
ଆସିକା , ୧୧/୦୩/୨୨ ( ଜିଲ୍ଲା ଖବର ) : ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ରକ୍ତଦାନ ଶିବିର ଅଧ୍ୟକ୍ଷ ଡ଼. ଜୀବାନନ୍ଦ ତ୍ରିପାଠୀଙ୍କ ପୌରହିତ୍ୟରେ ଆୟୋଜିତ ହୋଇଯାଇଛି।
ଏହି ଶିବିର ମହାବିଦ୍ୟାଳୟର ଯୁବ ରେଡକ୍ରସ୍, ରାଷ୍ଟ୍ରୀୟ ସେବା ସଂସ୍ଥା, ରାଷ୍ଟ୍ରୀୟ ସମର ଶିକ୍ଷାର୍ଥୀ ବାହିନୀ, ସ୍କାଉଟ୍ ରୋଭର୍ସ ରେଞ୍ଜର ଶାଖାର ମିଳିତ ଆନୁକୂଲ୍ୟରେ ଆନୁଷ୍ଠାନିକ ରୂପେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ରୂପେ ଗଂଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡ ଉପଜିଲ୍ଲାପାଳ ତଥା ଆସିକା ବିଜ୍ଞାନ ମହାବିଦ୍ୟାଳୟ ଗଭର୍ଣ୍ଣିବଡିର ସଭାପତି ଶ୍ରୀଯୁକ୍ତ ରାଜେନ୍ଦ୍ର ମିଞ୍ଜ୍ ଯୋଗ ଦେଇଥିଲେ।
ଭଞ୍ଜନଗର ବ୍ଳଡ୍ ବ୍ୟାଙ୍କର ଡାକ୍ତରୀ ଟିମ୍ ଙ୍କ ସହ ଭଞ୍ଜନଗର ଉପଖଣ୍ଡ ସରକାରୀ ହସ୍ପିଟାଲର ଡକ୍ଟର ଅନିଲ୍ କୁମାର ଚୌଧୂରୀ ତଥା ଦ୍ବିତୀୟ ବାଟାଲିୟନ, ବ୍ରହ୍ମପୁରର ଆର୍ମି ଅଫିସର ଖରକ ଚାନ୍ଦ ଉପସ୍ଥିତ ଥିଲେ। ମୁଖ୍ୟ ଅତିଥି ଉପଜିଲ୍ଲାପାଳ ଶ୍ରୀମାନ୍ ମିଞ୍ଜ୍ ଯୁବକ ଏବଂ ଯୁବତୀ ମାନଙ୍କୁ ସ୍ବେଚ୍ଛାକୃତ ରକ୍ତଦାନ କରିବା ପାଇଁ ଆହ୍ବାନ କରିଥିଲେ। କଲେଜ ଅଧ୍ୟକ୍ଷ ଡ. ତ୍ରିପାଠୀ ଏବଂ ଡକ୍ଟର ଚୌଧୂରୀ ରକ୍ତଦାନର ମହତ୍ ଉଦ୍ଦେଶ୍ୟ ବିଷୟରେ ନିଜ ନିଜର ମତ ରଖିଥିଲେ।
ମୁଖ୍ୟରୂପେ ଡ଼ ଚୌଧୂରୀ ପୁରୁଷ ବର୍ଗଙ୍କ କ୍ଷେତ୍ରରେ ରକ୍ତଦାନର ମହତ୍ବ ପ୍ରତିପାଦନ କରିଥିଲେ ଏବଂ ରକ୍ତଦାନ ଦ୍ବାରା ନୂତନ ଲୋହିତ ରକ୍ତକଣିକା ଜାଗ୍ରତ ହୋଇଥାଏ ବୋଲି ମତ ପୋଷଣ କରିଥିଲେ। ଅଧ୍ୟାପକ ବିଭୁକଲ୍ୟାଣ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ। ତତ୍ ସଙ୍ଗେ ସଙ୍ଗେ ସ୍ବେଚ୍ଛାସେବୀ ଛାତ୍ରଛାତ୍ରୀ ଏବଂ କର୍ମଚାରୀ ଏବଂ ସ୍ଥାନୀୟ ଅଞ୍ଚଳର କେତେକ ବ୍ୟକ୍ତିଙ୍କ ଦ୍ବାରା ମୋଟ ୫୩ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା।
କଲେଜର ରାଷ୍ଟ୍ରୀୟ ସମର ଶିକ୍ଷାର୍ଥୀ ବାହିନୀର ମେଜର ଡ଼ ଶଙ୍କର ପ୍ରସାଦ ଅଧିକାରୀ, ଯୁବ ରେଡକ୍ରସ୍ ଶାଖାର ଉପଦେଷ୍ଟା ଅଧ୍ୟାପକ ରାଜେଶ୍ କୁମାର ସାହୁ, ଯୁକ୍ତ ତିନି ଏବଂ ଯୁକ୍ତ ଦୁଇର ରାଷ୍ଟ୍ରୀୟ ସେବା ସଂସ୍ଥା ସମସ୍ତ ୟୁନିଟ୍ ର ଯୋଜନା ଅଧିକାରୀ ଅଧ୍ୟାପକ ବିଭୁକଲ୍ୟାଣ ପଣ୍ଡା, ଦୟାନିଧି ବଡରଇତ, ପ୍ରଦୀପ ଶବର ଏବଂ ଅଧ୍ୟାପିକା ଡ. ସସ୍ମିତା ପାତ୍ର, ସ୍କାଉଟ୍ ରୋଭର୍ସ ରେଞ୍ଜର ଗାଇଡ୍ ଅଧ୍ୟାପିକା ଏସ୍. ରଞ୍ଜିତା ରାଣୀଙ୍କ ସଂଯୋଜନାରେ ରକ୍ତଦାନ ଶିବିର ସଂପାଦିତ ହୋଇଥିଲା।
କଲେଜର ପ୍ରଶାସନିକ ଅଧିକାରୀ ପ୍ରଫେସର କେଦାର ନାଥ ପଣ୍ଡା ଏବଂ ଉପ ପ୍ରଶାସନିକ ଅଧିକାରୀ ଡ଼. ଅଭୟ କେଶରୀ ପରିଚ୍ଛା ପଟ୍ଟନାୟକ ରକ୍ତଦାନ ଶିବିର କାର୍ଯ୍ୟକୁ ତ୍ବରାନ୍ବିତ କରିଥିଲେ। ଏଥିରେ ସମସ୍ତ ଶାଖାର ସ୍ବେଚ୍ଛାସେବୀ ଛାତ୍ରଛାତ୍ରୀ ମଧ୍ୟ ସମସ୍ତଙ୍କୁ ସହଯୋଗ କରିଥିଲେ।













