୋଲ ଗୁଡିକର ନିର୍ମାଣ କାର୍ଯ୍ୟ ଅତି ନିମ୍ନମାନର କରାଯାଉଥିବା ନେଇ ସ୍ଥାନୀୟ ଗ୍ରାମବାସୀ ନୀଳ ଖରା, ସାଧୁ ଖରା,ଗୋପାଳ ଖରା, ହରି ମାଝୀ,ବିଜୟ ମାଝୀ, କମିଟି ଖରା,ସାମନ୍ତ ଖରା, ମନ ଦଳେଇ ପ୍ରମୁଖ ଅଭିଯୋଗ କହିଛନ୍ତି ।ଏହି ବିଷୟରେ ସ୍ଥାନୀୟ ସରପଞ୍ଚ ଏବଂ ବୈପାରିଗୁଡା ବିଡ଼ିଓଙ୍କୁ ବାରମ୍ବାର ଲିଖିତ ଅଭିଯୋଗ କରାଯାଇଥିଲେ ସୁଦ୍ଧା ଏହି ପୋଲ ପ୍ରତି କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଉନି ।ତେବେ ସରକାର ବି. ମାଝୀଗୁଡ଼ା ଗ୍ରାମବାସୀଙ୍କ ଦୁଃଖ ଦୁର୍ଦ୍ଦଶା ଉପରେ କେବେ କର୍ଣ୍ଣପାତ କରୁଛନ୍ତି ତାହା ଦେଖିବା ବାକି ରହିଲା ।
ରିପୋର୍ଟ – ସରୋଜ କୁମାର ଲେଙ୍କା ।
କୋରାପୁଟ ।



