
ନବରଙ୍ଗପୁର , ୧୦/୦୧/୨୨ : ଉଦ୍ଧାର ହେଲା ବିରଳ ଗରୁଡ ପକ୍ଷୀ । ପୂଜାର୍ଚ୍ଚନା କରିବା ସହ ଦେଖିବାକୁ ଲୋକଙ୍କ ଭିଡ ଜମୁଛି । ଲୋକଙ୍କ ମଧ୍ୟର ଆରମ୍ଭ ହୋଇଯାଇଛି ଭକ୍ତିମୟ ପରିବେଶ ।

ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ କଣ୍ଟାମାଳ ଗ୍ରାମରେ। ସୂଚନାଅନୁଯାୟୀ କଣ୍ଟାମାଳ ଗ୍ରାମର କିଛି ପିଲା ଗାଈ ଗୋଠକୁ ଯାଇଥିବା ବେଳେ ଏକ ବରଗଛ ତଳେ ଏକ ପକ୍ଷୀ ପଡିଥିବା ଦେଖିବାକୁ ପାଇଥିଲେ ।

ଏହା ପରେ ସେହି ପକ୍ଷୀକୁ ପିଲାମାନେ ନେଇ ଆସିଥିଲେ । ଏହା ସହ ଗଛ ଉପରେ ଆଉ ତିନୋଟି ଏଭଳି ପକ୍ଷୀ ଥିବା ଦେଖିଥିଲେ। ପକ୍ଷୀକୁ ଗ୍ରାମକୁ ଆଣି ଗ୍ରାମବାସୀଙ୍କୁ ଦେଖାଇଥିଲେ । ଏହାପରେ ଗ୍ରାମବାସୀ ଗରୁଡ ପକ୍ଷୀ ବୋଲି ଚିହ୍ନଟ କରିଥିଲେ । ତେବେ ହିନ୍ଦୁ ଶାସ୍ତ୍ରର ମାନ୍ୟତା ଅନୁସାରେ ଗରୁଡ ପକ୍ଷୀଙ୍କୁ ବିଷ୍ଣୁଙ୍କ ବାହନ ବୋଲି କୁହାଯାଏ । ସେହି ମାନ୍ୟତାକୁ ଆଧାର କରି ଉଦ୍ଧାର ହୋଇଥିବା ପକ୍ଷୀକୁ ପୂଜାର୍ଚ୍ଚନା କରିବାରେ ବ୍ୟସ୍ତ ଅଛନ୍ତି ଗ୍ରାମବାସୀ ।

ଏହି ବିରଳ ପକ୍ଷୀକୁ ଦେଖିବାକୁ ଲୋକଙ୍କ ଭିଡ ଜମିବାରେ ଲାଗିଛି । ଏହା ସହ ସ୍ଥାନୀୟ ବନ ବିଭାଗକୁ ମଧ୍ୟ ଏ ବାବଦରେ ଖବର ଦେଇଛନ୍ତି ଗ୍ରାମବାସୀ ।



