
ନବରଙ୍ଗପୁର, ୧୧/୦୧/୨୨ (ଜିଲ୍ଲା ଖବର ) : ନନ୍ଦାହାଣ୍ଡି ବ୍ଳକ ଝାଡ଼ବନ୍ଧ ଗୁଡ଼ା ଗ୍ରାମପଞ୍ଚାୟତର ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ର ମାନଙ୍କରେ ନୂତନ ଭାବେ ପାନୀୟ ଜଳର ସୁବିଧା ନିମନ୍ତେ ବିଦ୍ୟୁତ ଚାଳିତ ମୋଟରମାନ ମଞ୍ଜୁର କରାଯାଇଛି ।

ଉକ୍ତ ପ୍ରକଳ୍ପ ଗୁଡିକର ନିର୍ମାଣ ପାଇଁ ଦାଇତ୍ୱରେ ଥିବା ପି.ଇ.ଓ.ଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟ ସମ୍ପାଦନ କରିବା ବିଧେୟ ଥିବାବେଳେ ବ୍ଲକ ବାହାରୁ ଆସି ଠିକାଦାର କାର୍ଯ୍ୟ ନିର୍ବାହ କରୁଥିବା ଦୃଷ୍ଟିଗୋଚର ହୋଇଥିଲା ।

କେତେ ସ୍ଥାନରେ ସମ୍ପୂର୍ଣ୍ଣ ଭାବେ ପିଇବା ଅନୁପଯୋଗୀ ପାଣି ବାହାରୁ ଥିବା ଯୋଗୁଁ ମରାମତି ନକରି ଅଚଳ କରିଦେଇଥିବା ନଳକୂପରେ ମଧ୍ୟ ମୋଟର ସଂଯୋଗୀକରଣ ହୋଇଛି ବୋଲି ସ୍ଥାନୀୟ ଜନସାଧାରଣ କହିଛନ୍ତି । ଏପରି କାର୍ଯ୍ୟକୁ ବିରୋଧ କରିବାରୁ ଟାଉଟର ଗୁଣ୍ଡାମାନଙ୍କୁ କାର୍ଯ୍ୟ ସ୍ଥଳରେ ଠିଆ କରାଇ ସରଳ ପଞ୍ଚାୟତବାସୀଙ୍କୁ ଧମକ ଚମକ ଦେଇ କାର୍ଯ୍ୟ ଜାରି ରଖିଛନ୍ତି ବୋଲି ସୂଚନା ଦେଇଛନ୍ତି ।

ନିଜ ଅଂଚଳରେ କାର୍ଯ୍ୟ ଗୁଡିକ ନିଜେ କରି କିଛି ଲୋକଙ୍କ ଜୀବିକା ନିର୍ବାହ ହୋଇଥାନ୍ତା କିନ୍ତୁ ପି.ଇ.ଓ. ଓ ସରପଞ୍ଚଙ୍କ ମଧୁଚନ୍ଦ୍ରିକା ଯୋଗୁଁ ବ୍ଲକ ବାହାରୁ ଠିକାଦାର ଆସି ନିମ୍ନମାନର କାର୍ଯ୍ୟ କରୁଥିବାରୁ ଅଞ୍ଚଳବାସୀ କ୍ଷୋଭ ପ୍ରକାଶ କରିଛନ୍ତି ।

ରିତେଶ କୁମାର ଭଞ୍ଜ, କୃପାସିନ୍ଧୁ ହରିଜନ, ଡମ୍ବରୁ ଧର ବିଷୋୟୀ ତଥା ଅନେକ ଭଦ୍ରବ୍ୟକ୍ତି ବି.ଡ଼ି.ଓ. ଙ୍କ ନିକଟରେ ଏକ ଦାବୀପତ୍ର ପ୍ରଦାନ କରିବା ସହ ଏକ ଅବିକଳ ନକଲ ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରକଳ୍ପ ନିର୍ଦ୍ଦେଶକ, ନବରଙ୍ଗପୁରଙ୍କୁ ମଧ୍ୟ ପ୍ରଦାନ କରିଥିଲେ ବୋଲି ସୂଚନା ଦେଇଛନ୍ତି ଯଦି ବଳପୂର୍ବକ କାର୍ଯ୍ୟ କରନ୍ତି ତାହେଲେ ଅଞ୍ଚଳବାସୀ ମଧ୍ୟ ତାର ଦୃଢ଼ ଜବାବ ଦେବକକୁ ଆଦୌ ପଛଘୁଞ୍ଚା ଦେବୁ ନାହିଁ ।
ନବରଙ୍ଗପୁର ରୁ ବିଷ୍ଣୁ ପ୍ରସାଦ ବିଷୋୟୀ ଙ୍କ ରିପୋର୍ଟ ଜିଲ୍ଲା ଖବର ।



