
୧୯/୧୨/୨୧ (ଜିଲ୍ଲା ଖବର ) : ଆଜି ଗୋଆ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗୋଆ ମୁକ୍ତିଦିବସ ଅବସରରେ ସେଠାକାର ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀ ଷ୍ଟାଡିୟମରେ ଆୟୋଜିତ ଉତ୍ସବରେ ଯୋଗଦେବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ସ୍ୱାଧୀନତା ସଂଗ୍ରାମୀ ଏବଂ ‘ଅପରେସନ ବିଜୟ’ର ସଦସ୍ୟମାନଙ୍କୁ ସମ୍ମାନୀତ କରିବେ । ଗୋଆକୁ ପର୍ତ୍ତୃଗୀଜ ଶାସନରୁ ମୁକ୍ତ କରିବା ପାଇଁ ଭାରତୀୟ ସେନା ୧୯୬୧ରେ ‘ଅପରେସନ ବିଜୟ’ ଆରମ୍ଭ କରି ଡିସେମ୍ବର ୧୯ରେ ସଫଳ ହୋଇଥିଲା ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ଗୋଆର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ସହ ଶିଳନ୍ୟାସ କରିବେ। ଗୋଆରେ ପୁନର୍ବିକଶିତ ଆଗୁଆଡା ଫୋର୍ଟର ଜେଲ ମ୍ୟୁଜିୟମ, ଗୋଆ ମେଡିକାଲ କଲେଜର ସୁପର ସ୍ପେଶିଆଲିଟି ବ୍ଲକ, ଦକ୍ଷିଣ ଗୋଆର ନୂଆ ଜିଲ୍ଲା ହସପିଟାଲ, ମୋପା ବିମାନବନ୍ଦର ଉଡାଣ ଦକ୍ଷତା ବିକାଶ କେନ୍ଦ୍ର, ମାର୍ଗାଁଓର ଡାବୋଲିମ୍-ନାଭୋଲିମରେ ଏକ ଗ୍ୟାସ ଇନସୁଲେଟେଡ ସବ୍ଷ୍ଟେସନ । ଏହାସହ ଗୋଆର ବାରକାଉନସିଲ ଅଫ ଇଣ୍ଡିଆ ଟ୍ରଷ୍ଟର ନ୍ୟାୟିକ ଶିକ୍ଷା ଓ ଗବେଷଣା ସଂକ୍ରାନ୍ତ ଇଣ୍ଡିଆ ଇଣ୍ଟରନ୍ୟାସନାଲ ୟୁନିଭରସିଟିର ଶିଳାନ୍ୟାସ କରିବେ ।
ଏହାସହ ପ୍ରଧାନମନ୍ତ୍ରୀ ମୋଦି ଭାରତୀୟ ସେନା ଦ୍ୱାରା ଗୋଆ ମୁକ୍ତି ଉପରେ ସ୍ୱତନ୍ତ୍ର ଡାକଟିକଟ ଉନ୍ମୋଚନ କରିବେ । ପର୍ତ୍ତୁଗୀଜ ଶାସନରୁ ଗୋଆ ମୁକ୍ତି ସଂକ୍ରାନ୍ତ ଚିତ୍ରାବଳୀ ଏହି ସ୍ୱତନ୍ତ୍ର ଡାକଟିକଟରେ ରହିଛି । ଏଥିରେ ଭାରତୀୟ ଯୁଦ୍ଧ ଜାହାଜ ଗୋମମନ୍ତକ, ଶହୀଦ ହୋଇଥବା ସାତଣଜ ବୀର ନୌ-ସୈନିକଙ୍କ ସ୍ମୃତିରେ ନିର୍ମିତ ଯୁଦ୍ଧସ୍ମାରକ ଆଦିର ଚିତ୍ର ସ୍ଥାନ ପାଇଛି ।




