Sunday, November 15, 2026
Home ଆଞ୍ଚଳିକ ଜଣେ ମହିଳାଙ୍କ ପାଇଁ ଜନତା ବାହାରିବା ସ୍ୱାଗତଯୋଗ୍ୟ, ମାତ୍ର ସମସ୍ତଙ୍କ କ୍ଷେତ୍ରରେ ଏହା ହେବା ଜରୁରୀ

ଜଣେ ମହିଳାଙ୍କ ପାଇଁ ଜନତା ବାହାରିବା ସ୍ୱାଗତଯୋଗ୍ୟ, ମାତ୍ର ସମସ୍ତଙ୍କ କ୍ଷେତ୍ରରେ ଏହା ହେବା ଜରୁରୀ

60

ଭୁବନେଶ୍ୱର, ୨୧/୧୨/୨୧ (ଜିଲ୍ଲା ଖବର ) : ବେଳକୁ ବେଳ ସମାଧାନ ହେବା ବଦଳରେ ବଗିଡ଼ିବାରେ ଲାଗିଛି ତପସ୍ୱିନୀ ଦାଶ ଓ ସୁମିତ ସାହୁଙ୍କ ଦାମ୍ପତ୍ୟ କଳହ । ଗତ ୧୭ ତାରିଖରୁ ଦ୍ୱିତୀୟ ଥର ପାଇଁ ଶ୍ୱଶୁର ପ୍ରମୋଦ ସାହୁଙ୍କ ଘର ଆଗରେ ଧାରଣାରେ ବସି ରହିଥିଲେ ତପସ୍ୱନୀ । ଇତିମଧ୍ୟରେ ଗତକାଲି ଏସଡିଜେଏମଙ୍କ କୋର୍ଟରେ ଦମ୍ପତିଙ୍କ ମାମଲାର ଶୁଣାଣି ହୋଇଥିଲା । ପୂର୍ବ ରାୟକୁ ପୁଣି ଥରେ କୋର୍ଟ ଦୋହରାଇ ଏକ ଭଡ଼ାଘରର ବ୍ୟବସ୍ଥା କରି ତପସ୍ୱିନୀଙ୍କୁ ସେଠାରେ ରଖିବାକୁ ସୁମିତଙ୍କୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ତେବେ ବର୍ତ୍ତମାନ ସୁମିତ କେଉଁଠି ଅଛନ୍ତି ତାହା କେହି ଜାଣି ନଥିବାରୁ କୋର୍ଟଙ୍କ ନିଷ୍ପତ୍ତିରେ ଅସନ୍ତୋଷ ପ୍ରକାଶ କରିଥିଲେ ତପସ୍ୱିନୀ ।

ଅନ୍ୟପଟେ ସୁମିତଙ୍କ ପକ୍ଷରୁ କାଗଜପତ୍ର ସଂଗ୍ରହ ପାଇଁ ମଗାଯାଇଥିବା ୧୫ ଦିନ ସମୟ ପିଟିସନକୁ ଖାରଜ କରିଥିଲେ କୋର୍ଟ । ଗତକାଲି ସୁମିତଙ୍କ ଘରର ମେନ୍ ଗେଟ୍ ଭାଙ୍ଗି ଭିତରକୁ ଧସେଇ ପଶିଥିଲେ କିଛି ମହିଳା । ତପସ୍ୱିନୀଙ୍କୁ ନ୍ୟାୟ ଦେବାକୁ ସେମାନେ ଗେଟ୍ ଭାଙ୍ଗିଥିବା ମହିଳାମାନେ କହିଥିବା ବେଳେ ଘଟଣାସ୍ଥଳରେ ଅତିରିକ୍ତ ଏସପି ପହଞ୍ଚି ବୁଝାସୁଝା କରିଥିଲେ । ତେବେ ଆଜି ଡାକ୍ତର ସୁମିତଙ୍କ ଘର ଥିବା ବ୍ରହ୍ମପୁରର ବ୍ରହ୍ମାନଗର ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ସୁମିତଙ୍କ ଘର ଆଗରେ ୨ ସେକ୍ସନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ତେବେ ଏଠାରେ ପ୍ରଶ୍ନ ଉଠୁଛି, ସୁମିତଙ୍କ ଗେଟ ଭାଙ୍ଗିବାର ଅଧିକାର କ’ଣ ଏହି ମହିଳାମାନଙ୍କର ସତର ଅଛି? ତେବେ କିଛି ସାଧାରଣ/ ଅସାଧାରଣ ଜନତା ଯଦି ସମସ୍ତଙ୍କୁ ନ୍ୟାୟ ଦେବେ, ତା’ହେଲେ ପୋଲିସ, ନ୍ୟାୟାଳୟ କୁଆଡ଼େ ଯିବେ? ତପସ୍ୱିନୀ ଆଉ ସୁମିତଙ୍କ ମଧ୍ୟରୁ କିଏ ଠିକ୍ ଆଉ କିଏ ଭୁଲ୍ ତାହା ଅଲଗା କଥା । କିନ୍ତୁ ଏପରି ମହିଳା ହୁଅନ୍ତୁ ବା ପୁରୁଷ ପୂର୍ବରୁ ରାଜ୍ୟରେ ଘଟିଥିବା ଏକାଧିକ ମାମଲା ସମୟରେ ସେମାନେ କୁଆଡ଼େ ଯାଇଥିଲେ? ଯଦି ବାହାରିବ, ସମସ୍ତଙ୍କ ପାଇଁ ଆଗକୁ ଆସ । ତପସ୍ୱିନୀଙ୍କ ପରି ଗୋଟିଏ ଝିଅକୁ ନ୍ୟାୟ ଦେବାକୁ ଯାଇ ଧସ୍ତାଧସ୍ତିରେ ଯଦି ଆଉ କାହାର କିଛି ଅଘଟଣ ଘଟିଥାନ୍ତା, ତେବେ ସେଥିପାଇଁ ଦାୟୀ କିଏ ହୋଇଥାନ୍ତା? ସମସ୍ତେ ନ୍ୟାୟ ପାଆନ୍ତୁ, କାହାକୁ ସପୋର୍ଟ କରିବା ଆମର ଲକ୍ଷ୍ୟ ନୁହେଁ । ଗଣତନ୍ତ୍ରରେ ଜନତା ଉଠିବା ନିଶ୍ଚିତଭାବେ ସ୍ୱାଗତଯୋଗ୍ୟ ପଦକ୍ଷେପ, କିନ୍ତୁ ଏହା ପୁରୁଷ, ନାରୀ, ଶିଶୁ, ବୃଦ୍ଧ, ଧନୀ, ଗରିବ, ମଧ୍ୟବିତ ସମସ୍ତଙ୍କ କ୍ଷେତ୍ରରେ ସମାନ ଭାବେ ଲାଗୁ ହେଲେ ଆଗାମୀ କିଛି ବର୍ଷ ମଧ୍ୟରେ ଓଡ଼ିଶା କାହିଁକି, ଏ ଦେଶ ବଦଳି ଯାଆନ୍ତା ।