Tuesday, October 20, 2026
Home ଜାତୀୟ ବୁଲବୁଲ ସହାୟତା ବାବଦରେ ଏସଡିଆରଏଫରୁ ଓଡ଼ିଶାକୁ ମିଳିଛି 552 କୋଟି ଟଙ୍କା : କେନ୍ଦ୍ର ଗୃହ...

ବୁଲବୁଲ ସହାୟତା ବାବଦରେ ଏସଡିଆରଏଫରୁ ଓଡ଼ିଶାକୁ ମିଳିଛି 552 କୋଟି ଟଙ୍କା : କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ

27
କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଜି. କିଷନ ରେଡ୍ଡୀ (File photo)
ନୂଆଦିଲ୍ଲୀ, ୦୪/୧୨; ସାମୁଦ୍ରିକ ଝଡ଼ ବୁଲବୁଲ ପ୍ରଭାବରେ ହୋଇଥିବା ଧନଜୀବନ ହାନି ସମ୍ପର୍କରେ ଆଜି ଲୋକସଭାରେ ପଚରାଯାଇଥିବା ପ୍ରଶ୍ନର ଲିଖିତ ଉତ୍ତର ରଖିଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଜି. କିଷନ ରେଡ୍ଡୀ । ମନ୍ତ୍ରୀ ତାଙ୍କ ଉତ୍ତରରେ କହିଥିଲେ ଯେ ପଶ୍ଚିମବଙ୍ଗ ଏବଂ ଓଡ଼ିଶା ସରକାରଙ୍କ ପାଖରୁ ପ୍ରାରମ୍ଭିକ ଆକଳନ ଭିତିରେ ତଥ୍ୟ ଯୋଗାଇ ଦିଆଯାଇଛି । ବୁଲବୁଲ ପ୍ରଭାବରେ ପଶ୍ଚିମବଙ୍ଗରେ ୧୧ ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ ୩୫.୫୭ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ଅନ୍ୟପକ୍ଷରେ ଓଡ଼ିଶା ସରକାର ଦେଇଥିବା ତଥ୍ୟ ଅନୁଯାୟୀ, ଓଡ଼ିଶାରେ କୌଣସି ପ୍ରାଣହାନି ଘଟିନଥିବା ବେଳେ ୩୮.୦୮ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ଏହାଛଡ଼ା ସଡ଼କ, ସେତୁ, ଆବାସ ଆଦି ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଛି ।

ପ୍ରଭାବିତ ଦୁଇ ରାଜ୍ୟକୁ ରିଲିଫ ଏବଂ ଅନ୍ୟାନ୍ୟ ସହାୟତା ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ କହିଥିଲେ ଯେ ରାଜ୍ୟ ବିପର୍ୟ୍ୟୟ ପ୍ରଶମନ ପାଣ୍ଠି (ଏସଡିଆରଏଫ)ଅନ୍ତର୍ଗତ ୧, ଏପ୍ରିଲ ୨୦୧୯ରେ ଓଡ଼ିଶାକୁ ୪୪୭.୫୨ କୋଟି ଏବଂ ପଶ୍ଚିମବଙ୍ଗକୁ ୨୬୪.୭୦ କୋଟି ଟଙ୍କା ଯୋଗାଇ ଦିଆଯାଇଥିଲା । ଆହୁରି ୨୦୧୯-୨୦ ଆର୍ଥିକ ବର୍ଷରେ କେନ୍ଦ୍ରୀୟ ଅନୁଦାନ ବାବଦରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏସଡିଆରଏଫ ଅନ୍ତର୍ଗତ ପଶ୍ଚିମବଙ୍ଗକୁ ୪୧୪.୯୦ କୋଟି ଏବଂ ଓଡ଼ିଶାକୁ ୫୫୨ କୋଟି ଟଙ୍କା ଯୋଗାଇ ଦିଆଯାଇଛି । ପ୍ରଚଳିତ ବ୍ୟବସ୍ଥା ଅନୁଯାୟୀ ଜାତୀୟ ବିପର୍ୟ୍ୟୟ ପ୍ରଶମନ ପାଣ୍ଠିରୁ କେନ୍ଦ୍ର ସରକାରଙ୍କ ଦ୍ୱାରା ଅତିରିକ୍ତ ଆର୍ଥିକ ସହାୟତା ଏସଡିଆରଏଫ ଅଧୀନରେ ଯୋଗାଇ ଦିଆଯାଇଛି ।

ଶ୍ରୀ ରେଡ୍ଡୀ କହିଥିଲେ ଯେ ବୁଲବୁଲ ବାତ୍ୟା ପରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠନ କରାଯାଇଥିବା ଆନ୍ତଃ ମନ୍ତ୍ରଣାଳୟ କେନ୍ଦ୍ରୀୟ ଟିମ ପ୍ରଭାବିତ ରାଜ୍ୟକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ । ଏନଡିଆରଏଫରୁ ଅତିରିକ୍ତ ସହାୟତା ଲାଗି ରାଜ୍ୟ ସରକାର ବର୍ତ୍ତମାନ ସୁଦ୍ଧା ସେମାନଙ୍କ ଦାବି ଉପସ୍ଥାପନ କରିନାହାନ୍ତି ।

ସେ ଆହୁରି କହିଥିଲେ ଯେ, ବିପର୍ୟ୍ୟୟ ପ୍ରଶମନର ପ୍ରାଥମିକ ଦାୟିତ୍ୱ ହେଉଛି ରାଜ୍ୟ ସରକାରଙ୍କର, ତେବେ କେନ୍ଦ୍ର ସରକାର ସ୍ଥିତିର ମୁକାବିଲା ପାଇଁ ରାଜ୍ୟଗୁଡ଼ିକୁ ଯଥା ସମ୍ଭବ ସାମଗ୍ରୀ ଓ ଆର୍ଥିକ ସହାୟତା ଯୋଗାଇ ଦେଉଥାନ୍ତି ।

ଏହି ଅବସରରେ ମନ୍ତ୍ରୀ ସଦନକୁ ସୂଚନା ଦେଇ କହିଥିଲେ ଯେ ବଡ଼ ପ୍ରାକୃତିକ ବିପର୍ୟ୍ୟୟ ପାଇଁ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ପକ୍ଷରୁ ସହାୟତାର ଆବଶ୍ୟକତା ରହିଥାଏ । ଏଭଳି ସ୍ଥିତିରେ କ୍ୟାବିନେଟ ସଚିବଙ୍କ ଅଧ୍ୟକ୍ଷତାରେ ଜାତୀୟ ବିପର୍ୟ୍ୟୟ ମୁକାବିଲା କମିଟି (ଏନସିଏମସି) ସମ୍ପୃକ୍ତ କେନ୍ଦ୍ରୀୟ ସଂସ୍ଥା ଓ ରାଜ୍ୟ ସରକାରଙ୍କ ସହ ସମନ୍ୱୟ ରକ୍ଷା କରି ପ୍ରସ୍ତୁତି ଓ ପ୍ରଶମନ ଦାୟିତ୍ୱ ହାତକୁ ନେଇଥାଏ ।

ସ୍ରୋତ-ପିଆବି