
ଆସିକା , ୧୪/୦୩/୨୨। ( ଜିଲ୍ଲା ଖବର ) : ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ଜାତୀୟ ସ୍ବାସ୍ଥ୍ୟ ପ୍ରଚାରକ ମଣ୍ଡଳ, ଭାରତ ସରକାର ଏବଂ ଓଡିଶା ସରକାରଙ୍କ ମିଳିତ ସହଯୋଗରେ ୨୦୨୫ ମସିହା ସୁଦ୍ଧା ଯକ୍ଷ୍ମା ରୋଗର ସଂପୂର୍ଣ ନିରାକରଣ ପାଇଁ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ କୁଇଜ୍, ରଙ୍ଗୋଲୀ ତଥା କାରିଗରୀ କୌଶଳ କାର୍ଯ୍ୟକ୍ରମ ସଂପାଦିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ବାଲିସିରା, ଗଂଜାମ ଦ୍ବାରା ପ୍ରାୟୋଜିତ ହୋଇଥିଲା। ଏଥିରେ ସି.ଏଚ୍.ସି ବାଲିସିରା ର ପ୍ରତିନିଧି ଗୋଷ୍ଠୀ ରୂପେ ଆସିକା ଉପଖଣ୍ଡ ସରକାରୀ ହସ୍ପିଟାଲର ବରିଷ୍ଠ ଚିକିତ୍ସା ପର୍ଯ୍ୟବେକ୍ଷକ ସଂଗୀତାରାଣୀ ସ୍ବାଇଁ, ଆଇ.ସି.ଟି.ସି. ଉପଦେଷ୍ଟା ଦୀପକ କୁମାର ରାଉତ, ବରିଷ୍ଠ ଚିକିତ୍ସା ପ୍ରୟୋଗଶାଳା ପର୍ଯ୍ୟବେକ୍ଷକ ବିଶ୍ବଜିତ୍ ସାମନ୍ତରାୟ, ଆୟୁଷ୍ ଡକ୍ଟର ଅକ୍ଷୟ କୁମାର ପାଣିଗ୍ରାହୀ ଉପସ୍ଥିତ ରହି ନିଜ ନିଜର ବ୍ୟକ୍ତବ୍ୟରେ ଯକ୍ଷ୍ମା ରୋଗର ନିରାକରଣ ଏବଂ ତତ୍-ସଂକ୍ରାନ୍ତୀୟ ସଚ଼େତନତା ଉପରେ ଆଲୋକପାତ କରିଥିଲେ।

ଯୌନରୋଗ ହେଲେ ଯକ୍ଷ୍ମାରୋଗ ମଧ୍ୟ ତାର କାୟା ବିସ୍ତାର କରିଥାଏ ବୋଲି ସମସ୍ତେ ମତ ପୋଷଣ କରିଥିଲେ। ସେଥିପାଇଁ ଯୌନ କାର୍ଯ୍ୟକଳାପରୁ ନିବୃତ ରହିବା ପାଇଁ ମଧ୍ୟ ସମସ୍ତଙ୍କୁ ସଚ଼େତନ କରାଇଥିଲେ। ଏହି ସଚ଼େତନତା କାର୍ଯ୍ୟକ୍ରମର ଉପରୋକ୍ତ ପ୍ରତିଯୋଗିତା ଗୁଡିକରେ ମହାବିଦ୍ୟାଳୟର ଅନେକ ମେଧାବୀ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ ଏବଂ କୃତୀ ଛାତ୍ରଛାତ୍ରୀ ମାନଙ୍କୁ କଲେଜ ଅଧ୍ୟକ୍ଷ ଡ଼ ଜୀବାନନ୍ଦ ତ୍ରିପାଠୀ ଏବଂ ଉପସ୍ଥିତ ସମ୍ମାନିତ ଅତିଥିମାନଙ୍କ ଦ୍ବାରା ପୁରସ୍କାର ଏବଂ ମାନପତ୍ର ବିତରଣ କରାଯାଇଥିଲା।

କାର୍ଯ୍ୟକ୍ରମଟିକୁ ତ୍ବରାନ୍ବିତ କରିବା ପାଇଁ ପ୍ରଫେସର ଶାଶ୍ବତ ମିଶ୍ର, ଡ. ନନ୍ଦିତା ଦାଶ, ସସ୍ମିତା ପାତ୍ର, ଇ. ରେଶମା ପାତ୍ର, ପ୍ରୟୋଗଶାଳା ଅଧ୍ୟାପକ ଗଣେଶ୍ବର ପ୍ରଧାନ, ଧନଞ୍ଜୟ ମହାପାତ୍ର, ମୁନା ଗୌଡ ଏବଂ ସହାୟକ ଗ୍ରନ୍ଥାଗାରିକ ମାନସରଞ୍ଜନ ଗୌଡ଼ ଇତ୍ୟାଦି କର୍ମଚାରୀ ସହଯୋଗ କରିଥିଲେ।



