
ବ୍ରହ୍ମପୁର, ୨୧/୧୨/୨୧ (ଜିଲ୍ଲା ଖବର ) : ବ୍ରହ୍ମପୁର ଶାଶ୍ୱତୀ ପ୍ରଗତିଶୀଳ ନାଟ୍ୟସଂସ୍ଥା ତରଫରୁ ଆୟୋଜିତ ଦୁଇଦିନିଆ ନାଟକର ମହାକୁମ୍ବ”ଶାଶ୍ୱତୀ ରଙ୍ଗ ମହୋତ୍ସବ-2021″ ସୋମବାର ବ୍ରହ୍ମପୁର ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ପରିସରରେ ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି ।

ପ୍ରଥମ ଦିବସରେ ଚାରୋଟି ନାଟକ ମଂଚସ୍ଥ ହୋଇଥିବା ବେଳେ ସୋମବାର ଆଉ ଚାରୋଟି ନାଟକ ମଂଚସ୍ଥ ହୋଇ ଦୁଇଦିନରେ ମୋଟ ଅଠଗୋଟି ନାଟକ ପ୍ରଦର୍ଶିତ ହୋଇ ଉପସ୍ଥିତ ଦର୍ଶକଙ୍କୁ ଭରପୁର ଆନନ୍ଦ ଦେଇଛି ।

ଶାଶ୍ୱତୀ ସଭାପତି ରାମଚନ୍ଦ୍ର ସାସମଲ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ଦିବସକୁ ନାଟ୍ୟ ଗବେଷକ ବାୟାମନୁ ଚର୍ଚ୍ଚି ଉଦଘାଟନ କରିଥିବା ବେଳେ ଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀ, ଜିଲ୍ଲା ଜୀବନବିନ୍ଦୁ ସଂଯୋଜକ ସୁବାସ ମହାରଣା, ସଙ୍ଗୀତ ନାଟକ ଏକାଡେମୀ ସଭ୍ୟ ଅନୀଲ ପାତ୍ର, ଏଆଇଟିସି ସଭାପତି ଅଶୋକ ମାନବ ପ୍ରମୁଖ ଉପସ୍ଥିତ ରହିଥିଲେ ।

ନାଟ୍ୟ ସଂଗଠକ ରାଜଗୋପାଳ ପାଢ଼ୀ ସଭାକାର୍ଯ୍ୟକୁ ସଂଯୋଜନା କରିଥିବା ବେଳେ ଭବାନୀ ବେହେରା ଧନ୍ୟବାଦ ଆର୍ପଣ କରିଥିଲେ । ନାଟ୍ୟକାର ଡା.ତିରୁପତି ସାହୁଙ୍କୁ ଶାଶ୍ୱତୀ ସମ୍ମାନପ୍ରଦାନ କରାଯାଇଥିବା ବେଳେ ସାମ୍ବାଦିକ ତଥା କଳାକାର ସୁଦୀପ କୁମାର ସାହୁ ଏବଂ ଏଆଇଟିସି ସଚିବ ପ୍ରବୀର ଜେନା ଙ୍କୁ ପ୍ରଫେସର ଦୁର୍ଗାଚରଣ ପଟ୍ଟନାୟକ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା ।

ଉଦଯାପନୀ ଦିବସରେ ଆୟୋଜିତ ହୋଇଥିବା ଚାରୋଟି ନାଟକ ମଂଚସ୍ଥ ହୋଇଥିବା ବେଳେ ପ୍ରଥମ ନାଟକ ଭାବେ ଖୋର୍ଦ୍ଧାର ଜିତେନ୍ଦ୍ର ପଟ୍ଟନାୟକ ଙ୍କ ରଚିତ ଓ ନିର୍ଦ୍ଦେଶିତ ନାଟକ ଆତ୍ମୋତ୍ସର୍ଗ,ଦ୍ଵିତୀୟ ନାଟକ ଭାବେ ରାଉରକେଲା ପ୍ରଦୀପ ପଣ୍ଡାଙ୍କ ରଚିତ ଓ ନିର୍ଦ୍ଦେଶିତ ନାଟକ ମେଳି,ତୃତୀୟ ନାଟକ ଭାବେ ପୁରୀର କୈଳାଶ ଚନ୍ଦ୍ର ଶତପଥୀ ଙ୍କ ରଚିତ ଏବଂ ଗୋବିନ୍ଦ ଚନ୍ଦ୍ର ମହାନ୍ତି ଙ୍କ ନିର୍ଦ୍ଦେଶିତ ନାଟକ ଘୁର୍ଣ୍ଣି ଏବଂ ଶେଷ ନାଟକ ଭାବେ ଆୟୋଜକ ଶାଶ୍ୱତୀ ସଂସ୍ଥା ତରଫରୁ ରାମଚନ୍ଦ୍ର ସାସମଲଙ୍କ ରଚିତ ଏବଂ ରବିନାରାୟଣ ବେହେରାଙ୍କ ନିର୍ଦ୍ଦେଶିତ ନାଟକ ପ୍ୟାକେଜ ମଂଚସ୍ଥ ହୋଇଥିଲା ।

ଦୁଇଦିନ ଧରି ଅନୁଷ୍ଠିତ ଶାଶ୍ୱତୀ ରଙ୍ଗ ମହୋତ୍ସବ ରେ ଶାଶ୍ୱତୀ ସଂସ୍ଥାର ଉପଦେଷ୍ଟା ଇଂ.ଅକ୍ଷୟ ମହାନ୍ତି,ଉପସଭାପତି ପ୍ରଦୀପ ପଣ୍ଡା , ସମ୍ପାଦକ ସୁନୀଲ ସ୍ୱାଇଁ,କୈଳାଶ ପାଣିଗ୍ରାହୀ, ଆରତୀ ସାମଲ,ସନ୍ତୋଷ ପଲେଇ,ରୀନା ପଲେଇ,ବିଜୟଲଷ୍ମୀ ପାଢ଼ୀ, ସିଏଚ. ଦେବଦାସ ପ୍ରମୁଖଙ୍କ ସହ ଶାଶ୍ୱତୀ ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।



