
ବ୍ରହ୍ମପୁର, ୫।୧୨ (ଳକ୍ଷ୍ମୀ ନାରାୟଣ ମିଶ୍ର ) ବ୍ରହ୍ମପୁର ଉପକଣ୍ଠସ୍ଥ ନିମଖଣ୍ଡିଗ୍ରାମର ଶ୍ରୀକୃଷ୍ଣ ସାହୁ ସରକାରୀ ଉଚ୍ଚବିଦ୍ୟାଳୟରେ ବ୍ଳକ୍ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ତଥା ମେଳାର ତତ୍ତ୍ଵାବଧାରକ ଶ୍ରୀ ବଂଶୀଧର ପଣ୍ଡା, ମେଳାର ଅଧ୍ୟକ୍ଷ ତଥା ବ୍ଳକ୍-ର ଶିକ୍ଷାଧିକାରୀ ଶ୍ରୀ ଏସ୍. ଗିରିଧର, ବ୍ଳକ୍ ସହ ଶିକ୍ଷାଧିକାରୀ ଶ୍ରୀ ସୁରେନ୍ଦ୍ର କୁମାର ସେନାପତିଙ୍କ ଗହଣରେ ବାଲିପଡା ମହାବିଦ୍ୟାଳୟର ଶ୍ରୀ ଶିବାନନ୍ଦ ପାଣିଗ୍ରାହୀ (ଅଧ୍ୟାପକ), ଶ୍ରୀ ସୁଦାମ ଚରଣ ସାହୁ (ଅଧ୍ୟାପକ), ଶ୍ରୀ ସତ୍ୟନାରାୟଣ ସାହୁ (ବ୍ରହ୍ମପୁରସ୍ଥ ସଙ୍କଳ୍ପ ଏକାଡମୀର ସଂଯୋଜକ), ଏହି ବିଦ୍ୟାଳୟର ପ୍ରତିଷ୍ଠାତାଙ୍କ ନାତି ଶ୍ରୀ ବିଜୟ କୁମାର ସାହୁ ପ୍ରମୁଖ ଅତିଥିଗଣ ପ୍ରଦୀପ ପ୍ରଜ୍ୱଳନ କରି ମେଳାକୁ ଉଦ୍ ଘାଟନ କରିଛନ୍ତି। ଉକ୍ତ ମେଳାରେ ବ୍ଳକର ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟଗୁଡିକରୁ ୨୨୬ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଅଛି । ଉଦ୍ ଯାପନ ଉତ୍ସବରେ ସମ୍ମାନିତ ଅତିଥି ରୂପେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀ ପଦ୍ମଭୂଷଣ ମାଝି ଯୋଗଦେଇ କୁନି କୁନି ବୈଜ୍ଞାନିକମାନଙ୍କୁ ନିଜ ଭାଷଣ ମାଧ୍ୟମରେ ବିଜ୍ଞାନର ଗୌରବ ଓ ଉପାଦେୟତା ବିଷୟରେ ବୁଝାଇଥିଲେ । ଶେଷରେ ଅତିଥିମାନେ ବିଜୟୀ ପ୍ରକଳ୍ପକାରୀଙ୍କୁ ସମ୍ମାନିତ କରିଥିଲେ। ଏହି ମେଳାରେ ମାଧ୍ୟମିକ ସ୍ତରରେ ସୁଶ୍ରୀ ଶୁଭସ୍ମିତା ପାଢ଼ୀ, ପ୍ରଥମ (ଶ୍ରୀକୃଷ୍ଣ ସାହୁ ସରକାରୀ ଉଚ୍ଚବିଦ୍ୟାଳୟର, ନିମଖଣ୍ଡି) , ସୁଶ୍ରୀ ପ୍ରୀତି ଜେନା, ଦ୍ଵିତୀୟ (ଉନ୍ନୀତ ଉଚ୍ଚବିଦ୍ୟାଳୟ , ପାଣ୍ଡିଆ ଝୋଳି) ହୋଇଥିବା ବେଳେ , ଉଚ୍ଚ ପ୍ରାଥମିକ ସ୍ତରରେ ଶ୍ରୀମାନ ହରି ଓଁ ଜେନା, ପ୍ରଥମ (ଉନ୍ନୀତ ଉଚ୍ଚବିଦ୍ୟାଳୟ , ଡେଙ୍ଗାପଦର , ହୋଇଥିବା ବେଳେ ପ୍ରାଥମିକ ସ୍ତରରେ ସୁଶ୍ରୀ ରାଜେଶ୍ଵରୀ ଗୌଡ଼ ପ୍ରଥମ ହୋଇଥିଲେ। ବ୍ଳକର ସମସ୍ତ ସି.ଆର୍. ସି.ସି. ତଥା ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ସହଯୋଗ କରି କାର୍ଯ୍ୟକ୍ରମ ସଫଳ କରାଇଥିଲେ ।



