
ବେଲଗୁଣ୍ଠା, ୦୬/୦୨/୨୨ (ଜିଲ୍ଲା ଖବର ) : ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ମାନେ ଏକାଧିକ ଷ୍ଟାର୍ ପ୍ରଚାରକଙ୍କୁ ଆଣି ନିଜ ନିଜ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁ୍ଥିବା ବେଳେ ବେଲଗୁଣ୍ଠା ବ୍ଳକ୍ ୪୭ ନମ୍ବର୍ ଜିଲ୍ଳାପରିଷଦ ଜୋନ୍ ରେ ବିଜେଡ଼ି ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ଜଣେ ବାପା ମାଆ ଛେଉଣ୍ଡ ଭିନ୍ନକ୍ଷମ ଯୁବତୀ I ଯୁବତୀ ଜଣଙ୍କ ହେଉଛନ୍ତି ୩୨ ବର୍ଷୀୟା ଭିନ୍ନକ୍ଷମ ଯୁବତୀ ପ୍ରଭାସିନୀ ସାହୁ I ତାଙ୍କ ବାପା ଦ୍ୱିତୀକୃଷ୍ଣ ସାହୁ ସୁରତ୍ ରେ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରୁ୍ଥିବା ବେଳେ ୧୫ ବର୍ଷ ତଳୁ ତାଙ୍କର ମୃତ୍ୟୁ ଘଟିଛି I ସେହିଭଳି ତାଙ୍କ ମାଆ ଜୟନ୍ତୀ ସାହୁ ଜଣେ ଅଙ୍ଗନୱାଡ଼ି ସହାୟିକା ଭାବେ କାର୍ଯ୍ୟ କରି ନିଜ ଭିନ୍ନକ୍ଷମ ଝିଅଙ୍କ ସହ ରହି ଆସୁଥିଲେ I କିନ୍ତୁ ଦୁଇବର୍ଷ ତଳେ ତାଙ୍କ ମାଆଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା I ବର୍ତ୍ତମାନ ପ୍ରଭାସିନୀଙ୍କର ଦୁଇଭାଇ ବାହାର ରାଜ୍ଯରେ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରୁ୍ଥିବା ବେଳେ ୩୨ ବର୍ଷୀୟା ପ୍ରଭାସିନୀ ଭିନ୍ନକ୍ଷମ ହେତୁ ନିଜ ଘରେ ଏକୁଟିଆ ଅବିବାହିତ ଜୀବନଯାପନ କରୁଛନ୍ତି I ବର୍ତ୍ତମାନ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ପ୍ରଚାର ଚାଲିଥିବା ବେଳେ ୪୭ ନମ୍ବର୍ ଜୋନ୍ ବିଜେଡ଼ି ଜିଲ୍ଲା ପରିଷଦ ପ୍ରାର୍ଥୀନୀ ପୂର୍ଣ୍ଣବାସୀ ନାୟକ,ଗୋବରା ପଂଚାୟତ ସରପଞ୍ଚ ପ୍ରାର୍ଥୀନୀ ସୁପ୍ରଭା ନାୟକ ଏବଂ ସମିତି ସଭ୍ୟ ବିଭୂପାଦ ଜେନା ଆଜି ଡେଙ୍ଗାପଦରରେ ପ୍ରଚାର କରିଥିବା ବେଳେ ଏଥିରେ ସାମିଲ୍ ହୋଇଥିଲେ ଭିନ୍ନକ୍ଷମ ଯୁବତୀ ପ୍ରଭାସିନୀ ସାହୁ I ମୃତ୍ୟୁ ପୂର୍ବରୁ ପ୍ରଭାସିନୀଙ୍କ ମାଆ ଜୟନ୍ତୀ ରୋଗାକ୍ରାନ୍ତ ହୋଇ ଚିକିତ୍ସା ପାଇଁ ଋଣଗ୍ରସ୍ତ ହୋଇପଡିଥିବା ବେଳେ ପ୍ରଭାସିନୀ ଗ୍ରାମରେ ଥିବା ଏକ ଜାଗାକୁ ବିକ୍ରିକରି ମାଆଙ୍କ କରଜ ସୁଝିଥିଲେ I ବର୍ତ୍ତମାନ ସେ ଏକୁଟିଆ ଘରେ ରହି ବହୁ ଦୁଃଖରେ ଚଳୁଥିବା ବେଳେ ରାଜ୍ୟ ସରକାରଙ୍କ ଯୋଜନାରେ ରାସନ୍ କାର୍ଡ୍ ମାଧ୍ୟମରେ ମାସିକ ୫ କିଲୋ ଚାଉଳ ଏବଂ ପାଞ୍ଚ ଶହ ଟଙ୍କା ଭତ୍ତା ପାଉଛନ୍ତି I ଆଜି ପ୍ରଚାର ସମୟରେ ସେ ହଠାତ୍ ଆସି ପ୍ରଚାରରେ ସାମିଲ୍ ହେବା ସହ ନବୀନ ପଟ୍ଟନାୟକଙ୍କୁ ଆଦର୍ଶରେ ଅନୁପ୍ରାଣିତ ବୋଲି ପ୍ରକାଶ କରିଥିଲେ ଏବଂ ଘରକୁ ଘର ଯାଇ ବିଜେଡ଼ି ସପକ୍ଷରେ ଭୋଟ୍ ଭିକ୍ଷା କରିଥିଲେ I ଆଜି ସକାଳ ୧୦ ଘଣ୍ଟରୁ ଅପରାହ୍ଣ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଡେଙ୍ଗାପଦରରେ ପ୍ରଚାର ଚାଲିଥିବା ବେଳେ ପ୍ରାର୍ଥୀ ମାନଙ୍କ ସହ ୪୭ ନମ୍ବର ଜୋନ୍ ବିଜେଡ଼ି ସଭାପତି ପ୍ରଦ୍ୟୁମ୍ନ ପାତ୍ର,ବରିଷ୍ଠ ବିଜେଡ଼ି ନେତା ମୁରଲୀଧର ବାଡ଼ତ୍ଯା, ପୂର୍ବତନ ସରପଞ୍ଚ ତଥା ଗୋବରା ପଂଚାୟତ ବିଜେଡ଼ି ସଭାପତି ଚନ୍ଦ୍ର ଶେଖର ନାୟକ, ପୂର୍ବତନ ସମିତି ସଭ୍ୟ ରାମେଶ୍ଵର ରାଉତ,ସନାତନ ସ୍ୱାଇଁ, ଦୟାନିଧି ବିଶ୍ୱାଳ, ପ୍ରଣବ ଦାସ, ପ୍ରଦୀପ ସ୍ୱାଇଁଙ୍କ ସମେତ ବହୁ ନେତୃ ସ୍ଥାନୀୟ ବ୍ୟକ୍ତି ଏବଂ ବହୁ ମହିଳା ତାଙ୍କ ସହ ବୁଲି ଭୋଟ ଭିକ୍ଷା କରିଥିବା ବେଳେ ପ୍ରଚାରରେ ପ୍ରଭାସିନୀଙ୍କ ଯୋଗଦାନ ପ୍ରାର୍ଥୀଙ୍କୁ ଅଧିକ ଉତ୍ସାହିତ କରିଥିଲା I ପ୍ରଭାସିନୀଙ୍କ ପ୍ରଚାରରେ ବହୁ ମହିଳା ଅଧିକ ଆକୃଷ୍ଟ ହେଉଥିବା ଦେଖିବାକୁ ମିଳିଥିଲା I


