
ରାୟଗଡ଼ା , ୦୪/୦୪/୨୨ ( ଜିଲ୍ଲା ଖବର ) : ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ଗୁଣୁପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଗୁଣୁପୁର ପରିସରରେ ୨୦୨୧ -୨୨ ଶିକ୍ଷାବର୍ଷ ପାଇଁ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ସୋମବାର ଦିନ ଭଦଘାଟନ ହୋଇଯାଇଛି ।

ବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ବାମଦେବ ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଶିବିରରେ ମୁଖ୍ୟଅତିଥି ଭାବେ ଗୁଣୁପୁର ଥାନାର ଭାରପ୍ରାପ୍ତ ଅଧିକାରୀ ଶ୍ରୀ ଯଶୋବନ୍ତ କୁମାର ହିଆଲ୍ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଗୁଣୁପୁର ଥାନାର Inspector ଆଶ୍ରିତା ଖାଲକୋ ଏବଂ Sub Inspector ଶାରିକା ସେଠ୍ ଯୋଗଦାନ କରିଥିଲେ ।

ମୁଖ୍ୟ ଅତିଥି ଆତ୍ମରକ୍ଷା କୌଶଳ ଦ୍ବାରା ବ୍ୟକ୍ତି ଶାରୀରିକ ଓ ମାନସିକ କ୍ଷେତ୍ରରେ ସୁସ୍ଥ ରହିବା ସହ ନିର୍ଭୟରେ ଆଗକୁ ବଢି ପାରିବ ବୋଲି ଉଦବୋଧନ ଦେଇଥିବା ବେଳେ ଅନୁଷ୍ଠାନର ଅଧ୍ୟକ୍ଷ ଆତ୍ମରକ୍ଷା କୌଶଳର ଉପକାରିତା ଓ ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ଅନୁଷ୍ଠାନର ବରିଷ୍ଠ ପ୍ରାଧ୍ୟାପକ ଡକ୍ଟର ସୂର୍ଯ୍ୟନାରାୟଣ ପଣ୍ଡା ଏବଂ ଶ୍ରୀ ଶଶିଭୂଷଣ ମହାନ୍ତି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ ।

କାର୍ଯ୍ୟକ୍ରମର ସଂଯୋଜିକା ଶ୍ରୀମତୀ ପୁଷ୍ପାଞ୍ଜଳୀ ସାହୁ ଅତିଥି ପରିଚୟ ପ୍ରଦାନ କରିବା ସହିତ ମଞ୍ଚ ପରିଚାଳନା କରିଥିଲେ ଏବଂ ଶେଷରେ ଅନୁଷ୍ଠାନର ଅଧ୍ୟାପକ ଶ୍ରୀ ବିକାଶ ଚନ୍ଦ୍ର ଭୂୟାଁ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ପ୍ରଶିକ୍ଷଣ ଶିବିରରେ ଅନୁଷ୍ଠାନର ପୂର୍ବତନ ଛାତ୍ରୀ ଲିଲି ମାଣ୍ଡାଙ୍ଗି ଓ ଇଷ୍ଟେଲିନ୍ ମଣ୍ଡଳ ଉପସ୍ଥିତଥିବା ଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ +୨ ଶ୍ରେଣୀର ଛାତ୍ରୀମାନେ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଆତ୍ମରକ୍ଷା କୌଶଳ ଶିକ୍ଷାଲାଭ କରିବେ ।



