
ଭଞ୍ଜନଗର ୩୦/୦୩/୨୨ ( ଜିଲ୍ଲା ଖବର ) : ଘୁମୁସର ବରିଷ୍ଠ ନାଗରିକ ମଞ୍ଚ ର ୪ର୍ଥ ବାର୍ଷିକ ସମ୍ମିଳନୀ ଭଞ୍ଜନଗର ନିକଟସ୍ଥ ଝାଙ୍କରେଇ ପୀଠ ଠାରେ ୨୯ ତାରିଖ ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏହାକୁ ଉଦଘାଟନ କରିଥିଲେ ମୁଖ୍ୟ ଅତିଥି ରାଜ୍ୟ ବରିଷ୍ଠ ନାଗରିକ ପରିଷଦର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଯୁଗଳ କିଶୋର ସାହୁ । ଏହି ସମ୍ମିଳନୀରେ ଅଧ୍ୟକ୍ଷତା କରିଥିଲେ ସଭାପତି ଶ୍ରୀଯୁକ୍ତ ସୋମନାଥ ନାୟକ ।


ସଭାପତିଙ୍କ ସମେତ ମଞ୍ଚର ଉପଦେଷ୍ଟା ଡକ୍ଟର କମ୍ଭପାଣି ସାମନ୍ତ, ମୁଖ୍ୟଅତିଥି ଶ୍ରୀଯୁକ୍ତ ସାହୁ ସମ୍ବର୍ଦ୍ଧିତ ବ୍ୟକ୍ତିତ୍ବ ଡକ୍ଟର ଶାନ୍ତନୁ କୁମାର ରଥ, ମୁଖ୍ୟବକ୍ତା ଶିକ୍ଷାବିତ ଲକ୍ଷ୍ମଣ କୁମାର ପଣ୍ଡା, ସମ୍ମାନିତ ଅତିଥି ଚଳଚିତ୍ର ଅଭିନେତା ସୁବାସ ଚନ୍ଦ୍ର ପାତ୍ର, ପୃଥ୍ବୀରାଜ ପ୍ରତାପ ଚନ୍ଦ୍ର ସିଂହ, ଦୁଇ ଉପ-ସଭାପତି ପ୍ରଭାତ ଚନ୍ଦ୍ର ତରାସିଆ, ବାଳକୃଷ୍ଣ ବେହେରା, ସମ୍ପାଦକ ରବୀନ୍ଦ୍ର ଆଚାର୍ଯ୍ୟ, କୋଷାଦ୍ଧକ୍ଷ ବ୍ରଜଗୋପାଳ ମହାରଣା ମଞ୍ଚାସୀନ ଥିଲେ । ସମ୍ମିଳନୀ ଆରମ୍ଭରେ ଉପଦେଷ୍ଟା ଡକ୍ଟର ସାମନ୍ତ ଅତିଥି ତଥା ସମବେତ ପ୍ରତିନିଧିମାନଙ୍କୁ ସ୍ଵାଗତ କରିଥିଲେ ।


ଡକ୍ଟର ଶାନ୍ତନୁ ରଥଙ୍କୁ ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ପାଦକ ଶ୍ରୀଯୁକ୍ତ ଆଚାର୍ଯ୍ୟ ଗତବର୍ଷର ବାର୍ଷିକ ବିବରଣୀ ସାଙ୍ଗକୁ ଆୟବ୍ୟୟ ର ହିସାବ ଉପସ୍ଥାପିତ କରିଥିଲେ। ତାହା ଉପରେ ଆଲୋଚନା ହୋଇ ସର୍ବସମ୍ମତି କ୍ରମେ ଗୃହୀତ ହୋଇଥିଲା । ମୁଖ୍ୟବ୍ୟକ୍ତା ଶ୍ରୀଯୁକ୍ତ ପଣ୍ଡା, ଡକ୍ଟର ରଥ, ସମ୍ମାନିତ ଅତିଥିଦ୍ୱୟ ସୁବାସ ଚନ୍ଦ୍ର ପାତ୍ର ଓ ପୃଥ୍ବୀରାଜ ପ୍ରତାପ ସିଂହ ଉଦବୋଧନ ଦେଇ କହିଥିଲେ “ ବରିଷ୍ଠ ନାଗରିକମାନେ କୌଣସି କ୍ଷେତ୍ରରେ ନିଜକୁ ସଙ୍କୁଚିତ ମାନେ ନ କରି ସମସ୍ତ ନକାରାତ୍ମକଭାବ ମନରୁ ଦୂରେଇ ସକାରାତ୍ମକଭାବ ନେଇ ସାମାଜିକ କର୍ମରେ ନିଜକୁ ନିଯୋଜିତ କରିବା ସଙ୍ଗେ ଆତ୍ମସମୀକ୍ଷାପୂର୍ବକ ଆଧ୍ୟାତ୍ମ୍ୟ ଚିନ୍ତନ କଲେ ମାନସିକ ଶାନ୍ତି ଆସିବ, ବାର୍ଦ୍ଧକ୍ୟ ଜୀବନରେ କୌଣସି ଅସହାୟତା ବୋଧ ଆସିବ ନାହିଁ ।“

