Home ଆଞ୍ଚଳିକ ଆସିକା ବିଜ୍ଞାନ ମହାବିଦ୍ୟାଳୟର ଓଡ଼ିଆ ପ୍ରାଧ୍ୟାପିକା ମନୋରମା ମିଶ୍ରଙ୍କ ବିୟୋଗରେ ଶୋକସଭା।

ଆସିକା ବିଜ୍ଞାନ ମହାବିଦ୍ୟାଳୟର ଓଡ଼ିଆ ପ୍ରାଧ୍ୟାପିକା ମନୋରମା ମିଶ୍ରଙ୍କ ବିୟୋଗରେ ଶୋକସଭା।

55


ଆସିକା ,୧୭/୦୧/୨୨ (ଜିଲ୍ଲା ଖବର ) : ଆସିକା ବିଜ୍ଞାନ ମହାବିଦ୍ୟାଳୟର ବରିଷ୍ଠ ପ୍ରାଧ୍ୟାପିକା ତଥା ଓଡ଼ିଆ ବିଭାଗ ମୁଖ୍ୟା ପ୍ରଫେସର ଶ୍ରୀମତୀ ମନୋରମା ମିଶ୍ରଙ୍କ ଜିହ୍ବା କର୍କଟ ରୋଗଜନିତ ମୃତ୍ୟୁ ଭୁବନେଶ୍ବର ସ୍ଥିତ ଆପୋଲୋ ହସ୍ପିଟାଲରେ ଗତ ଶୁକ୍ରବାର ଅପରାହ୍ନ ଘ.୩:୧୫ ମିନଟ୍ ସମୟରେ ହୋଇଯାଇଛି।

ଉକ୍ତ ପରିପ୍ରେକ୍ଷୀରେ କଲେଜ ଅଧ୍ୟକ୍ଷ ଡ଼. ଜୀବାନନ୍ଦ ତ୍ରିପାଠୀଙ୍କ ପୌରହିତ୍ୟରେ ତଥା ଷ୍ଟାଫ୍ କ୍ଳବ ତରଫରୁ ଏକ ଶୋକସଭା ତଥା ନୀରବ ପ୍ରାର୍ଥନା ଆୟୋଜନ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଅଣଶିକ୍ଷକ କର୍ମଚାରୀଙ୍କ ଉପସ୍ଥିତିରେ ହୋଇଥିଲା। ଶ୍ରୀମତୀ ମନୋରମା ମିଶ୍ର ୧୯୭୧ ମସିହା ସ୍ନାତକୋତ୍ତର ଉପାଧି ହାସଲ କରିବା ପରେ ରାମଚ଼ନ୍ଦ୍ର ମର୍ଦ୍ଦରାଜ ମହାବିଦ୍ୟାଳୟ, ଖଲ୍ଲିକୋଟରେ ଓଡ଼ିଆ ଅଧ୍ୟାପିକା ରୂପେ କାର୍ଯ୍ୟ ଆରମ୍ଭ କରିଥିଲେ। ତତପଶ୍ଚାତ୍ ସେହିଠାରୁ ବଦଳି ହୋଇ ୧୯୯୭ ମସିହାରେ ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ପ୍ରାଧ୍ୟାପିକା ତଥା ଓଡିଆ ବିଭାଗ ମୁଖ୍ୟାରୂପେ କାର୍ଯ୍ୟଭାର ସଂପାଦନ କରିଥିଲେ ତଥା ଉକ୍ତ କଲେଜରେ ହିଁ ୩୦.୪.୨୦୦୭ ମସିହାରେ ଅବସର ଗ୍ରହଣ କରିଥିଲେ। ମୃତ୍ୟୁବେଳକୁ ଶ୍ରୀମତୀ ମିଶ୍ରଙ୍କୁ ୭୫ ବର୍ଷ ହୋଇଥିଲା। ସ୍ବର୍ଗୀୟା ମନୋରମା ମିଶ୍ର ଜଣେ ଅମ୍ଳାନ ବ୍ୟକ୍ତିତ୍ବର ପ୍ରତିମୂର୍ତ୍ତି ଥିଲେ।

ସେ ଜଣେ ଛାତ୍ର ବତ୍ସଳା, ମିଷ୍ଟଭାଷିଣୀ, ଅମାୟିକା, କର୍ମତତ୍ପର ଏବଂ ସ୍ନେହୀ ବ୍ୟକ୍ତିତ୍ବର ଅଧିକାରିଣୀ ଥିଲେ। ତାଙ୍କରି ଅମ୍ଳାନ ବ୍ୟକ୍ତିତ୍ବ ସମସ୍ତଙ୍କୁ ପ୍ରଭାବିତ କରିପାରିଥିଲା ବୋଲି ସମସ୍ତେ ନିଜର ମତ ସାବ୍ୟସ୍ତ କରିଥିଲେ। କଲେଜ ଅଧ୍ୟକ୍ଷ, ଷ୍ଟାଫ୍ କ୍ଳବ୍ ସଂପାଦିକା ଡ଼. ସ୍ମିତାରାଣୀ ପଣ୍ଡା, ଡ଼.ନନ୍ଦିତା ଦାଶ, ଡ଼. ଅଭୟକେଶରୀ ପରିଚ୍ଛା ପଟ୍ଟନାୟକ, ପିଇଟି ସନ୍ତୋଷ କୁମାର ପ୍ରଧାନ, ମୁଖ୍ୟ କିରାଣି ବିଜୟ କୁମାର ନାୟକ ସ୍ବର୍ଗୀୟା ମିଶ୍ରଙ୍କ ସ୍ମୃତିଚାରଣ କରିଥିଲେ ଏବଂ ସମସ୍ତେ ତାଙ୍କରି ଦିବଙ୍ଗତ ଆତ୍ମାର ସଦ୍ଗତି କାମନା କରିଥିଲେ।