
୨୧/୧୨/୨୧ (ଜିଲ୍ଲା ଖବର ) : ଆଜି ଉତ୍ତର ପ୍ରଦେଶର ପ୍ରୟାଗରାଜ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ୨ ଲକ୍ଷରୁ ଅଧିକ ମହିଳା ଯୋଗଦେବେ । ତୃଣମୂଳ ସ୍ତରରୁ ମହିଳାମାନଙ୍କୁ ସଶକ୍ତ କରିବା ନେଇ ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟକୁ ପୂରଣ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ । ଏହି ଅବସରରେ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକର ୧୬ ଲକ୍ଷ ମହିଳାଙ୍କର କଲ୍ୟାଣ ପାଇଁ ୧ ହଜାର କୋଟି ଟଙ୍କା ପ୍ରଦାନ କରାଯିବ ।
ବ୍ୟବସାୟିକ ପ୍ରତିନିଧି- ‘ସଖୀ’ମାନଙ୍କୁ ପ୍ରଥମ ମାସର ବୃତ୍ତି ପ୍ରଦାନ କରାଯିବ । ଏଥିସହିତ ପ୍ରଧାନମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନାରେ ହିତାଧିକାରୀଙ୍କୁ ଆର୍ଥିକ ସହାୟତା ଦିଆଯିବ । ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନାରେ ୧ ଲକ୍ଷରୁ ଊର୍ଦ୍ଧ୍ୱ ହିତାଧିକାରୀଙ୍କୁ ୨୦ କୋଟିରୁ ଅଧିକ ଟଙ୍କା ସେମାନଙ୍କ ବ୍ୟାଙ୍କ ଖାତାକୁ ଯିବ। ରାଜ୍ୟର ୬ ଶହ ବ୍ଲକରେ ଚାଲିଥିବା ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧୀନରେ ୨୦୨ଟି ଅତିରିକ୍ତ ପୁଷ୍ଟି ପ୍ରସ୍ତୁତି କେନ୍ଦ୍ର ନିର୍ମାଣ ପାଇଁ ଶିଳାନ୍ୟାସ କରାଯିବ ।
ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପରିଚାଳିତ ହେବାକୁ ଥିବା ପ୍ରତି କେନ୍ଦ୍ର ନିର୍ମାଣ ବାବଦରେ ୧ କୋଟି ଟଙ୍କା ଲେଖାଏଁ ଖର୍ଚ୍ଚ କରାଯିବ ।