ରାଜ୍ୟ ସମ୍ପାଦକ ଶ୍ରୀଯୁକ୍ତ ସାହୁ ରାଜ୍ୟସ୍ତରରେ ବରିଷ୍ଠ ନାଗରିକ ମାନଙ୍କୁ ଜାତୀୟ ସ୍ୱାସ୍ଥ୍ୟବୀମା ଲାଗୁ କରିବା, ବାର୍ଦ୍ଧକ୍ୟ ଭତ୍ତା ୫ହଜାର ଟଙ୍କାକୁ ବୃଦ୍ଧି କରିବା, ରାଜ୍ୟରେ ଗଢି ଉଠିଥିବାସମସ୍ତ ବରିଷ୍ଠ ନାଗରିକ ମଞ୍ଚକୁ ନିଜ କାର୍ଯ୍ୟ।ଳୟ ପାଇଁ ଦୁଇ ନଉତି ଅର୍ଥାତ ୨୦ଡେସିମିଲ ଜାଗା ଯୋଗାଇଦେବା ପାଇଁ ସରକାରଙ୍କ ପାଖରେ ଦୃଢଦାବୀ କରାଯାଇଛି ବୋଲି ପ୍ରକାଶ କରିଥିଲେ । ଭଞ୍ଜନଗର ମଞ୍ଚର ସକ୍ରିୟ କାର୍ଯ୍ୟକଳାପର ପ୍ରଶଂସାକରି ରାଜ୍ୟରେ ଏହା ଏକ ଆଦର୍ଶ ସ୍ଥାନୀୟ ମଞ୍ଚ ଭାବରେ ଉଭାହୋଇଛି ବୋଲି ପ୍ରକାଶ କରିଥିଲେ ।



ମଧ୍ୟାହ୍ନ ଭୋଜନ ବିରତି ପରେ ଚଳିତବର୍ଷ ପାଇଁ କର୍ମକର୍ତ୍ତା ନିର୍ବାଚନ ହୋଇଥିଲା । ସଭାପତି, ଉପସଭାପତି, ସମ୍ପାଦକ, ଯୁଗ୍ମ ସମ୍ପାଦକ, କୋଷାଧ୍ୟକ୍ଷ ପୁନଃ ନିର୍ବାଚିତ ହୋଇଛନ୍ତି । ସମୀକ୍ଷକଭାବେ ଏସ.କେ.ହୁସେନ,ଦ୍ଵିତୀୟ ଯୁଗ୍ମ ସମ୍ପାଦକ ଭାବେ ହରେକୃଷ୍ଣ ସାହୁ ଓ ଲଡୁ କିଶୋର ପ୍ରଧାନ, ବାଳକୃଷ୍ଣ ପାଢୀ, ଲିଙ୍ଗରାଜ ଜେନା, ଗୋବିନ୍ଦ ଚନ୍ଦ୍ର ଲେଙ୍କା, ନୀଳମଣି ବେହେରା ନୂତନଭାବେ କାର୍ଯ୍ୟକାରୀ ସଦସ୍ୟଭାବେ ନିର୍ବାଚିତ ହୋଇଛନ୍ତି । ସମ୍ବିଧାନ ସଂଶୋଧନ କରାଯାଇ ସଭାପତିଙ୍କୁ ସାହାର୍ଯ୍ୟ ସହଯୋଗ ଦେବା ପାଇଁ ଏକାଧିକ କାର୍ଯ୍ୟକାରୀ ସଭାପତି ପଦ ସୃଷ୍ଟି କରାଗଲା । ସଭାଶେଷରେ ବ୍ରଜଗୋପାଳ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ।


