
ବେଲଗୁଣ୍ଠା, ୧୨/୦୨/୨୨ (ଜିଲ୍ଲା ଖବର ) : ବେଲଗୁଣ୍ଠା ସହରରେ ପେଟ୍ରୋଲ ଦରକୁ ନେଇ ଗ୍ରାହକ ଅସନ୍ତୋଷ ସମ୍ପର୍କରେ ଖବର ପାଇବା ପରେ ଆଜି ପ୍ରଶାସନ ତରଫରୁ ପେଟ୍ରୋଲ୍ ପମ୍ପରେ ଚଢାଉ କରାଯାଇ ପମ୍ପ୍ କୂ ସିଲ୍ କରାଯାଇଛି I ସୂଚନା ପ୍ରକାରେ ବେଲଗୁଣ୍ଠା ଜଗନ୍ନାଥ ପ୍ରସାଦ ରୋଡ୍ ରେ ଥିବା ଏକମାତ୍ର ପେଟ୍ରୋଲ ପମ୍ପ ରେ ଆଖପାଖ ସବୁ ଅଞ୍ଚଳର ପେଟ୍ରୋଲ ପମ୍ପ ରେ ନିର୍ଦ୍ଧାରିତ ଦରଠାରୁ ଏକ ଟଙ୍କା ଅଧିକ ହୋଇଥିବା ନେଇ ଗ୍ରାହକ ମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଗ୍ରାହକଙ୍କ ଅଭିଯୋଗ ପ୍ରକାରେ ବେଲଗୁଣ୍ଠା ସ୍ଥିତ ପେଟ୍ରୋଲ୍ ପମ୍ପ
ରେ ପେଟ୍ରୋଲ ଲିଟର ପିଛା ଟ ୧୦୪.୩୯ ପଇସା ଥିବା ବେଳେ ଭଞ୍ଜନଗର,ଗାଙ୍ଗପୁର, ଜିଲୁଣ୍ଡି ,ବାଲିପଦର,ଷୋଳମାଇଲି,ବୁଗୁଡା ପ୍ରଭୃତି ସ୍ଥାନରେ ବେଲଗୁଣ୍ଠା ଠାରୁ ଏକଟଙ୍କା କମ୍ ଅର୍ଥାତ ଟ୧୦୩.୩୯ ପଇସା ରହିଛି ।ପରିବହନ ଖର୍ଚ୍ଚ ହିସାବରେ ବିଭିନ୍ନ ପେଟ୍ରୋଲ ପମ୍ପରେ ପ୍ରାୟ ୧୦ ରୁ ୨୫ ପଇସା ପର୍ଯ୍ୟନ୍ତ ଦରରେ ବିଭିନ୍ନତା ଦେଖାଯାଏ ।କିନ୍ତୁ ବେଲଗୁଣ୍ଠା ଜଗନ୍ନାଥ ପ୍ରସାଦ ରୋଡ୍ ପେଟ୍ରୋଲ ପମ୍ପରେ ୧ ଟଙ୍କା ଦର ଅଧିକା ନେଇ ଅଭିଯୋଗ ହୋଇଥିଲା । ଏ ନେଇ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜଙ୍କ ପ୍ରତିକ୍ରିୟା ନେବାରେ ସେ ଏ ନେଇ ଅନୁଧ୍ୟାନ କରିବେ ବୋଲି ପ୍ରତିଶୃ୍ତି ଦେଇଥିଲେ । ଆଜି ଖବର ପ୍ରକାଶ ପାଇବା ପରେ ପ୍ରଶାସନ ତତ୍ପର ହୋଇ ଉଠିଥିଲା I ଆଜି ସନ୍ଧ୍ୟାରେ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ୍ ଙ୍କ ନିର୍ଦ୍ଦେଶ କ୍ରମେ ଉପଖଣ୍ଡ ଅତିରିକ୍ତ ଯୋଗାଣ ଅଧିକାରୀ ଲିଙ୍ଗରାଜ ବେହେରା, ବେଲଗୁଣ୍ଠା ଯୋଗାଣ ନିରୀକ୍ଷକ ସୁବ୍ରତ କୁମାର ଚୌଧୁରୀ ଏବଂ ବେଲଗୁଣ୍ଠା ପୋଲିସ୍ ମିଳିତ ଭାବେ ବେଲଗୁଣ୍ଠା ନାୟାର ପେଟ୍ରୋଲ୍ ପମ୍ପରେ ଚଢ଼ାଉ କରିଥିଲେ I ଚଢ଼ାଉ ସମୟରେ ପମ୍ପରେ ପେଟ୍ରୋଲ୍ ଲିଟର୍ ପିଛା ୧୦୪ ଟଙ୍କା ୩୯ ପଇସା ଥିବା ଜାଣି ଏହାକୁ ସିଲ୍ କରି ବିଭିନ୍ନ କାଗଜପତ୍ର ଯାଞ୍ଚ୍ କରିଥିଲେ I ଯାଞ୍ଚ୍ କରିବା ପରେ କମ୍ପାନୀ ମେସେଜ୍ ଅନୁସାରେ ପମ୍ପ୍ କର୍ତୃପକ୍ଷ ପେଟ୍ରୋଲ୍ ବିକ୍ରି କରୁ୍ଥିବା ସେମାନେ ଜାଣିବାକୁ ପାଇଥିଲେ I କିନ୍ତୁ ଏଠାରୁ ୮ କିଲୋମିଟର୍ ଭିତରେ କୁଲାଡ ଏବଂ ଭଂଜନଗର ଜାମପଲ୍ଲୀରେ ଥିବା ପେଟ୍ରୋଲ ପମ୍ପରେ ୧୦୩ ଟଙ୍କା ୩୯ ପଇସାରେ ବିକ୍ରି ହେଉଥିବା ବେଳେ ଏଠାରେ ୧୦୪ ଟଙ୍କା ୩୯ ପଇସା ରେ କାହିଁକି ବିକ୍ରି କରାଯାଉଛି ତାର ସ୍ପଷ୍ଟୀକରଣ ମାଗିଥିଲେ I ଏହାର ସ୍ପଷ୍ଟୀକରଣ ନାୟର କମ୍ପାନୀ ଠାରୁ ମିଳିବା ପରେ ପେଟ୍ରୋଲ୍ ପମ୍ପ୍ ଖୋଲାଯିବ ବୋଲି ଯୋଗାଣ ନିରୀକ୍ଷକ ସୁବ୍ରତ କୁମାର ଚୌଧୂରୀ ପ୍ରକାଶ କରିଛନ୍ତି I



