Monday, November 16, 2026
Home ଆଞ୍ଚଳିକ ଚିଟଫଣ୍ଡ୍ ଜମାକାରୀଙ୍କ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ ।

ଚିଟଫଣ୍ଡ୍ ଜମାକାରୀଙ୍କ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ ।

83

ବେଲଗୁଣ୍ଠା , ୧୪/୦୨/୨୨ (ଜିଲ୍ଲା ଖବର ) : ବିଭିନ୍ନ ଅର୍ଥଲଗାଣକାରୀ ସଂସ୍ଥା ଦ୍ୱାରା ପ୍ରତାରିତ ହୋଇଥିବା ବେଲଗୁଣ୍ଠା ଅଞ୍ଚଳର ଜମାକାରୀ ମାନେ ବେଲଗୁଣ୍ଠା ତହସିଲଦାରାଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣ ସତ୍ୟାଗ୍ରହ କରିବା ସହିତ ତହସିଲଦାରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି I

ସୂଚନା ପ୍ରକାରେ ବିଭିନ୍ନ ଆର୍ଥିକ ସଂସ୍ଥା ବିଭିନ୍ନ ସ୍କିମ୍ ରେ ଜମାକାରୀଙ୍କ ଠାରୁ ଅର୍ଥ ସଂଗ୍ରହ କରି ବେଆଇନ୍ ଜମା ଘଟଣା ପଦକୁ ଆସିବା ପରେ ରାଜ୍ୟ ସରକାର ଏଥିରେ ରୋକ୍ ଲଗାଇଥିଲେ I କିନ୍ତୁ ଜମାକାରୀ ମାନେ ନିଜ କଷ୍ଟ ଅର୍ଜିତ ଜମା ଫେରି ପାଇନଥିଲେ I ଫଳରେ ସେମାନେ ବାରମ୍ବାର ଆନ୍ଦୋଳନ କରିବା ଯୋଗୁଁ ରାଜ୍ୟ ସରକାର ଜମାକରୀଙ୍କୁ ଟଙ୍କା ଫେରସ୍ତ ଦେବା ପାଇଁ ବିଭିନ୍ନ ପ୍ରତିଶୃ୍ତି ମଧ୍ୟ ଦେଇଥିଲେ I

କିନ୍ତୁ ଏ ଦିଗରେ ଆଜି ସୁଦ୍ଧା ରାଜ୍ୟ ସରକାରଙ୍କ ତରଫରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା କ୍ଷତିଗ୍ରସ୍ତ ଜମାକାରୀଙ୍କ ଦ୍ୱାରା ଗଠିତ ମିଳିତ ମଞ୍ଚ ଅଭିଯୋଗ କରିଛି I

ଆଜି କ୍ଷତିଗ୍ରସ୍ତଙ୍କ ମିଳିତ ମଞ୍ଚ ତରଫରୁ ବେଲଗୁଣ୍ଠା ତହସିଲଦାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଚାରି ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି I

ମିଳିତ ମଞ୍ଚର ଦାବି ପ୍ରକାରେ କମିଶନର୍ ଙ୍କ ଦ୍ୱାରା ସୁପାରିଶ ହୋଇଥିବା ଜମାକାରୀଙ୍କୁ କର୍ପସ୍ ଫଣ୍ଡ୍ ରୁ ଟଙ୍କା ଫେରସ୍ତ କରାଯାଉ I ଓଡ଼ିଶାର ସମସ୍ତ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ସ୍ଥାନୀୟ ତହସିଲ୍ ଜରିଆରେ ଯୁଦ୍ଧକାଳୀନଭିତ୍ତିରେ ଚିହ୍ନଟ କରାଯାଉ I

ସାହାରା ଭଳି ଯେଉଁ ଅସାଧୁ ସଂସ୍ଥା ଜମାରାଶି ନେଇ ପରିପକ୍ଵତା ପରେ ବି ଟଙ୍କା ନଫେରାଇ ନୁଆଁ ସ୍କିମ୍ ରେ ଜମାରାଶି କାଗଜ ଧରାଉଛନ୍ତି ,ସେହି ଜମା ସଂଗ୍ରହ ବନ୍ଦ ରଖି ଆଗାମୀ ୧୫ ଦିନ ମଧ୍ୟରେ ପରିପକ୍ୱ ରାଶି ଉପରେ ସୁଧ ସହ ଫେରସ୍ତ ଦିଆଯାଉ ଏବଂ ଫେରସ୍ତ ନକରିଥିବା ସଂସ୍ଥା ନାମରେ ଥାନାରେ ମାମଲା ରୁଜୁ କରାଯାଇ ଉଚ୍ଚ ସ୍ତରୀୟ ତଦନ୍ତ କରାଯାଉ I

ଓଡ଼ିଶାରେ ଜମାକାରୀଙ୍କୁ ଠକିଥିବା ପ୍ରତ୍ଯେକ କମ୍ପାନୀର ସ୍ଥାବର ଅସ୍ଥାବର ସମ୍ପତ୍ତି ଜବତ କରି ସେହି ସମ୍ପତ୍ତିର ନିଲାମ ଅର୍ଥ ଜମାକାରୀଙ୍କୁ ଫେରସ୍ତ କରାଯାଉ I

ଆଜି ମିଳିତ ମଞ୍ଚର ଜଗନ୍ନାଥ ପାତ୍ର, ସମୀର୍ ବିଷୋୟୀ, ହରିହର ସାହୁ, କମ୍ଭୁପାଣି ନାୟକଙ୍କ ସମେତ ଅନ୍ୟ ଜମାକାରୀ ମାନେ ଉପସ୍ଥିତ ରହି ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ I

ରିପୋର୍ଟ-ଶିବରାମ ଚୌଧୁରୀ