Home ଆଞ୍ଚଳିକ ସମ୍ କୋଭିଡ୍ ହସ୍ପିଟାଲରୁ ସୁସ୍ଥ ହେଲେ ୩ ଓମିକ୍ରନ ସଂକ୍ରମିତ

ସମ୍ କୋଭିଡ୍ ହସ୍ପିଟାଲରୁ ସୁସ୍ଥ ହେଲେ ୩ ଓମିକ୍ରନ ସଂକ୍ରମିତ

62

ଭୁବନେଶ୍ୱର, ୦୬/୦୧/୨୨ (ଜିଲ୍ଲା ଖବର ) : କୋଭିଡ ୧୯ର ନୂଅ ଭ୍ୟାରିଏଂଟ ଓମିକ୍ରନ ଏବଂ ତୃତୀୟ ଲହରର ଭୟ ସାରା ବିଶ୍ୱକୁ ଆଚ୍ଛାଦିତ କରି ରଖିଥିବା ବେଳେ ସମ୍ କୋଭିଡ୍ ହସ୍ପିଟାଲରୁ ଆସିଛି ଭଲ ଖବର । ଓମିକ୍ରନରେ ଆକ୍ରାନ୍ତ ତିନି ଜଣ ସଂକ୍ରମିତ ହସ୍ପିଟାଲ୍‌ରୁ ସୁସ୍ଥ ହୋଇ ମଙ୍ଗଳବାର ଘରକୁ ଫେରିଛନ୍ତି । ନାଇଜେରିଆରୁ ଫେରିଥିବା ଜଣେ ମହିଳା ଏବଂ ତାଙ୍କର ଦୁଇ ନାବାଳିକା ଓମାଇକ୍ରନରେ ସଂକ୍ରମିତ ହୋଇଥିବା ବେଳେ ହସ୍ପିଟାଲ୍‌ରେ ଉତମ ଚିକିତ୍ସା ସେବା ଓ ଯତ୍ନ ପାଇ ସୁସ୍ଥ ହୋଇପାରିଛନ୍ତି ।

 ନାଇଜେରିଆରୁ ଫେରିବା ପରେ କୋଭିଡ୍ ପରୀକ୍ଷାରେ କରୋନା ସଂକ୍ରମିତ ଜଣାପଡ଼ିବା ପରେ ଗତ ଡ଼ିସେମ୍ବର ୨୧ ତାରିଖ ଦିନ ମା ଏବଂ ଦୁଇ ଝିଅଙ୍କୁ ସମ୍ କୋଭିଡ୍ ହସ୍ପିଟାଲରେ ଭର୍ତି କରାଯାଇଥିଲା। ପରବର୍ତୀ ସମୟରେ ଓମିକ୍ରନ ଚିହ୍ନଟ ନିମନ୍ତେ ତାଙ୍କ ଠାରୁ ସଂଗ୍ରହ କରାଯାଇଥିବା ସ୍ୱାବକୁ ଜେନମ୍ ସିକୁଏନ୍ସିଂ ପାଇଁ ପଠାଯାଇଥିଲା। ସେମାନଙ୍କର ଓମିକ୍ରନ ରିପୋର୍ଟ ମଧ୍ୟ ପଜିଟିଭ୍ ଆସିଥିଲା ।

 ତେବେ ଏହି ତିନି ଜଣଙ୍କ କ୍ଷେତ୍ରରେ ସାମାନ୍ୟ ଲକ୍ଷଣ ଦେଖାଦେଇଥିଲା । ଦୀର୍ଘ ୧୪ ଦିନ ସମ୍ କୋଭିଡ୍‌ ହସ୍ପିଟାଲର ଡାକ୍ତର, ନର୍ସ ଏବଂ ସ୍ୱାସ୍ଥ୍ୟ କର୍ମୀଙ୍କର ଚେଷ୍ଟା ଓ ଉଦ୍ୟମ ଫଳରେ ମଙ୍ଗଳବାର ରାତିରେ ସେମାନେ ଡ଼ିସଚାର୍ଜ ହୋଇଛନ୍ତି।

 ସାରା ଭାରତରେ ଏବେ ଓମାଇକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୨୧୩୫ ହୋଇଥିବା ବେଳେ ଓଡ଼ିଶାରେ ବର୍ତମାନ ସୁଦ୍ଧା ୬୧ ଜଣ ଓମାଇକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ପୂର୍ବରୁ ଜଣେ ଓମିକ୍ରନ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ମଙ୍ଗଳବାର ରାତିରେ ତିନି ଜଣ ସମ୍ କୋଭିଡ୍ ହସ୍ପିଟାଲରୁ ସୁସ୍ଥ ହୋଇଛନ୍ତି ।