ଜଙ୍ଗଲ ଛାଡି ସହରମୁଁହା ହେଲେ ହାତୀପଲ

62

ଦେବଗଡ଼,୧୫/୧୨/୨୧ (ଜିଲ୍ଲା ଖବର ) : ଜଙ୍ଗଲ ଛାଡି ସହରମୁଁହା ହେଲେ ହାତୀପଲ । ଦେବଗଡ ସହର ଉପକଣ୍ଠରେ ହାତୀ ଉପଦ୍ରବ । ଗତକାଲି ବିଳମ୍ବିତ ରାତିରେ ଦେବଗଡ ପୌରାଞ୍ଚଳର ଗୋବିନ୍ଦପୁର ଏବଂ ମୋହିନିପୁର ସାହିରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି । ଗାଁ ପରେ ଏବେ ହାତୀପଲ ସହରମୁହାଁ ହୋଇଥିବାରୁ ଲୋକ ଭୟଭୀତ ହୋଇ ପଡିଛନ୍ତି ।

ଗତକାଲି ରାତିସାରା ସ୍ଥାନୀୟ ଲୋକ ହାତୀ ଘଉଡାଇଥିବା ଜଣାପଡିଛି । ଗୋବିନ୍ଦପୁର ଅଂଚଳରେ ଥିବା ୨ଟି କଦଳୀ ବଗିଚାକୁ  ମାଡିଦଳି ନଷ୍ଟ କରି ଦେଇଛନ୍ତି ହାତୀପଲ । ଫଳରେ ଗିରିଜା ଶଙ୍କର ଦେହୁରୀ ଏବଂ ଉମାକାନ୍ତ ଦେହୁରୀଙ୍କ ଲକ୍ଷାଧିକ ଟଙ୍କାର କ୍ଷତି ହୋଇଛି ।

ବଗିଚା ଭିତରେ ଥିବା ଅନେକ କଦଳୀ ଗଛ ଖାଇ ଦେଇଛନ୍ତି ହାତୀପଲ । ଏଥିସହ ବଗିଚା ଭିତରେ ପଶି ବ୍ୟାପକ ପନିପରିବା ଫସଲ ନଷ୍ଟ କରିଛନ୍ତି । ଖବର ପାଇ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀ ଘଉଡାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଦୀର୍ଘ ସମୟ ଧରି ବିଫଳ ହୋଇଥିଲେ । ଗତକାଲି ସନ୍ଧ୍ୟାରୁ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ହାତୀ ଉପଦ୍ରବ ଲାଗି ରହିଥିଲା। ପ୍ରାୟ ୨୦ ରୁ ଉର୍ଦ୍ଧ୍ବ ହାତୀ ରହିଥିବା ଜଣାପଡିଛି।