
୧୮/୧୨/୨୧ (ଜିଲ୍ଲା ଖବର ) : ଆଜି ଶାହାଜାହାନପୁରରେ ଗଙ୍ଗା ଏକ୍ସପ୍ରେସୱେର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୫୯୪ କିଲୋମିଟର ଲମ୍ବା ଛଅ ଲେନ ବିଶିଷ୍ଟ ଏକ୍ସପ୍ରେସ ୱେରେ ଖର୍ଚ୍ଚ ହେବ ୩୬ ହଜାର ୨୦୦ କୋଟିରୁ ଅଧିକ ଟଙ୍କା । ଏକ୍ସପ୍ରେସୱେରେ ବାୟୁସେନା ବିମାନର ଜରୁରୀକାଳୀନ ଅବତରଣ ଏବଂ ଉଡାଣ ପାଇଁ ରହିବ ୩.୫ କିଲୋମିଟର ଲମ୍ବା ଏୟାର ଷ୍ଟ୍ରିପ୍ ।
ସମଗ୍ର ଦେଶରେ ଦ୍ରୁତ ଗତିଶୀଳ ସଂଯୋଗ ଯୋଗାଇବା ଲକ୍ଷ୍ୟରେ ହେଉଛି ଏକ୍ସପ୍ରେସ ୱେ । ମିରଟରୁ ପ୍ରୟାଗରାଜ ପର୍ଯ୍ୟନ୍ତ ଏକ୍ସପ୍ରେସ ୱେ ୟୁପିର ୧୨ଟି ଜିଲ୍ଲା ଦେଇ ରାଜ୍ୟର ପଶ୍ଚିମ ଏବଂ ପୂର୍ବ ଅଞ୍ଚଳକୁ ସଂଯୋଗ କରିବ । କାର୍ଯ୍ୟ ସମାପ୍ତ ହେବା ପରେ ଏହା ଉତ୍ତରପ୍ରଦେଶର ଦୀର୍ଘତମ ଏକ୍ସପ୍ରେସୱେ ହେବ ।
ଏକ୍ସପ୍ରେସ ୱେରେ ଏକ ଶିଳ୍ପ କରିଡର ମଧ୍ୟ ର୍ନିମାଣ କରିବାକୁ ପ୍ରସ୍ତାବ ଦିଆଯାଇଛି । ଏହି ଏକ୍ସପ୍ରେସ ୱେ ଶିଳ୍ପର ବିକାଶ, ବାଣିଜ୍ୟ, କୃଷି, ପର୍ଯ୍ୟଟନ ସହ ଏକାଧିକ କ୍ଷେତ୍ରକୁ ଗତି ପ୍ରଦାନ କରିବ । ଏହା ଏହି ଅଞ୍ଚଳର ସାମାଜିକ ଓ ଅର୍ଥନୈତିକ ବିକାଶରେ ମଧ୍ୟ ବଡ଼ ସହାୟକ ହେବ ।


