
ଯାଜପୁର , ୦୧/୦୪/୨୨ ( ଜିଲ୍ଲା ଖବର ) : ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ପାଟପୁର ପଞ୍ଚାୟତରେ ଯାଜପୁର ଜଳ ବିଭାଜିକାରେ କ୍ଷେତ ପୋଖରୀ ଯୋଜନାରେ ଅନିୟମିତା ହୋଇଥିବା ଅଭିଯୋଗ ହୋଇଛି ।



ମହାତ୍ମାଗାନ୍ଧି ନିିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମଏନଆରଇଜିଏସ)ରେ ପ୍ରକଳ୍ପରେ ମେସିନ ବ୍ୟବହାରକୁ ସମ୍ପୁର୍ଣ୍ଣ ବାରଣ କରାଯାଇଥିବା ବେଳେ ଜନୈକ ବ୍ୟକ୍ତିଙ୍କ କ୍ଷେତ ପୋଖରୀ ଖୋଳାରେ ମେସିନ୍ ବ୍ୟବହାର ହେଉଥିବା ଫଟୋ ଆଜି ସମ୍ପୃକ୍ତ ପଞ୍ଚାୟତରେ ଭାଇରାଲ ହେବାରେ ଲାଗିଛି ।



ଯାଜପୁର ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଜଣାତରେ ନା ଅଜଣାତରେ ଏଭଳି ଅନିୟମିତତା ଚାଲିଛି ତାକୁ ନେଇ ପଞ୍ଚାୟତବାସୀଙ୍କ ମନ ମଧ୍ୟରେ ପ୍ରଶ୍ନ ଉଠିଛି ।



ମିଳିଥିବା ତଥ୍ୟ ଓ ସୂଚନା ମୁତାବକ, ଏମଏନଆରଇଜିଏସରେ ଥିବା ଜଳ ସଂରକ୍ଷଣ ଯୋଜନାରେ ପଞ୍ଚାୟତରେ ପୋଖରୀ ଖୋଳିବା ଭଳି କାର୍ଯ୍ୟ ହୋଇପାରିବ । ୨୦୨୦-୨୧ ଆର୍ଥିକ ବର୍ଷରେ ବାର୍ଷିକ ଯୋଜନାରେ ପାଟପୁର ଗ୍ରାମର ସମୀର ଧଳଙ୍କୁ ପୋଖରୀ ଖୋଳିବା ନିମନ୍ତେ ଜିଲ୍ଲା ଜଳ ବିଭାଜିକାର ପ୍ରକଳ୍ପ ଅଧିକାରୀଙ୍କ ପକ୍ଷରୁ ତା୧୫.୪.୨୧ରିଖରେ, କାର୍ଯ୍ୟ ନଂ-୧୦୫୨୧୦୫୦ରେ ବୈଷୟିକ ଅନୁମୋଦନ ମିଳିଥିଲା ।


ଯେଉଁଥିରେ ୨ ଲକ୍ଷ ୪୧ ହଜାର ଟଙ୍କା ଶ୍ରମିକ ମଜୁରୀ ଓ ଆନୁସଙ୍ଗିକ ଉପକରଣ ଖର୍ଚ୍ଚ ବାବଦକୁ ୩୦ ହଜାର ୧୦୦ ଟଙ୍କା ମୋଟ ୨ ଲକ୍ଷ ୭୯ ହଜାର ଟଙ୍କା ଏଷ୍ଟିମେଟ୍ କରାଯାଇ ଆର୍ଥିକ ଖର୍ଚ୍ଚ ଅନୁମୋଦନ କରାଯାଇଥିଲା ।

ତେବେ ଆଜି ସୁଦ୍ଧା ଏହି କାମରେ ମାଷ୍ଟର ରୋଲ ନମ୍ବର ୮୫୯୦ ରେ ତା ୩୧.୧୨.୨୧ରିଖ ଠାରୁ ୧୩.୧.୨୨ରିଖ ମଧ୍ୟରେ ଦୈନିକ ୨୧୫ ଟଙ୍କା ହିସାବରେ ୧୦ ଦିନ କାମ ପାଇଁ ୨୧୫୦ ଟଙ୍କା ଶ୍ରମିକ ସୁରେନ୍ଦ୍ର ଧଳଙ୍କୁ ପେମେଣ୍ଟ ହୋଇଥିବା ବିଭାଗୀୟ ୱେବସାଇଟରେ ତଥ୍ୟ ଉପଲବ୍ଧ ରହିଛି । ମାତ୍ର ଗତ କାଲି ଠାରୁ ଏହି ପ୍ରକଳ୍ପରେ ଜେସିବ ମେସିନ୍ ଲାଗିଛି ।


ମେସିନରେ ମାଟି ଖୋଳା ହେବା ପରେ ଏହାକୁ ଟ୍ରାକ୍ଟରରେ ବୁହା ହେଉଛି । ଗତ ନିର୍ବାଚନ ପୂର୍ବରୁ ଏହି କାମ ଯଦି ଶ୍ରମିକ କରୁଥିଲେ ତେବେ ନିର୍ବାଚନ ପରେ ହଠାତ କାହିଁକି ଶ୍ରମିକ ବଦଳରେ ମେସିନ ବ୍ୟବହାର ହେଲା ତାକୁ ନେଇ ପଞ୍ଚାୟତରେ ଚର୍ଚ୍ଚା ଯୋର ଧରିଛି । ଏହି କାମ ତଦାରଖ ଦାୟିତ୍ୱ ଜିଆରଏସଙ୍କ ଉପରେ ନ୍ୟସ୍ତ ରହିଥିବା ବେଳେ ସେ କାହିଁକି ଏଭଳି ଅନିୟମିତତାକୁ ପ୍ରଶ୍ରୟ ଦେଇଛନ୍ତି ତାକୁ ନେଇ ପ୍ରଶ୍ନ ଉଠିଛି ।



ଅଭିଯୋଗ ଆସିବା ପରେ ବ୍ଲକର ବିଭାଗୀୟ ଯନ୍ତ୍ରୀଙ୍କୁ ପଚାରିବାରୁ ଏମିତି ପ୍ରକଳ୍ପ ସମ୍ପର୍କରେ ସେ ଜାଣିନଥିବା ଓ ଏହା ଅନ୍ୟ ବିଭାଗର ବୋଲି ସଫେଇ ଦେଇଛନ୍ତି । ତେବେ ପ୍ରକଳ୍ପ ନିକଟରେ ଥିବା ଫଳକରେ କାର୍ଯ୍ୟ ନିର୍ବାହୀ ସଂସ୍ଥା- ପ୍ରକଳ୍ପ ନିର୍ଦ୍ଦେଶକ, ଜଳ ବିଭାଜିକା, ଯାଜପୁର ବୋଲି ଉଲ୍ଲେଖ କରାଯାଇଛି । ଏହି ପ୍ରକଳ୍ପ କାର୍ଯ୍ୟରେ ମେସିନ ବ୍ୟବହାର ହୋଇପାରିବ କି ନାଁ ସେ ସମ୍ପର୍କରେ ଜାଣିବା ପାଇଁ ଯାଜପୁର ଜଳ ବିଭାଜିକା ସଂସ୍ଥା ସହିତ କୌଣସି ଯୋଗାଯୋଗ ହୋଇପାରି ନାହିଁ l
ଯାଜପୁର ରୁ ପ୍ରମୋଦ ରାଉତ ରିପୋର୍ଟ ଜିଲ୍ଲା ଖବର ।



