
ବେଲଗୁଣ୍ଠା, ୧୪/୦୧/୨୨ (ଜିଲ୍ଲା ଖବର ) : ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ଓଡ଼ିଶା ନିର୍ବାଚନ କମିଶନର୍ ତାରିଖ ଘୋଷଣା କରିବା ପରେ ବିଭିନ୍ନ ଅଞ୍ଚଳରେ ସ୍ଥାନୀୟ ନେତା ସରପଞ୍ଚ, ସମିତି ସଭ୍ୟ, ୱାର୍ଡ୍ ମେମ୍ବର ଏବଂ ଜିଲ୍ଳା ପରିଷଦ ସଭ୍ୟ ପଦବୀ ପାଇଁ ଆଶାୟୀଙ୍କ ତାଲିକା ବଢିବାରେ ଲାଗିଛି I ବର୍ତ୍ତମାନ ଗଞ୍ଜାମ ଜିଲ୍ଳା ବେଲଗୁଣ୍ଠା ବ୍ଳକ୍ ରେ କଂଗ୍ରେସ୍ ର ସ୍ଥିତି ନୈରାଶ୍ୟଜନକ ଥିବା ବେଳେ ବ୍ଳକ୍ ର ସମସ୍ତ ୧୮ ଟି ପଞ୍ଚାୟତରେ ବିଜେଡ଼ି ଏବଂ ବିଜେପି ମଧ୍ୟରେ କଡ଼ା ମୁକାବିଲା ହେବା ନିଶ୍ଚିତ ହୋଇଛି I ପ୍ରତ୍ୟେକ ପଞ୍ଚାୟତରେ ବିଜେଡ଼ି ସୁବିଧାଜନକ ସ୍ଥିତିରେ ଥିବାରୁ ବହୁ ପଂଚାୟତରେ ସରପଞ୍ଚ ପ୍ରାର୍ଥୀ ଆଶାୟୀଙ୍କ ସଂଖ୍ୟା ଲମ୍ବି ଲମ୍ବି ଯାଉଥିବା ବେଳେ ସମିତି ସଭ୍ୟ ପାଇଁ କମ୍ ଆଶାୟୀ ଲବି କରୁଥିବା ଦେଖିବାକୁ ମିଳିଛି I

ଏହିପରି ସ୍ଥଳେ ଗୋବରା ପଂଚାୟତରେ ଆଜି ସରପଞ୍ଚ ଏବଂ ସମିତି ସଭ୍ୟ ପାଇଁ ଲିଖିତ ଭାବେ ଆବେଦନ କରିବା ପାଇଁ ଆଶାୟୀଙ୍କୁ ବିଜେଡ଼ି ତରଫରୁ ନିର୍ଦ୍ଦେଶ ଦିଆଯାଇଥିଲା I ସରପଞ୍ଚ ପ୍ରାର୍ଥୀ ପାଇଁ ପାଞ୍ଚ ଜଣ ଆଶାୟୀ ପ୍ରାର୍ଥୀ ଆବେଦନ କରିଥିବା ବେଳେ ସମିତି ସଭ୍ୟ ପାଇଁ ସାତ ଜଣ ଆଶାୟୀ ପ୍ରାର୍ଥୀ ଆବେଦନ କରିଥିବା ସୂଚନା ମିଳିଛି I ଅନ୍ୟ ପଂଚାୟତ ଗୁଡ଼ିକ ଅପେକ୍ଷା ଗୋବରା ପଂଚାୟତରେ ସମିତି ସଭ୍ୟ ପାଇଁ ଆଶାୟୀଙ୍କ ସଂଖ୍ୟା ବୃଦ୍ଧି ପାଇବାକୁ ନେଇ ରାଜନୈତିକ ମହଲରେ ଏକ ନୂତନ ସମୀକରଣ ଅନୁମାନ କରାଯାଉଛି I ବିଜେଡ଼ି ଆଜି ସାତଟି ପଞ୍ଚାୟତ ପାଇଁ ପ୍ରାର୍ଥୀ ସ୍ଥିର କରିଥିବା ବେଳେ କିଛି ସ୍ଥାନରେ ପ୍ରାର୍ଥୀ ପରିବର୍ତ୍ତନ ହେବାର ସମ୍ଭାବନା ରହିଥିବାରୁ ସେଗୁଡ଼ିକର ତାଲିକା ପ୍ରକାଶ କରାଯାଇନାହିଁ I ମିଳିଥିବା ସୂଚନା ପ୍ରକାରେ କ୍ଷତ୍ରିୟବରପୁର ପଞ୍ଚାୟତ ପାଇଁ ସରପଞ୍ଚ ପ୍ରାର୍ଥୀ ପାଇଁ ପୂର୍ବତନ ସରପଞ୍ଚ ରାଜେନ୍ଦ୍ର ଗୌଡ଼ଙ୍କ ଧର୍ମପତ୍ନୀ ସୁନିତା