
ନୂଆଦିଲ୍ଲୀ/ଭୁବନେଶ୍ୱର,୨୧/୧୨/୨୧ (ଜିଲ୍ଲା ଖବର ) : ଓଡ଼ିଶାର ବରଗଡ଼ ଜିଲ୍ଲା ଅନ୍ତର୍ଗତ ପଦ୍ମପୁର ସବଡିଭିଜନରେ ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସ ବୀମା କରିଥିବା ପାଞ୍ଚ ହଜାର ଛ’ଶହ ଚାଷୀଙ୍କ ବୀମା ଫଜିକରଣ କରିଥିବା ଏକ ଘରୋଇ ବୀମା କଂପାନି ବେଆଇନ ଭାବେ ବାତିଲ କରିଦେଇଥିବାରୁ ବିଜେପି କୃଷକ ମୋର୍ଚା ମାନ୍ୟବର କେନ୍ଦ୍ର କୃଷିମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂ ତୋମରଙ୍କଠାରେ ଉକ୍ତ ବୀମା କଂପାନି ବିରୋଧରେ ଫେରାଦ ହୋଇଛି । ଆଜି ଭାରତୀୟ ଜନତା ପାର୍ଟି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ତଥା ପଦ୍ମପୁରର ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ ଓ କଳାହାଣ୍ଡିର ଲୋକସଭା ସଦସ୍ୟ ଶ୍ରୀ ବସନ୍ତ ପଣ୍ଡା ନୁଆଦିଲ୍ଲୀସ୍ଥିତ କୃଷି ଭବନ ଠାରେ କେନ୍ଦ୍ର କୃଷିମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂ ତୋମରଙ୍କୁ ଭେଟି ଏ ସଂକ୍ରାନ୍ତରେ ଏକ ଦାବୀପତ୍ର ଦେବା ସହ ଉକ୍ତ ଘରୋଇ ବୀମା କଂପାନି ବେଆଇନ ଭାବେ ପ୍ରିମିୟମ ଜମା କରିଥିବା ଚାଷୀଙ୍କ ବୀମା ପୋଲିସିକୁ କି ଭଳି ବାତିଲ କଲା ସେ ସଂପର୍କରେ ଆଲୋଚନା କରିଥିଲେ ।
ଏଠାରେ ପ୍ରକାଶଯୋଗ୍ୟ ଯେ, ଚଳିତ ଖରିଫ ଋତୁ ପାଇଁ ସମସ୍ତ ପ୍ରକାର ଜମିର ପଟ୍ଟା ପର୍ଚା ସହ ନିର୍ଦ୍ଧାରିତ ସମୟ ସୀମା ଜୁଲାଇ ୩୧ତାରିଖ ଭିତରେ ଚାଷୀମାନେ ନିଜ ଜମିର ବୀମା ଫଜିକରଣ କରିଥିଲେ । ଯଦି କାଗଜ ପତ୍ରରେ ଚାଷୀ ଭୂଲ ତଥ୍ୟ ଦେଇଥିବ, ତା ହେଲେ ୧ମାସ ଭିତରେ କଂପାନି ଚାଷୀଙ୍କ ବୀମା ଫଜିକରଣ ବାତିଲ କରିବାର ନିୟମ ଥିବା ବେଳେ ବେଆଇନ ଭାବେ କଂପାନି ଗତ ନଭେମ୍ବର ୧୫ତାରିଖ ପରେ ଚାଷୀଙ୍କ ବୀମା ପଲିସି ବାତିଲ କରିଥିବାର ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ମନ୍ତ୍ରୀ ଶ୍ରୀ ତୋମର ତୁରନ୍ତ ବୀମା କଂପାନି ଠାରୁ ଏହାର ତଥ୍ୟ ମାଗିବା ପାଇଁ ନିର୍ଦ୍ଦେଶ ଦେବା ସହ ଓଡ଼ିଶା ସରକାରଙ୍କଠାରୁ ମଧ୍ୟ ମତାମତ ଲୋଡିଛନ୍ତି ବୋଲି ଶ୍ରୀ ପୁରୋହିତ ସୁଚନା ଦେଇଛନ୍ତି ।



