ଦିନ ମଜୁରିଆଙ୍କୁ ରାତ୍ର ଜଗୁଆଳି ସଜାଇ ତାଙ୍କ ନାଁରେ ଉଠୁଛି ହଜାର ହଜାର ଟଙ୍କା!

18

୧୪/୧୨/୨୧ (ଜିଲ୍ଲା ଖବର ) : ରାତ୍ର ଜଗୁଆଳି ନାମରେ ପ୍ରତି ମାସ ହଜାର ହଜାର ଟଙ୍କା ଉଠୁଛି । ଆଉ ଉକ୍ତ ଟଙ୍କା ଚଳୁ ହୋଇଛି । ଦୀର୍ଘ ମାସ ହେବ ଏପରି ଚାଲି ଆସିଥିବା ବେଳେ ସମସ୍ତଙ୍କୁ ଦିନରେ ଲଣ୍ଠନ ଦେଖାଇ ଚାଲିଥିଲା ଏପରି ଲୁଟ୍ । ଏଭଳି ଏକ ସାଂଘାତିକ ଘଟଣାର ଦସ୍ତାବିଜ୍ ଲାଗିଛି ହାତରେ ।

ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଉଦଳା ଗୋପବନ୍ଧୁନଗର ବ୍ଲକ କୁଶଳଦା ପଂଚାୟତରେ । କୁଶଳଦା ପଂଚାୟତରେ ରହିଛି ଏକ ପିଡିଏସ୍ ଗୋଦାମ ଗୃହ । ଯେଉଁ ଗୃହରେ ରାତ୍ର ଜଗୁଆଳି ଭାବେ ଖଡିଆବସା ଗ୍ରାମର ବୁଧିରାମ ସିଂ କାର୍ଯ୍ୟ କରନ୍ତି ବୋଲି ସରକାରୀ କାଗଜପତ୍ରରେ ଦର୍ଶାଯାଇଛି । ଏହା ସହିତ ତାଙ୍କ ନାମରେ ପ୍ରତି ମାସ ହଜାର ହଜାର ଟଙ୍କା ଉଠାଣ ମଧ୍ୟ କରାଯାଉଛି ।

ଏପରିକି ଟିପ ଚିହ୍ନ ନେବା ସହିତ ରାତ୍ର ଜଗୁଆଳି ପ୍ରତି ମାସ ନେଉଥିବା ଟଙ୍କାର ହିସାବ ମଧ୍ୟ ରଖାଯାଇଛି । ଦିନେ କି ଦୁଇ ଦିନ ନୁହେଁ ପ୍ରାୟ ଏକ ବର୍ଷରୁ ଉର୍ଦ୍ଧ୍ୱ ହେବ ଏପରି ଭାବେ ବୁଧତ୍ରାମ ରାତ୍ର ଜଗୁଆଳୀ ଭାବେ ଟଙ୍କା ଉଠାଇଥିବା କାଗଜପତ୍ରରେ ଦର୍ଶାଯାଇଛି ।

ହେଲେ ଆଶ୍ଚର୍ଯ୍ୟର କଥା ବୁଧତ୍ରାମ ଏ ବାବଦରେ କିଛି ଜାଣିନାହାନ୍ତି । ସେ ଦିନ ମଜୁରିଆ ଭାବେ କାମ କରୁଛନ୍ତି । ହଲେ ଗୋଦାମ ଗୃହ ରାତ୍ର ଜଗୁଆଳୀ ଭାବେ ତାଙ୍କ ନାମରେ ଟଙ୍କା ଉଠୁଥିବା କଥା ସେ ଜାଣିନାହାନ୍ତି ବୋଲି କହିଛନ୍ତି । ତେବେ କିଏ ଏ ଲୋକ, ଯିଏ କି ସବୁ ଟଙ୍କା ଚଳୁକରୁଛି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।