ଗୌଡ଼ଙ୍କ ନାମ ଘୋଷଣା କରାଯାଇଥିବା ବେଳେ ସମିତି ସଭ୍ୟ ପ୍ରାର୍ଥୀ ଭାବେ ପୂର୍ବତନ ସରପଞ୍ଚ, ସମିତି ସଭ୍ୟ ଏବଂ ଜିଲ୍ଲାପରିଷଦ ସଭ୍ୟ ତଥା ବର୍ତ୍ତମାନର ଗଞ୍ଜାମ ଜିଲ୍ଳା ବିଜେଡ଼ି ସାଧାରଣ ସମ୍ପାଦକ କୁଞ୍ଜବିହାରୀ ନାୟକଙ୍କ ନାମ ଘୋଷଣା କରାଯାଇଛି I ସେହିପରି ବ୍ଳକ୍ ର ରାଜନିତୀର କେନ୍ଦ୍ର ବିନ୍ଦୁ ପାଲଟିଥିବା ପାଇଲିପଡା ପଞ୍ଚାୟତରେ ସରପଞ୍ଚ ଏବଂ ସମିତି ସଭ୍ୟ ପ୍ରାର୍ଥୀ ଭାବେ ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଥିବା ଦୁଇ ନେତାଙ୍କ ନାମ ଘୋଷଣା କରାଯାଇଛି I ସରପଞ୍ଚ ଭାବେ ପୂର୍ବତନ ସରପଞ୍ଚ ତଥା ପୂର୍ବତନ ସମିତି ସଭ୍ୟ ଜୟରାମ ନାୟକଙ୍କ ନାମ ଘୋଷଣା କରାଯାଇଥିବା ବେଳେ ସମିତି ସଭ୍ୟ ପ୍ରାର୍ଥୀ ଭାବେ ପୂର୍ବତନ ସରପଞ୍ଚ ପ୍ରତିନିଧି ସନ୍ତୋଷ କୁମାର ସ୍ୱାଇଁଙ୍କ ନାମ ନିର୍ଧାରଣ କରାଯାଇଥିବା ଜଣା ପଡ଼ିଛି I ବଡ଼ ବୋର୍ସିଂଗ୍ ପଂଚାୟତର ସରପଞ୍ଚ ପ୍ରାର୍ଥୀ ଭାବେ ପୂର୍ବତନ ସରପଞ୍ଚ ଏସ୍ ରାମେଶ୍ୱର ପାତ୍ର ଏବଂ ସମିତି ସଭ୍ୟ ପ୍ରାର୍ଥୀ ଭାବେ ମମତା ଭୋଳଙ୍କ ନାମ ଘୋଷଣା କରାଯାଇଛି I

ଅନ୍ୟ ପଟେ ବିଜେପି ବିଜେଡ଼ିର ପ୍ରାର୍ଥୀଙ୍କୁ ଦେଖି ପ୍ରାର୍ଥୀ ଦେବ ବୋଲି ବିଶେଷ ସୂତ୍ରରୁ ଜଣା ପଡ଼ିଛି I ବର୍ତ୍ତମାନ ବିଭିନ୍ନ ଗ୍ରାମରେ ପ୍ରାର୍ଥୀ ଚୟନକୁ ନେଇ ଖଟି ଜମୁଥିବା ଦେଖିବାକୁ ମିଳିଛି I ଜିଲ୍ଳା ପରିଷଦ ସଭ୍ୟ ଆସନ ପାଇଁ ପ୍ରାର୍ଥୀ ତାଲିକା ରାଜ୍ୟ ସଭାପତିଙ୍କ ଅନୁମୋଦନ କ୍ରମେ ଆସିବାକୁ ଥିବାରୁ ଜିଲ୍ଳା ପରିଷଦ ପ୍ରାର୍ଥୀ ପାଇଁ ଆବେଦନ କରିଥିବା ଆଶାୟୀଙ୍କ ନାମକୁ ରାଜ୍ୟ ସ୍ତରକୁ ପଠାଯାଇଥିବା ଜଣା ପଡ଼ିଛି I ବେଲଗୁଣ୍ଠା ବ୍ଳକ୍ ରେ ଫେବ୍ରୁୟାରୀ ୨୦ ତାରିଖରେ ନିର୍ବାଚନ ହେବାକୁ ଥିବା ବେଳେ ବିଜେଡ଼ିର ଆଶାୟୀଙ୍କ ସଂଖ୍ୟା ସର୍ବାଧିକ ରହିବା ସହ ବିଜେପି ଦ୍ୱିତୀୟ ସ୍ଥାନରେ ରହିଛି ଏବଂ କଂଗ୍ରେସ୍ ର କୌଣସି ପଂଚାୟତରେ ପ୍ରାର୍ଥୀ ପାଇଁ ଆଗ୍ରହୀ ବ୍ୟକ୍ତି ମିଳୁନଥିବା ଜଣା ପଡ଼ିଛି I


